କରୋନା ବେଳେ କେମିତି ହେବ ପରୀକ୍ଷା, ବାଟ ଦେଖାଇଲା ଭୁବନେଶ୍ୱର ଆଇଆଇଟି । କାଗଜ କଲମରେ ହେଲା ପରୀକ୍ଷା, ଅନଲାଇନରେ ଛାତ୍ରଛାତ୍ରୀଙ୍କ ଉପରେ ନଜର ରଖିଲେ ନିରୀକ୍ଷକ ।

354

କନକ ବ୍ୟୁରୋ : କରୋନା ଭୂତାଣୁର ସଂକ୍ରମଣ ଭୟରେ ଦେଶରେ ଏକାଧିକ ପରୀକ୍ଷାକୁ ବାତିଲ କରିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର । ପରୀକ୍ଷା କଲେ କାଳେ ସଂକ୍ରମଣ ବ୍ୟାପିଯିବ, ଏହି ଆଶଙ୍କାରେ ଦଶମ ଓ ଦ୍ୱାଦଶ ପରୀକ୍ଷାକୁ ସମ୍ପୂର୍ଣ୍ଣ ବାତିଲ କରାଯାଇଛି । ସେହିପରି ଆଉ କେତେକ ପରୀକ୍ଷା ବାତିଲ ପାଇଁ ମଧ୍ୟ ଦାବି ବଢ଼ିବାରେ ଲାଗିଛି । ଏଭଳି ସମୟରେ କାଗଜ କଲମରେ ପରୀକ୍ଷା କରି ପ୍ରେରଣା ସାଜିଛି ଭୂବନେଶ୍ୱର ଆଇଆଇଟି । ବିଟେକ୍ ପ୍ରଥମ ବର୍ଷର ପରୀକ୍ଷା ସହ ସମସ୍ତ ପରୀକ୍ଷା ସଫଳତାର ସହ ଶେଷ କରିଛି । ତେବେ ପରୀକ୍ଷାର୍ଥୀମାନେ ପରୀକ୍ଷା ହଲକୁ ନଆସି ଘରେ ବସି ଆଇଆଇଟି ପକ୍ଷରୁ ବିକଶିତ କରାଯାଇଥିବା ସ୍ୱତନ୍ତ୍ର ଅନଲାଇନ ପଦ୍ଧତିରେ ପରୀକ୍ଷକଙ୍କ ନିରୀକ୍ଷଣରେ ପରୀକ୍ଷା ଦେଇଛନ୍ତି । ଏଥିପାଇଁ ଆଇଆଇଟି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା ।

ଅନଲାଇନରେ ପରୀକ୍ଷା କିନ୍ତୁ କାଗଜ କଲମରେ । ଭୁବନେଶ୍ୱର ଆଇଆଇଟି ଦେଖାଇଲା ନୂତନ ଦିଗ । ଯେଉଁ ସମୟରେ ସମଗ୍ର ଦେଶ କୋଭିଡର ଦ୍ଵିତୀୟ ଲହର ସହ ସଂଗ୍ରାମ କରୁଛି, ଏବଂ ଛାତ୍ରଛାତ୍ରୀଙ୍କ ଭାଗ୍ୟ ଭବିଷ୍ୟତ ଅନ୍ଧକାର ଆଡକୁ ଠେଲି ହୋଇ ଯାଉଛି, ସେହି ସମୟରେ ଭୁବନେଶ୍ୱର ଆଇଆଇଟି ପକ୍ଷରୁ କାଗଜ କଲମରେ ପରୀକ୍ଷା କରି ଅନ୍ୟ ଶିକ୍ଷାନୁଷ୍ଠାନଙ୍କ ପାଇଁ ପ୍ରେରଣା ପାଲଟିଛି । ଭୁବନେଶ୍ୱର ଆଇଆଇଟି ଏହାର ବି-ଟେକ ପ୍ରଥମ ବର୍ଷ ପରୀକ୍ଷା ବ୍ୟତୀତ ସମସ୍ତ ପରୀକ୍ଷା ଶେଷ କରିଛି, ତାହା ପୁଣି କାଗଜ କଲମରେ । ଛାତ୍ରଛାତ୍ରୀମାନେ ନିଜ ଘରେ ମୋବାଇଲ କିମ୍ବା ଲାପଟପ ସମ୍ମୁଖରେ ବସିବେ ଏବଂ ଏହାର ସିଧାସଳଖ ଚିତ୍ର ନିରୀକ୍ଷକ ଦେଖିବେ । ପରୀକ୍ଷାର କିଛି ସମୟ ପୂର୍ବରୁ ଦିଆଯାଇଥିବା ପ୍ରଶ୍ନର ଉତ୍ତର ପରୀକ୍ଷାର୍ଥୀ କାଗଜ କଲମରେ ଲେଖିବେ ଏବଂ ନିର୍ଧାରିତ ସମୟରେ ଉତ୍ତର ଲେଖିସାରି ନିରୀକ୍ଷକଙ୍କ ନିକଟକୁ ଫୋଟୋ କପି ପଠାଇବେ । ସମ୍ପୂର୍ଣ ପରୀକ୍ଷାକୁ ନିରୀକ୍ଷକ ତଦାରଖ କରିବେ । କୌଣସି ପରୀକ୍ଷାର୍ଥୀଙ୍କର କୌଣସି ଅସୁବିଧା ହେଲେ ସେମାନେ ସଂଗେ ସଂଗେ ଅନୁଷ୍ଠାନ ପକ୍ଷରୁ ଦିଆଯାଇଥିବା ହେଲ୍ପ ଡେସ୍କ ନମ୍ବରରେ କଲ କରିପାରିବେ । ଏସବୁ ପ୍ରକ୍ରିୟା ନିର୍ଦ୍ଧିଷ୍ଟ ସମୟରେ ହେଉଥିବାରୁ ଏହା ସ୍ୱଚ୍ଛ ହୋଇପାରିଛି ବୋଲି କହିଛନ୍ତି ଆଇଆଇଟି ନିର୍ଦେଶକ ।

