କନକ ବ୍ୟୁରୋ : ରାଜଧାନୀବାସୀଙ୍କ ପାଇଁ ବଡ ଖବର । ଭୁବନେଶ୍ୱର ଉପକଣ୍ଠ ଭଗବାନପୁରକୁ ସ୍ଥାନାନ୍ତରିତ ହେବ ୟୁନିଟ ୧ ପରିବା ହୋଲସେଲ ମାର୍କେଟ । ସେଠାରେ ପରିବା ହୋଲସେଲ ମାର୍କେଟ ଲାଗି ଶୀତଳଭଣ୍ଡାର ଠାରୁ ଆରମ୍ଭ କରି ସବୁ ପ୍ରକାର ଅତ୍ୟାଧୁନିକ ସୁବିଧା ସୁଯୋଗ ଓ ଭିତ୍ତିଭୂମି ରହିବ । ଏଥିଲାଗି ଭଗବାନପୁରରେ ଚିହ୍ନଟ ହୋଇଛି ୧୦ ଏକର ଜମି । ସହର ଭିତରେ ଗହଳି କମାଇବା ସହ ଟ୍ରାଫିକ ସମସ୍ୟା ଦୂର ପାଇଁ ନିଆଯାଇଛି ଏ ନିଷ୍ପତ୍ତି । ଏଥିଲାଗି ଆଜି ବିଏମସି ଅଫିସରେ ବସିଥିଲା ପ୍ରାରମ୍ଭିକ ବୈଠକ । ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ବିଏମସି ଅତିରିକ୍ତ କମିଶନର ବିନୟ କୁମାର ଦାସ ।

Advertisment

ଅନ୍ୟପଟେ ୟୁନିଟ-୧ ପରିବା ମାର୍କେଟ ସ୍ଥାନାନ୍ତରଣ ନିଷ୍ପତ୍ତିକୁ ସ୍ୱାଗତ କରିଛି ଭୁବନେଶ୍ୱର ପରିବା ବ୍ୟବସାୟୀ ମହାସଂଘ । ମାର୍କେଟ ସ୍ଥାନାନ୍ତର ପାଇଁ ପୂର୍ବରୁ ଦାବି ହୋଇ ଆସୁଥିଲା । ମାତ୍ର ୪ ଏକର ଜମିରେ ଏବେ ଏହି ମାର୍କେଟ ଥିବାରୁ ବିଭିନ୍ନ ସମସ୍ୟା ଦେଖା ଦେଉଥିଲା । ଯେହେତୁ ପ୍ରତିଦିନ ଏଠାକୁ ରାଜ୍ୟ ବାହାରୁ ୨୦୦ରୁ ଅଧିକ ଟ୍ରକ ଆସୁଥିଲା, ତେଣୁ ପରିବା ନେବା ଆଣିବାରେ ଅସୁବିଧା ଦେଖା ଦେଉଥିଲା । ଯେଉଁଥିପାଇଁ ପରିବା ହୋଲସେଲ ମାକେର୍ଟକୁ ସ୍ଥାନାନ୍ତର କରିବାକୁ ଦାବି ହେଉଥିଲା ।
ଏବେ ୟୁନିଟ-୧ ପରିବା ମାର୍କେଟରେ ୪୯ ଜଣ ହୋଲସେଲ ବ୍ୟବସାୟୀ ଅଛନ୍ତି ।

ତେଣୁ ଭଗବାନପୁରରେ ସମସ୍ତ ହୋଲସେଲ ଦୋକାନୀଙ୍କ ପାଇଁ ଦୋକାନ ଗୃହ କରିବା ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେଲେ ସ୍ଥାନାନ୍ତରଣରେ କୌଣସି ଅସୁବିଧା ଦେଖାଦେବନି ବୋଲି ବ୍ୟବସାୟୀ ମହାସଂଘ ପକ୍ଷରୁ କୁହାଯାଇଛି । ଯେହେତୁ ସହର ଉପକଣ୍ଠକୁ ପରିବା ହୋଲସେଲ ମାର୍କେଟ ଉଠିଯିବ ତେଣୁ ସହରର ଗହଳି ମଧ୍ୟ କିଛି ମାତ୍ରାରେ କମ ହୋଇଯିବ ।