ପ୍ରିୟଙ୍କା ଗାନ୍ଧୀ ରହୁଥିବା ଗେଷ୍ଟ ହାଉସ ବାହାରେ ଉଡୁଥିବା ଡ୍ରୋନ୍ କାହାର? ଟ୍ୱିଟ୍ କରି ପ୍ରଶ୍ନ ଉଠାଇଲେ ଛତିଶଗଡ ମୁଖ୍ୟମନ୍ତ୍ରୀ ।

201

କନକ ବ୍ୟୁରୋ: ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଘଟଣାକୁ ନେଇ ଏବେ ଉତ୍ତରପ୍ରଦେଶ ରାଜନୀତି ସରଗରମ ରହିଛି । ବିରୋଧୀମାନେ ଏହି ଘଟଣାକୁ ନେଇ ଏବେ ବିଜେପିକୁ ଜୋରଦାର ଟାର୍ଗେଟ କରୁଥିବା ବେଳେ, ୟୁପି ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ଅନ୍ୟପଟେ ଏହି ଘଟଣା ଉପରେ ଏବେ ମୁହଁ ଖୋଲିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ।

ବର୍ତ୍ତମାନ ପ୍ରିୟଙ୍କା ଗାନ୍ଧୀଙ୍କୁ ରଖାଯାଇଥିବା ଗେଷ୍ଟ ହାଉସ ବାହାରେ ଉଡୁଥିବା ଡ୍ରୋନ୍ କାହାର ବୋଲି ସେ ପ୍ରଶ୍ନ କରିଛନ୍ତି । ଗତ ୩୦ ଘଣ୍ଟା ହେଲା ପ୍ରିୟଙ୍କା ଗାନ୍ଧୀ ଗେଷ୍ଟ ହାଉସରେ ଅଛନ୍ତି, ହେଲେ ଏହି ଘର ଉପରେ ଡ୍ରୋନ୍ ଉଡୁଥିବାର ଭିଡିଓ ପୋଷ୍ଟ କରି ପ୍ରଶ୍ନ ଉଠାଇଛନ୍ତି ଭୂପେଶ ବାଘେଲ । ତେବେ ଭୂପେଶ ବାଘେଲ ସେୟାର କରିଥିବା ଭିଡିଓରେ ଏକ ଡ୍ରୋନ୍ ଉଡୁଥିବାର ଦେଖିବାକୁ ମିଳୁଛି । କୁହାଯାଉଛି, ପ୍ରିୟଙ୍କା ଗାନ୍ଧୀ ରହିଥିବା ଗେଷ୍ଟ ହାଉସ ବାହାରେ ଏହି ଡ୍ରୋନ୍ ଉଡୁଛି ।

ଅନ୍ୟପଟେ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଗେଷ୍ଟ ହାଉସରୁ ଏକ ଟ୍ୱିଟ୍ କରିଛନ୍ତି । ଯେଉଁଥିରେ ସେ କହୁଛନ୍ତି, ପ୍ରଧାନମନ୍ତ୍ରୀ ଆଜି ଅମୃତ ମହୋତ୍ସବ ପାଳନ କରିବାକୁ ୟୁପି ଆସୁଛନ୍ତି । ହେଲେ ଏପର୍ଯ୍ୟନ୍ତ କାହିଁକି ଲକ୍ଷ୍ମୀପୁର ଘଟଣାରେ ସମ୍ପୃକ୍ତ ମନ୍ତ୍ରୀ ଓ ତାଙ୍କ ପୁଅଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି? ତେବେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଆଜି ଲକ୍ଷ୍ନୌରେ ପହଞ୍ଚିଛନ୍ତି । କୁହାଯାଉଛି, ସେ ସୀତାପୁରରେ ପ୍ରିୟଙ୍କାଙ୍କୁ ଭେଟିବା ସହିତ ଲକ୍ଷ୍ମୀପୁର ଯାଇପାରନ୍ତି ।