କଟକରେ ଦେଖିବାକୁ ମିଳିଲା ‘ଭୁବନେଶ୍ୱର’ଙ୍କ କମାଲ । ୪ ଓଭରରେ କେବଳ ୧୩ ରନ୍, ୪ ୱିକେଟ୍ । ତଥାପି ହାରିଲା ଟିମ୍ ଇଣ୍ଡିଆ ।

214

କନକ ବ୍ୟୁରୋ: ବାରବାଟୀରେ ବାଜିମାରିଛି ଦକ୍ଷିଣ ଆଫ୍ରିକା । ଦିଲ୍ଲୀ ପରେ ବାରବାଟୀରେ ଲଗାତାର ଦ୍ୱିତୀୟ ପରାଜୟ ବରଣ କରିଛି ପନ୍ତ ବାହିନୀ । ତେବେ ଆଜି ବାରବାଟୀରେ ଟିମ୍ ଇଣ୍ଡିଆର ସବୁ ବୋଲର ଫେଲ୍ ମାରିଥିବାବେଳେ ସବୁଠୁ ଅଭିଜ୍ଞ ବୋଲର ଭୁବନେଶ୍ୱର କୁମାରଙ୍କର କିନ୍ତୁ କମାଲ ଦେଖିବାକୁ ମିଳିଛି । ନିଜର ୪ ଓଭର ଭିତରେ ଭୁବନେଶ୍ୱର ଦକ୍ଷିଣ ଆଫ୍ରିକା ଦଳର ୪ ଜଣ ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଭିଲିୟନ ଫେରାଇଥିବାବେଳେ, ମାତ୍ର ୧୩ ରନ୍ ଦେଇଛନ୍ତି ।

ଆଜି ବାରବାଟୀରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଦକ୍ଷିଣ ଆଫ୍ରିକା । ଆଉ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆ । ଦଳ ଇଷାନ କିଷାନ, ଶ୍ରେୟାସ ଆୟର ଓ କାର୍ତ୍ତିକଙ୍କର ଉପଯୋଗୀ ରନ ବଳରେ ୨୦ ଓଭରରେ ୧୪୮ ରନ୍ କରିଥିଲା । ଆଉ ଦକ୍ଷିଣ ଆଫ୍ରିକା ପାଇଁ ୨୦ ଓଭରରେ ବିଜୟ ଲକ୍ଷ୍ୟ ରହିଥିଲା ୧୪୯ ।

୧୪୯ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଦକ୍ଷିଣ ଆଫ୍ରିକା ଦଳ । ହେଲେ ଦଳକୁ ଆରମ୍ଭରୁ ହିଁ ଝଟକା ଦେଇଥିଲା ଟିମ୍ ଇଣ୍ଡିଆର ଷ୍ଟାର ବୋଲର ଭୁବନେଶ୍ୱର କୁମାର । ପ୍ରଥମ ଓଭରରେ ଶେଷ ବଲରେ ହିଁ ସେ ଦଳକୁ ଦେଇଥିଲେ ପ୍ରଥମ ସଫଳତା । ଏହାପରେ ପରେ ସେ ନିଜର ଦ୍ୱିତୀୟ ଓଭରରେ ମଧ୍ୟ ପୁଣି ଗୋଟିଏ ୱିକେଟ୍ ନେଇ ଟିମ୍ ଇଣ୍ଡିଆ ଶିବିରରେ ଉତ୍ସାହ ଭରିଥିଲେ । ନିଜର ବ୍ୟକ୍ତିଗତ ୪ ଓଭରରେ ଭୁବନେଶ୍ୱର କେବଳ ୧୩ ରନ୍ ଦେଇଥିବାବେଳେ, ୪ଟି ସଫଳତା ପାଇଥିଲେ ।

ଅନ୍ୟ ବୋଲରଙ୍କ ଭିତରେ ହର୍ଷଲ ପଟେଲ ଭଲ ବୋଲିଂ କରିଥିବାବେଳେ, ଆଭେସ ଖାନ୍ ମଧ୍ୟ ଭଲ ବୋଲିଂ କରିଥଲେ । ହେଲେ ଦଳର ସ୍ପିନର ଭଲ ପ୍ରଦର୍ଶନ କରିନପାରିବା କାରଣରୁ ଦଳ ପରାଜୟ ବରଣ କରିଥିବା ବିଶେଷଜ୍ଞମାନେ ମତ ରଖିଛନ୍ତି ।