କନକ ବ୍ୟୁରୋ: କରୋନା ଭୟ ଭିତରେ ପ୍ରାୟ ୫୦ ଦିନ ଧରି ଅଟକି ଯାଇଥିବା ଭାରତର ଜୀବନ ରେଖା ପୁଣି ଆଜିଠାରୁ ଗଡିବ । ଆରମ୍ଭ ହେବ ରେଳବାଇର ଯାତ୍ରୀ ସେବା । ତାଲାବନ୍ଦ ଯୋଗୁଁ ଫସି ରହିଥିବା ଲୋକେ ନିଜ ନିଜ ରାଜ୍ୟକୁ ଯାଇପାରିବେ । ପ୍ରଥମ ପର୍ଯ୍ୟାୟରେ ନୂଆଦିଲ୍ଲୀରୁ ଦେଶର ୧୫ଟି ପ୍ରମୁଖ ସହରକୁ ଗଡିବ ଟ୍ରେନ୍ । ଦିବ୍ରୁଗଡ଼, ଅଗରତାଲା, ହାୱଡା, ରାଜେନ୍ଦ୍ର ନଗର, ବିଲାସପୁର, ରାଂଚି, ଭୁବନେଶ୍ୱର, ସିକନ୍ଦରାବାଦ, ବେଙ୍ଗାଲୁର, ଚେନ୍ନାଇ, ଥିରୁଅନ୍ତପୁରମ୍, ମଡଗାଂଓ, ମୁମ୍ବାଇ, ଅହମ୍ମଦାବାଦ ଓ ଜମ୍ମୁକୁ ନୂଆ ଦିଲ୍ଲୀରୁ ଟ୍ରେନ ଯିବ ଓ ସେହି ସହରଗୁଡିକରୁ ଦିଲ୍ଲୀକୁ ଟ୍ରେନ ଫେରିବ । ହେଲେ ୧୩ତାରିଖରୁ ଅର୍ଥାତ ଆସନ୍ତାକାଲିଠାରୁ ଭୁବନେଶ୍ୱରରୁ ଦିଲ୍ଲୀକୁ ଗଡିବ ଟ୍ରେନ ।
ସେହିପରି ୧୪ ତାରିଖରେ ନୂଆଦିଲ୍ଲୀରୁ ପ୍ରଥମ ଟ୍ରେନ ଭୁବନେଶ୍ୱର ଆସିବ । ଏହି ଟ୍ରେନ ବାଲେଶ୍ୱର, ଖଡଗପୁରର ହିଜିଳି, ଟାଟା, ବୋକାରୋ ଏବଂ କାନପୁରରେ ଅଟକିବ । ଆସନ୍ତକାଲି ଭୁବନେଶ୍ୱରରୁ ଦିଲ୍ଲୀ ଯିବାକୁ ଥିବା ସ୍ୱତନ୍ତ୍ର ଟ୍ରେନ୍ ପାଇଁ ସବୁ ଟିକେଟ୍ ବୁକିଂ ସରିଛି । ସାଧାରଣ ଯାତ୍ରୀଙ୍କ ପାଇଁ ବ୍ୟବସ୍ଥା ହୋଇଥିବା ଏହି ସ୍ୱତନ୍ତ୍ର ଟ୍ରେନ୍ ପାଇଁ ଗତକାଲି ୪ଟାରେ ବୁକିଂ ଆରମ୍ଭ ହୋଇଥିଲା । ତେବେ ଏତେ ସଂଖ୍ୟାରେ ଲୋକ ଆଇଆର୍ସିଟିସିର ୱେବ୍ସାଇଟ୍ ଖୋଲିଲେ ଯେ, ୱେବ୍ସାଇଟ୍ଟି ପ୍ରଥମେ ହ୍ୟାଙ୍ଗ୍ କରିଯାଇଥିଲା । ଫଳରେ ୪ଟାରେ ବୁକିଂ ଆରମ୍ଭ ହେବା ପରିବର୍ତେ ସନ୍ଧ୍ୟା ୬ଟାରେ ଟିକେଟ୍ ବୁକିଂ ଆରମ୍ଭ ହୋଇଥିଲା । ହେଲେ, ମାତ୍ର ଗୋଟିଏ ଘଂଟାରେ ଆସନ୍ତାକାଲିର ସବୁ ଟିକେଟ୍ ବୁକିଂ ହୋଇଯାଇଥିଲା ।