କନକ ବ୍ୟୁରୋ: କିଛି ଘଂଟାର ବର୍ଷା ପରେ ଭୁବନେଶ୍ୱରର ଚିତ୍ର ପୂରା ଭିନ୍ନ ହୋଇଗଲା । ରାଜଧାନୀ ରାଜରାସ୍ତାରେ ଲହଡ଼ି ମାରୁଥିଲା ପାଣି । ଏହି ଚିତ୍ର ହିଁ ପ୍ରମାଣ କରୁଛି, ବର୍ଷା ପାଇଁ କେତେ ପ୍ରସ୍ତୁତ ଅଛି ବିଏମସି । କାଁ ଭାଁ ଗୋଟିଏ କିମ୍ବା ଦୁଇଟି ସ୍ଥାନ ନୁହେଁ । ବରଂ ଭୁବନେଶ୍ୱର ସହରର ଅନେକ ସ୍ଥାନରେ ଜଳ ନିଷ୍କାସନର ବନ୍ଦୋବସ୍ତ ନଥିବାରୁ ଠପ୍ ହୋଇଯାଇଛି ଜୀବନ ଯାତ୍ରା ।
ପୁରୁଣା ଭୁବନେଶ୍ୱରର ମାଉସୀ ମା’ ଛକରୁ ଲିଙ୍ଗରାଜ ମନ୍ଦିର ରାସ୍ତାରେ ଜମି ରହିଛି ପାଣି । । ଜଳ ନିଷ୍କାସନରେ ସମସ୍ୟା ଥିବାରୁ ରାସ୍ତା ଉପରେ ଘଂଟା ଘଂଟା ଧରି ପାଣି ଜମି ରହିଥିଲା । ସେହିପରି କଳ୍ପନା ଛକକୁ ଏଜି ଛକକୁ ସଂଯୋଗ କରୁଥିବା ରାସ୍ତାରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଛି । ରାସ୍ତା ଉପରେ ପାଦେ ପାଣି ଚାଲୁଥିବାରୁ ଯାତାୟତ କରିବା ଏକ ପ୍ରକାର ଠପ୍ ହୋଇଯାଇଥିଲା । ଆଉ ରସୁଲଗଡ଼ରୁ କଳ୍ପନାକୁ ସଂଯୋଗ କରୁଥିବା ରାସ୍ତାରେ ପାଣି ଜମି ରହିବା କାରଣରୁ, ଗୋଟିଏ ରାସ୍ତାକୁ ବନ୍ଦ କରିବାକୁ ପଡ଼ିଥିଲା । ଫଳରେ କଳ୍ପନାରୁ ରସୁଲଗଡ଼କୁ ଆସୁଥିବା ଯାତ୍ରୀ ବାଧ୍ୟ ହୋଇ ଫ୍ଲାଏ ଓଭର ଦେଇ ଯାତାୟତ କରୁଥିଲେ । ଶିଶୁ ଭବନ ଛକରେ ବି ସମାନ ଚିତ୍ର ଦେଖିବାକୁ ମିଳିଥିଲା ।
ଭୁବନେଶ୍ୱରରେ ସୃଷ୍ଟି ହୋଇଥିବା ଜଳ ନିଷ୍କାସନର ସମସ୍ୟାକୁ ନେଇ ବିଏମସିକୁ ଟାର୍ଗେଟ୍ କରିଛି ବିଜେପି । ବର୍ଷା ପାଇଁ ବିଏମସି କେତେ ପ୍ରସ୍ତୁତ ଏହି ଘଟଣା ପଦାରେ ପକାଇ ଦେଇଛି ବୋଲି କହିଛନ୍ତି ବାବୁ ସିଂ । ଏପଟେୱାର୍ଟର ଲଗିଂ ସ୍ଥିତିର ଅନୁଧ୍ୟାନ କରିଛନ୍ତି ଭୁବନେଶ୍ୱର ମେୟର । କହିଛନ୍ତି-ନିମାଣ କାମ ଚାଲିଥିବାରୁ କିଛି ସ୍ଥାନରେ ଜଳ ନିଷ୍କାସନରେ ସମସ୍ୟା ହୋଇଛି । ଏହି ସମସ୍ୟାର ସମାଧାନ ପାଇଁ ବିଏମସି ଉଦ୍ୟମ କରୁଛି । ରାଜନୀତିର ଏହି ବୟାନବାଜି ଭିତରେ, ଗୋଟିଏ କଥା ସ୍ପଷ୍ଟ । କେବଳ ଥାଉଁ ଥାଉଁ ବ୍ୟବସ୍ଥା ନକଲେ, ଭୁବନେଶ୍ୱର ହାଲ୍ ବେହାଲ୍ ନହୋଇଯିବ ସେକଥା କିଏ କହିବ ।
Follow Us