କନକ ବ୍ୟୁରୋ : ଶିଶୁପାଳଗଡ଼ ହିଂସାକାଣ୍ଡ ପରେ ଚେତିଲା କମିଶନରେଟ ପୋଲିସ । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ସିସିଟିଭି ସର୍ଭିଲେନ୍ସରେ ରହିବ ଭୁବନେଶ୍ୱର । ଅପରାଧୀଙ୍କୁ ଧରିବା ସହ ଅପରାଧ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସ ନୂଆ ରଣନୀତି ଆପଣାଇଛି । ରାଜଧାନୀରେ ଥିବା ବିଭିନ୍ନ ସୁନା ଦୋକାନ, ସପିଂ ମଲ ଓ ବଡ଼ ବଡ଼ ଦୋକାନ ସହ ଯୋଡ଼ି ହେବ କମିଶନରେଟ ପୋଲିସ । ଏହି ସବୁ ଦୋକାନ ଓ ମଲ ଗୁଡିକରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜ କମିଶନରେଟ ପୋଲିସର ସେଂଟ୍ରାଲ କଂଟ୍ରୋଲ ରୁମ ସହ ସେୟାର ହେବ । ଅପରାଧୀକୁ ଧରିବା ଓ ଅପରାଧ ରୋକିବା କ୍ଷେତ୍ରରେ ଏହା ବେଶ ସହାୟକ ହେବ । ଏହାସହ ଦୋକାନ ଗୁଡିକରେ ଲାଗିଥିବା କ୍ୟାମେରା ମଧ୍ୟରୁ ଅତ୍ୟନ୍ତ ଗୋଟିଏ କ୍ୟାମେରା ରାସ୍ତା ଆଡକୁ ରଖିବା ପାଇଁ ଅନୁରୋଧ କରାଯାଇଛି । କ୍ୟାମେରା ରାସ୍ତା ଆଡକୁ ରହିଲେ ଲୋକଙ୍କ ଗତିବିଧି ଉପରେ ନଜର ରଖିବାକୁ ସୁବିଧା ହେବ । ସିସିଟିଭିର ଆଇପି ଆଡ୍ରେସ ପୋଲିସ ସହ ସେୟାର କରିବାକୁ କୁହାଯାଇଛି । ଏବଂ ସିସିଟିଭିର ତଥ୍ୟ ଗୋପନୀୟ ରଖାଯିବ ବୋଲି କୁହାଯାଇଛି ।