ମାଷ୍ଟରକ୍ୟାଂଟିନ୍ ଛକରୁ ହଟିବନି ଘୋଡ଼ା : ସୂଚନା ଦେଲେ ବିଏମସି କମିଶନର; କହିଲେ ସରକାରୀସ୍ତରରେ ହୋଇଛି ଆଲୋଚନା

102

କନକ ବ୍ୟୁରୋ : କନକ ନ୍ୟୁଜରେ ଖବର ପ୍ରସାରଣର ପ୍ରଭାବ । ମାଷ୍ଟର କ୍ୟାଂଟିନ୍ ଛକରୁ ହଟିବନି ଘୋଡା । ଏନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ସଂଜୟ ସିଂହ । ସରକାରୀ ସ୍ତରରେ ଏନେଇ ଆଲୋଚନା କରାଯାଇଛି । ଏପରିକି ଡିଜାଇନରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ବିଏମସି କମିଶନର କହିଛନ୍ତି । ସ୍ମାର୍ଟ ସିଟି ପ୍ରକଳ୍ପ କାରଣରୁ ଘୋଡା ହଟାଇବା ଆବଶ୍ୟକ ପଡୁଛି ଜାଣିବା ପରେ ମୁଖ୍ୟମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିିଥିଲେ ।

ଏହା ପରେ ଏକ ଉଚ୍ଚସ୍ତରୀୟ ବୈଠକରେ ଘୋଡା ନହଟାଇବା ପାଇଁ ନିଷ୍ପତ୍ତି ହୋଇଛି । ଏପରିକ ଘୋଡ଼ା ଥିବା ସ୍ଥାନକୁ ଆକର୍ଷଣୀୟ ଡିଜାଇନ୍ କରାଯିବ । ଯେପରି ଏହା ଓଡ଼ିଶାର ଏକ ସ୍ମାରକୀ ଭଳି ପ୍ରତିଫଳିତ ହେବ । ଓଡ଼ିଶାର ଅସ୍ମିତା ସହ ଏହି ଘୋଡା ଯୋଡି ହୋଇଯାଇଥିବାରୁ ସ୍ମାର୍ଟ ସିଟିର ଅନ୍ୟତମ ଆକର୍ଷଣୀୟ ପ୍ରକଳ୍ପ ତାଲିକାରେ ରହିବ । ଭୁବନେଶ୍ୱର ମାଷ୍ଟର କ୍ୟାଂଟିନ୍ ଛକରେ ଥିବା ଯୋଦ୍ଧା ଘୋଡାର ମୂର୍ତିକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ରାଜ୍ୟ ସଂସ୍କୃତି ବିଭାଗର ଷ୍ଟାଚ୍ୟୁ କମିଟି ଅନୁମୋଦନ କରିଥିଲା । ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ।