ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭୂପେନ୍ଦ୍ର ପଟେଲ । ବଦଳିପାରେ ମନ୍ତ୍ରିମଣ୍ଡଳ, ୬ରୁ ୭ ଜଣ ମନ୍ତ୍ରୀ ହରାଇପାରନ୍ତି ପଦ ।

80

କନକ ବ୍ୟୁରୋ : ଗୁଜୁରାଟବାସୀଙ୍କୁ ମିଳିଲା ନୂଆ ମୁଖ୍ୟମନ୍ତ୍ରୀ । ରାଜ୍ୟର ୧୭ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଭୁପେନ୍ଦ୍ର ପଟେଲ । ଗୁଜରାଟ ଗାନ୍ଧିନଗର ସ୍ଥିତ ରାଜ୍ୟପାଳଙ୍କ ବାସଭବନରେ ଏକ ସ୍ୱତନ୍ତ୍ର ସମାରୋହରେ ଶପଥ ନେଇଛନ୍ତି ଭୁପେନ୍ଦ୍ର ପଟେଲ । ରାଜ୍ୟପାଳ ଆଚାର୍ଯ୍ୟ ଦେଭରତ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ତେବେ ଭୁପେନ୍ଦ୍ର ପଟେଲ ଶପଥ ପାଠ ପରେ ମନ୍ତ୍ରୀମଣ୍ଡଳରେ ଅଦଳ ବଦଳ ହୋଇପାରେ ବୋଲି ସୂଚନା ମିଳିଛି ।

ଗୁଜୁରାଟର ନୂଆ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ । ରାଜ୍ୟର ୧୭ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଭୂପେନ୍ଦ୍ର ପଟେଲ । ଆଉ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ଆଗରୁ ନିଜ ଘରେ ଠାକୁରଙ୍କୁ ମୁଣ୍ଡିଆ ମାରି ଘରୁ ବାହାରିଥିଲେ ଭୂପେନ୍ଦ୍ର ପଟେଲ । ଗାନ୍ଧିନଗର ସ୍ଥିତ ରାଜ୍ୟପାଳଙ୍କ ବାସଭବନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟପାଳ ଆଚାର୍ଯ୍ୟ ଦେଭରତ ଭୂପେନ୍ଦ୍ର ପଟେଲଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଶପଥ ଗ୍ରହଣ ସମାରୋହରେ ଗୃହମନ୍ତ୍ରୀ ଅମିତ ଶାହ, ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଏବଂ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କୁ ଦେଖିବାକୁ ମିଳିଛି । ଶପଥ ଗ୍ରହଣ ସମାରୋହରେ ଭୂପେନ୍ଦ୍ର ପଟେଲଙ୍କ ପୁରା ପରିବାର ସାମିଲ ହୋଇଛନ୍ତି ।

ଗୁଜାରାଟର ପାଟିଦାର ସମ୍ପ୍ରଦାୟରେ ଭୂପେନ୍ଦ୍ର ପଟେଲ ଜଣେ ପ୍ରଭାବଶାଳୀ ନେତା ଭାବେ ପରିଚିତ । ଆଉ ତାଙ୍କ ଭରସାରେ ଆଗାମୀ ନିର୍ବାଚନ ଲଢିବା ପାଇଁ ବିଜେପି ପ୍ରସ୍ତୁତି ଆରମ୍ଭ କରିଦେଲାଣି । ଯାହାର ପ୍ରମାଣ ହେଉଛି ଭୂପେନ୍ଦ୍ର ପଟେଲଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇବା । ମୁଖ୍ୟମନ୍ତ୍ରୀ ହେବା ପରେ ଆଗାମୀ ଦିନରେ ଭୂପେନ୍ଦ୍ର ପଟେଲ ନିଜର ନୂଆ ମନ୍ତ୍ରିମଣ୍ଡଳ ଗଠନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ରହିଛି । ଏହା ପୂର୍ବରୁ ଭୂପେନ୍ଦ୍ର ୬ରୁ ୭ ମନ୍ତ୍ରୀଙ୍କୁ ପଦରୁ ହଟାଇ ପାରନ୍ତି । ନୂଆ ଚେହେରାକୁ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ଦେଇପାରନ୍ତି ।

