ଭୁବନେଶ୍ୱରରୁ ସୁରତକୁ ସିଧା ଉଡିଲା ବିମାନ । ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଯାତ୍ରୀଙ୍କୁ ନେଇ ସୁରତ ଗଲା ଏ-୩୨୧ ଏଆଇ ବିମାନ । ସପ୍ତାହକୁ ୪ ଦିନ କରିବ ଚଳାଚଳ

244

କନକ ବ୍ୟୁରୋ: ଆଜିଠାରୁ ଭୁବନେଶ୍ୱରରୁ ସୁରତକୁ ସିଧା ବିମାନ ସେବା ଆରମ୍ଭ ହୋଇଛି । ଏହି ରୁଟରେ ସପ୍ତାହରେ ୪ ଦିନ ବିମାନ ଚଳାଚଳ କରିବ । ପ୍ରତି ସୋମବାର ଓ ଗୁରୁବାର ଭୁବନେଶ୍ୱରରୁ ବିମାନ ଉଡାଣ କରି ସୁରତକୁ ଯିବ । ସେହିଭଳି ପ୍ରତି ଶୁକ୍ରବାର ଓ ରବିବାର ସୁରତରୁ ଉଡାଣ କରିବ । ଏହି ବିମାନ ଭୁବନେଶ୍ୱର, ସୁରତ ସମେତ ବେଙ୍ଗାଲୁରୁ ଯିବ । ଆଜିର ବିମାନରେ ସାଂସଦ ଅପରାଜିତା ଷଡଙ୍ଗୀ ସୁରତ ଯାଇଛନ୍ତି । ପ୍ରତି ସୋମବାର ଓ ଗୁରୁବାର ସକାଳ ୮ଟା ୪୦ରେ ଭୁବନେଶ୍ୱର ବିଜୁପଟ୍ଟନାୟକ ଏୟାରପୋର୍ଟରୁ ବିମାନ ଉଡାଣ ଭରିବ ଏବଂ ସକାଳ ୧୦ଟା ୪୦ରେ ସୁରତ ଏୟାରପୋର୍ଟରେ ପହଂଚିବ ।

 

ସେହିଭଳି ସୁରତରୁ ପ୍ରତି ଶୁକ୍ରବାର ଓ ରବିବାର ସକାଳ ୮ଟା ୩୦ରୁ ଉଡାଣ ଭରିବ । ଆଉ ସେହିଦିନ ସାଢେ ୧୦ଟାରେ ଭୁବନେଶ୍ୱରରେ ପଂହଚିବ । ଏବେ ଭୁବନେଶ୍ୱରରୁ ଭାୟା ନୂଆଦିଲ୍ଲୀ ଦେଇ ସୁରତକୁ ବିମାନ ଚଳାଚଳ କରୁଛି । ବର୍ତ୍ତମାନ ସୁରତକୁ ସିଧା ବିମାନ ଯିବା ପରେ ଟିକେଟ ମୂଲ୍ୟ ୪ରୁ ୫ ହଜାର ଟଙ୍କା ଭିତରେ ରହିବ । ଭୁବନେଶ୍ୱରରୁ ସୁରତକୁ ବିମାନସେବା ଲାଗି ଦୀର୍ଘଦିନ ଧରି ଦାବି ହେଉଥିଲା । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ବେସାମିରକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ବିମାନସେବା ଆରମ୍ଭ ନେଇ ଗତମାସ ଅକ୍ଟୋବର ମାସରେ ଘୋଷଣା ହୋଇଥିଲା । ଜାନୁଆରୀ ପହିଲାରେ ଏହି ସେବା ଆରମ୍ଭ ହୋଇଥିଲେ ବି ଏହା ବିଳମ୍ବିତ ହୋଇ ଆଜି ଆରମ୍ଭ ହୋଇଛି ।