ଭୁବନେଶ୍ୱର ରାମମନ୍ଦିର ହେଲା ଭିକ୍ଷାବୃତିମୁକ୍ତ ଅଞ୍ଚଳ : ମନ୍ଦିର ଟ୍ରଷ୍ଟିଙ୍କ ପାଖକୁ ଚିଠି ଲେଖି ଜଣାଇଲେ ବିଏମସି କର୍ତ୍ତୃପକ୍ଷ; ଭିକ୍ଷାବୃତି କରୁଥିବା ବ୍ୟକ୍ତିଙ୍କୁ ସହରାଞ୍ଚଳ ଆଶ୍ରୟସ୍ଥଳୀରେ ଥଇଥାନ କରିବାକୁ ନିର୍ଦ୍ଦେଶ

170

କନକ ବ୍ୟୁରୋ : ଭୁବନେଶ୍ୱରର ରାମ ମନ୍ଦିର ପରିସର ହେଲା ଭିକ୍ଷାବୃତିମୁକ୍ତ ଅଂଚଳ । ରାମ ମନ୍ଦିର ଅଂଚଳରେ ଭିକ୍ଷାବୃତି ଉପରେ ରୋକ ଲଗାଇଛନ୍ତି ଭୁବନେଶ୍ୱର ମହାନଗର ନିଗମ କର୍ତୃପକ୍ଷ । ରାମ ମନ୍ଦିରର ଟ୍ରଷ୍ଟି କର୍ମକର୍ତାଙ୍କୁ ଏ ନେଇ ଜଣାଇ ଦେଇଛି ବିଏମସି । ଟ୍ରଷ୍ଟି ପକ୍ଷରୁ ହୋଡିଂ କିମ୍ବା ବ୍ୟାନର ଲଗାଯାଇ ଏ ସଂପର୍କରେ ସାଧାରଣ ଲୋକ ଏବଂ ଭିକ୍ଷାବୃତି କରିବାକୁ ଆସୁଥିବା ସମସ୍ତ ବ୍ୟକ୍ତିବିଶେଷଙ୍କୁ ସୂଚନା ଦେବାକୁ କୁହାଯାଇଛି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସୂଚନାକୁ ଭିତିକରି ଏହି ପଦକ୍ଷେପ ନିଆଯାଇଥିବା କହିଛି ବିଏମସି ।

ରାଜଧାନୀର ସହରାଂଚଳ ଆଶ୍ରୟସ୍ଥଳରେ ବ୍ୟବସ୍ଥା ରହିଥିବା ବେଳେ ଭିକ୍ଷାବୃତି କରୁଥିବା ବ୍ୟକ୍ତିଙ୍କୁ ସେଠାରେ ଥଇଥାନ ପାଇଁ ସହଯୋଗ କରିବାକୁ ରାମ ମନ୍ଦିର ଟ୍ରଷ୍ଟିକୁ କୁହାଯାଇଛି । ମନ୍ଦିର ଆଖପାଖରେ ୨ଟି ସହରାଂଚଳ ଆଶ୍ରୟସ୍ଥଳୀ ରହିଛି, ସେଠାରେ ଭିକ୍ଷାଜୀବୀମାନଙ୍କୁ ପଠାଇବାକୁ କହିଛି ବିଏମସି । ମାଳିସାହି ଓ ଖାରବେଳ ନଗରରେ ଥିବା ଏହି ୨ ସହରାଂଚଳ ଆଶ୍ରୟସ୍ଥଳୀ ଆଗରେ ଏ ସଂପର୍କରେ ହୋଡିଂ ଲଗାଯିବ । ଦୁଇ ଦିନ ଧରି ପ୍ରାୟ ୧୦ ଜଣ ଭିକ୍ଷାଜୀବୀଙ୍କୁ ବୁଝାସୁଝା କରି ଏହି ଆଶ୍ରୟସ୍ଥଳୀକୁ ନିଆଯାଇଥିବା ସୂଚନା ମିଳିଛି ।