ଗତ ବର୍ଷ ମାର୍ଚ୍ଚ ୨୦୨୦ ରେ, ଲକଡାଉନ୍ ଘୋଷଣା ହେବା ପୂର୍ବରୁ ଅନୁଷ୍ଠାନ ନିରନ୍ତର ଭାବେ ଅନଲାଇନ ଶିକ୍ଷା ଛାତ୍ରଛାତ୍ରୀଙ୍କୁ ଦିଆଯାଇଥିଲା ଏବଂ କାଗଜ, କଲମରେ ପରୀକ୍ଷା କରିବା ପାଇଁ ଅନୁଷ୍ଠାନ ଏକ ନିଆରା ଏବଂ ଅଭିନବ ଅନଲାଇନ ପଦ୍ଧତି ମଧ୍ୟ ବିକଶିତ କରିଥିଲା । ଅଧ୍ୟାପକଙ୍କୁ ତାଲିମ ଦିଆଯାଇଥିଲା ଏବଂ ଶେଷ ସେମିଷ୍ଟାର ପରୀକ୍ଷା କରିବା ପାଇଁ ସଫଳତାର ସହିତ ପ୍ରୟୋଗ କରିଥିଲା । ଯାହା ଫଳରେ ପରିସ୍ଥିତି ସହ ସାଲିସ ନକରି ଅନୁଷ୍ଠାନ ନିଜର ୨୦୨୦-୨୧ ଶିକ୍ଷାବର୍ଷର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଶେଷ କରିପାରିଛି ।

କୋଭିଡକୁ ମୁକାବିଲା କରିବା ପାଇଁ ଭୁବନେଶ୍ୱର ଆଇ ଆଇ ଟି ଅନେକ ଉତ୍ପାଦ ପରିଚାଳନା କରିଥିଲା ଏବଂ ସଫଳତାର ସହ ବିକଶିତ କରିଥିଲା, କୋଭିଡ ପ୍ରତିରୋଧ ପାଇଁ ମାସ୍କର ଫଳପ୍ରଦତା ଉପରେ ଏକ ଅଧ୍ୟୟନ କରିଥିଲା ଏବଂ ଡ୍ରଗ୍ ରିପର୍ପୋଜିଂ ଏବଂ ଡ୍ରଗ୍ ଇନହିବିଟର ଉପରେ ଗବେଷଣା କରିଥିଲା । ମହାମାରୀ ସମୟରେ ଏହାର ପ୍ରଦର୍ଶନ ପାଇଁ ଅନୁଷ୍ଠାନକୁ FICCI ଦ୍ୱାରା ୟୁନିଭର୍ସିଟି ଅଫ୍ ଦି ଇୟର ପୁରସ୍କାରରେ ସମ୍ମାନିତ କରାଯାଇଛି ।