ଭୁବନେଶ୍ୱର ରଙ୍ଗମାଟିଆ ଡମ୍ପିଂୟାର୍ଡରୁ ବାହାରୁଛି ନାକଫଟା ଦୁର୍ଗନ୍ଧ । ସ୍କୁଲରେ ବସି ପାଠ ପଢିପାରୁନାହାଁନ୍ତି ଛାତ୍ରଛାତ୍ରୀ
କନକ ବ୍ୟୁରୋ: ଗନେ୍ଧଇଲାଣି ସହର । ଭୁବନେଶ୍ୱର ରଙ୍ଗମାଟିଆ ଡମ୍ପିଂୟାର୍ଡରୁ ବାହାରୁଛି ନାକଫଟା ଦୁର୍ଗନ୍ଧ । ଏପରି ଦୁର୍ଗନ୍ଧ ହେଉଛି ଯେ, ସ୍କୁଲରେ ବସି ପାଠ ପଢି ହେଉନାହିଁ । ନାକରେ ହାତ ଦେଇ ପାଠ ପଢୁଛନ୍ତି ସ୍କୁଲ ଛାତ୍ରଛାତ୍ରୀ । ଫଳରେ ପିଲାମାନେ ସ୍କୁଲ ଛାଡି ପଳାଉଛନ୍ତି । କିଛି ପିଲାଙ୍କୁ ଅଭିଭାବକମାନେ ସ୍କୁଲ ମଧ୍ୟ ପଠାଉନାହାନ୍ତି । ପରିସ୍ଥିତି ଏପରି ହେଲାଣି ଯେ, ଗତ ଦୁଇଟି ଶିକ୍ଷାବର୍ଷରେ ପ୍ରାୟ ୩୦ ଜଣ ଟିସି ନେଇ ଗାଡକଣ ଓ ଡମଣା ହାଇସ୍କୁଲକୁ ପଳାଇଯାଇଥିବା ସୂଚନା ମିଳିଛି । ସରକାରୀ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ମଧ୍ୟ ପିଲାଙ୍କ ଉପସ୍ଥାନ କମୁଛି । ଏବେ କେବଳ ବସ୍ତି ଅଂଚଳର ପିଲାଙ୍କୁ ନେଇ ଚାଲିଛି ସ୍କୁଲ । ଗତ ମେ’ ମାସ ୧୭ ତାରିଖରୁ ଦାରୁଠେଙ୍ଗରେ କୌଣସି ଅଳିଆ ପଡୁନାହିଁ । ସହରର ସମସ୍ତ ଅଳିଆ ଏବେ ସୈନିକ ସ୍କୁଲ ପଛପଟେ ଥିବା ରଙ୍ଗମାଟିଆ ଡମ୍ପିଂୟାର୍ଡରେ ପଡୁଛି । ସହରର ସବୁ ଅଳିଆ ଗୋଟିଏ ଅଳିଆଗଦାରେ ପଡୁଥିବାରୁ ଦୁର୍ଗନ୍ଧରେ ଫାଟି ପଡୁଛି ପୂରା ଅଂଚଳ । କେବଳ ସ୍କୁଲ ନୁହଁ, ସ୍ଥାନୀୟ ଅଂଚଳରେ ଲୋକେ ରହିବା ମଧ୍ୟ ଅସମ୍ଭବ ହୋଇପଡ଼ିଲାଣି ।