କନକ ବ୍ୟୁରୋ : ଖୁବ୍ ଶୀଘ୍ର ରାଜଧାନୀରେ ଆଉ ଦୁଇଟି ଶ୍ମଶାନ କାର୍ଯ୍ୟକ୍ଷମ କରାଯିବ ବୋଲି ଆଜି ଭୁବନେଶ୍ୱର ମହାନଗର ନିଗମ କମିସନର୍ ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦୁଇଟି ଶ୍ମଶାନ ମଧ୍ୟରୁ ପଟିଆ ଅଞ୍ଚଳରେ ହେବାକୁ ଥିବା ଶ୍ମଶାନଟି ବାଷ୍ପ-ଭିତ୍ତିକ ଏବଂ ଖଣ୍ଡଗିରି ଅଞ୍ଚଳରେ ହେବାକୁ ଥିବା ଶ୍ମଶାନଟି ବୈଦ୍ୟୁତିକ। ଗୋଟିଏ ମାସ ମଧ୍ୟରେ ଏହି ଦୁଇଟି ଶ୍ମଶାନର କାର୍ଯ୍ୟ ଶେଷ ହେବ। ସମ୍ପ୍ରତି ସହରର ସତ୍ୟ ନଗରରେ ଥିବା ଏକମାତ୍ର ଶ୍ମଶାନରେ ଦୈନିକ ପ୍ରାୟ ୨୫ଟି ଶବ ସତ୍କାର କରାଯାଉଛି।
କୋଭିଡ୍-୧୯ଜନିତ ମୃତ ବ୍ୟକ୍ତିମାନଙ୍କ ଶବ ମଧ୍ୟ ସତ୍ୟ ନଗର ମଶାଣିରେ ସତ୍କାର କରାଯାଉଥିବାରୁ ସ୍ଥାନୀୟ ବାସିନ୍ଦାମାନେ ବଡ଼ ଅସ୍ୱାସ୍ଥ୍ୟକର ପରିସ୍ଥିତିରେ ଜୀବନଯାପନ କରୁଥିବା କଥା ଅଭିଯୋଗ କରିଛନ୍ତି। ଅସନ୍ତୋଷ ବ୍ୟକ୍ତ କରିବା ଓ ଭୁବନେଶ୍ୱରମହାନଗର କମିସନର୍ଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ସେମାନେ ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ପ୍ରଦର୍ଶନ ମଧ୍ୟ କରିଥିଲେ।
ମହାମାରୀ ଯୋଗୁଁ ଏବେ ଅଧିକ ସଂଖ୍ୟକ ଶବ ସତ୍ୟ ନଗର ଶ୍ମଶାନକୁ ସତ୍କାର ନିମନ୍ତେ ଅଣାଯାଉଛି। ସ୍ଥାନୀୟ ବାସିନ୍ଦାଙ୍କ ଅସନ୍ତୋଷ ଏବଂ ସତ୍ୟ ନଗର ଶ୍ମଶାନର ଚାପ ପ୍ରତି ଧ୍ୟାନ ଦେଇ ଭୁବନେଶ୍ୱର ମହାନଗର ନିଗମ ଆଉ ଦୁଇଟି ଶ୍ମଶାନ ସ୍ଥାପନ କରିବାକୁ ସ୍ଥିର କରିଥିବା କଥା ଜଣେ ସରକାରୀ ଅଧିକାରୀ କହିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/crematorium.jpg)