ବିଜୟ ରୁପାନୀଙ୍କ ଇସ୍ତଫା ପରେ ନୀତିନ ପଟେଲ, ମନସୁଖ ମାଣ୍ଡଭ୍ୟଙ୍କ ପରି ବଡ ବଡ ନାଁ ମୁଖ୍ୟମନ୍ତ୍ରୀ ଦୌଡରେ ଥିବାବେଳେ, ଦଳ ନୂଆ ଚେହେରା ଭାବେ ଭୂପେନ୍ଦ୍ର ପଟେଲଙ୍କୁ ବାଛିଛି । ଆଉ ଦଳର ଏହି ନିଷ୍ପତିରେ ରାଜ୍ୟର ଉପ-ମୁଖ୍ୟମନ୍ତ୍ରୀ ପଦରେ ଥିବା ଏବଂ ମୁଖ୍ୟମନ୍ତ୍ରୀ ଦାବେଦାର ପାଇଁ ୧ ନମ୍ବର ସ୍ଥାନରେ ଥିବା ନୀତିନ ପଟେଲ କ୍ଷୁବ୍ଧ ହୋଇଥିବା ଜଣାପଡଛି ।

ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତମାନର ଉତର ପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ ପଟେଲଙ୍କ ନିର୍ବାଚନ ମଣ୍ଡଳୀ
– ଘାଟଲୋଡିଆ ଆସନରୁ ପ୍ରଥମ ଥର ପାଇଁ ୨୦୧୭ରେ ନିର୍ବାଚନ ଲଢିଥିଲେ ଭୁପେନ୍ଦ୍ର ପଟେଲ
– ନିଜ ନକଟତମ ପ୍ରତିଦ୍ୱନ୍ଦୀଙ୍କୁ ୧ ଲକ୍ଷ ୧୭ ହଜାର ଭୋଟରେ ହରାଇଥିଲେ
– ୨୦୧୭ରେ ପ୍ରଥମଥର ବିଧାୟକ ହୋଇଥିଲେ ବି ଆରଏସଏସର ଜଣେ ବରିଷ୍ଠ ନେତା
– ଆନନ୍ଦିବେନ ପଟେଲଙ୍କ ବେଶ ଘନିଷ୍ଠ ଭୂପେନ୍ଦ୍ର ପଟେଲ
– ନିର୍ବାଚନରେ ଲଢିବା ପୂର୍ବରୁ ସେ ସ୍ଥାନୀୟ ରାଜନୀତିରେ ବେଶ ସକ୍ରିୟ ରହିଛନ୍ତି
– ପାଟିଦାର ସମ୍ପ୍ରଦାୟର ଶକ୍ତିଶାଳୀ ନେତା ଭାବେ ଜଣାଯାଆନ୍ତି ଭୂପେନ୍ଦ୍ର ପଟେଲ
– ଅହମ୍ମଦାବାଦ ଅର୍ବାନ ଡେଭଲପମେଂଟ୍ ଅଥରିଟିର ଅଧ୍ୟକ୍ଷ ଭାବେ କାର୍ଯ୍ୟ ତୁଲାଇଛନ୍ତି ଭୂପେନ୍ଦ୍ର ପଟେଲ
– ରାଜନୀତିରେ ଯୋଗ ଦେବା ପୂର୍ବରୁ ପେଶାରେ ସେ ଜଣେ ଇଂଜିନିୟର

ଆଉ ରାଜନୀତିରେ ପ୍ରବେଶ କରି ପ୍ରଥମ ଥର ନିର୍ବାଚନ ଲଢି ବିଧାୟକ ହୋଇଥିବା ଭୂପେନ୍ଦ୍ର ପଟେଲଙ୍କୁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଅଭିଷିକ୍ତ କରିଛି ବିଜେପି ।