ହୋଟେଲ ରୁମରେ ଯୁବତୀଙ୍କ ଅଶ୍ଳୀଳ ଫଟୋ ଉଠାଇ ବ୍ଲାକମେଲିଂ । ନୟାପଲ୍ଲୀ ସ୍ଥିତ ଓୟୋ ହୋଟେଲ ନାଁରେ ଆସିଲା ସାଂଘାତିକ ଅଭିଯୋଗ

ଫଟୋ ଦେଖାଇ ୫୦ ହଜାର ଟଙ୍କାର କରୁଥିଲେ ଦାବି ହୋଟେଲ କର୍ମଚାରୀ

1,269

କନକ ବ୍ୟୁରୋ: ହେଟେଲ ରୁମରେ ଯୁବକ ଓ ଯୁବତୀଙ୍କ ଅନ୍ତରଙ୍ଗ ମୂହୂର୍ତର ଫଟୋ ଉଠାଇ ବ୍ଲାକମେଲ । ଏଭଳି ଘଟଣା ଘଟିଛି ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ଏକ ଓୟୋ ହୋଟେଲ ରୁମରେ । ଯୁବତୀଙ୍କ ଅଭିଯୋଗ ଅନୁସାରେ, ସେ ହୋଟେଲ ଭିତରେ ରହିଥିଲେ । ଘରକୁ ଫେରିବା ପରେ ତାଙ୍କ ନିକଟକୁ ସେହି ଓୟୋ ହୋଟେଲରୁ ଫୋନ ଆସିଥିଲା । ଯୁବତୀଙ୍କ କିଛି ଫଟୋ ଓ ଭିଜୁଆଲ ଅଛି ବୋଲି କହି ହୋଟେଲର କିଛି କର୍ମଚାରୀ ସଂପୃକ୍ତ ଯୁବତୀଙ୍କୁ ବ୍ଲାକମେଲ କରିଥିଲେ । ଏ ନେଇ ସେମାନେ ୫୦ ହଜାର ଟଙ୍କା ଦାବି କରିଥିଲେ ।  ତେବେ ସଂପୃକ୍ତ ଯୁବତୀଜଣକ ଥାନାରେ ଅଭିଯୋଗ କରିବା ପରେ ଘଟଣାଟି ସାମ୍ନାକୁ ଆସିଛି ।

ହୋଟେଲ ରୁମର କବାଟ ଫାଙ୍କରୁ ସେମାନଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ଉତ୍ତୋଳନ କରାଯାଇଛି ବୋଲି ଯୁବତୀ ଜଣକ ଆଶଙ୍କା କରିଛନ୍ତି । ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ନୟାପଲ୍ଲୀସ୍ଥିତ ସାଇ ଆର୍ଯ୍ୟ ରେସିଡେନ୍ସିର ଦୁଇଜଣ କର୍ମଚାରୀଙ୍କୁ ଅଟକ ରଖିଛି । ଓୟୋ ହେଟେଲର କର୍ମଚାରୀ ଟଙ୍କା ମାଗିବା ପରେ ଯୁବତୀ ଜଣକ ଟଙ୍କା ଦେବା ପାଇଁ ସେମାନଙ୍କୁ ନୟାପଲ୍ଲୀ ଛକକୁ ଡାକିଥିଲେ । ଆଉ ଏହି ସମୟରେ କିଛି ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ କାବୁ କରିଥିଲେ । ଏହାପରେ ତାଙ୍କୁ ପୁଲିସରେ ଜିମା ଦେଇଥିଲେ । ଯୁବତୀ ଜଣକ ଥାନାରେ ଏଫଆଇଆର ଦେଇ ବ୍ଲାକମେଲ କରୁଥିବା ଯୁବକଙ୍କୁ ଉଚିତ ଦଣ୍ଡ ଦେବା ପାଇଁ ଅନୁରୋଧ କରିଛନ୍ତି ।