ଚାକିରି କିରାଣି, ହେଲେ ଧନରେ କୁବେର । ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ସବ କଲେକ୍ଟର ଅଫିସର କୋଟିପତି କିରାଣୀ ଉଦୟ ନାଥ ଜେନା 

1,083

କନକ ବ୍ୟୁରୋ : କିରାଣୀଙ୍କ ଦରମା ୫୦ ହଜାର । କିନ୍ତୁ କୋଟି କୋଟି ଟଙ୍କାର ମାଲିକ । କୁଆଡୁ ଆସିଲା ଏହି ସମ୍ପତି ସେନେଇ ଖୋଳତାଡ କରୁ କରୁ ଭିଜଲାନ୍ସର ନିଦ ହଜିଯାଇଛି । କିରାଣୀଙ୍କ ନାଁରେ ରହିଛି ୭ଟି ଜମି ଏବଂ ଲକ୍ଷାଧିକ ଟଙ୍କା । ଅନ୍ୟପକ୍ଷରେ ଏହି କିରାଣୀଙ୍କ ସଫେଇ ହେଲା, ଯିଏ ଯାହା ଦେଲା ସେ ତାକୁ ରଖିନିଅନ୍ତି । ଭୁବନେଶ୍ୱର ଉପଜିଲ୍ଲାପାଳଙ୍କ ଅଫିସରେ କାମ କରୁଥିବା ଏହି କିରାଣୀଙ୍କ କଳା କାରନାମା ପର୍ଦ୍ଦାଫାଶ ହୋଇଛି ।

କୋଟିପତି କିରାଣି ଉଦୟନାଥ ଜେନା । ମାସିକ ଦରମା ୫୦ ହଜାର । ହେଲେ ଖର୍ଚ୍ଚ ୧୦୦ ପ୍ରତିଶତରୁ ଅଧିକ । କିରାଣୀଙ୍କୁ ଭିଜଲାନ୍ସ ଅଫିସକୁ ନେଇ ଘନ ଘନ ଜେରା କରୁଛନ୍ତି ଅଫିସର । ଅମାପ ସମ୍ପତିର ମାପ କରୁଥିବା ଭିଜଲାନ୍ସ ଅଧିକାରୀ ବି ତାଜୁବ । ତଦନ୍ତକାରୀ ସଂସ୍ଥା ଜାଣିବାକୁ ପାଇଛି, ଏହି କିରାଣୀଙ୍କର ଭୁବନେଶ୍ୱରରେ ୭ଟି ଜମି ରହିଛି । ପୁରୀ ଏବଂ ଭୁବନେଶ୍ୱରରେ ଉଚ୍ଚ ଅଟାଳିକା ରହିଛି । ବ୍ୟାଙ୍କ ଆକାଉଂଟରୁ ୧୦ଲକ୍ଷ ଟଙ୍କା, ସୁନାଗହଣା, ପୋଷ୍ଟଅଫିସ, ଜୀବନ ବିମା, ନଗଦ ଟଙ୍କା, ଜମି କାଗଜପତ୍ର ଦଲିଲ ଆଦି ଅମାପ ସମ୍ପତିକୁ ନେଇ ଖୋଳତାଡ ଚାଲିଛି ।

ତେବେ ଜଣେ କିରାଣି ହୋଇ ରାତାରାତି କିପରି କୋଟିପତି ହେଲେ ତାହା ସମସ୍ତଙ୍କୁ ଚକିତ କରିଦେଇଛି । ଭୁବନେଶ୍ୱର ଉପଜିଲ୍ଲାପାଳଙ୍କ ଅଫିସରେ କାମ କରୁଥିବା ଏହି କିରାଣୀ ନାଁରେ ଭିଜଲାନ୍ସରେ ୨ଶହରୁ ଅଧିକ ଅଭିଯୋଗ ହେବା ପରେ ବଡିଭୋରରୁ ଉଦୟନାଥଙ୍କ ଘରେ ଛାପା ମାରିଛି ଭିଜଲାନ୍ସର ସ୍ୱତନ୍ତ୍ର ଟିମ । ତଦନ୍ତ ଆରମ୍ଭରୁ ଦୁର୍ନୀତିର ଗନ୍ଧ ବାରି ହେଉଥିବା ସ୍ପଷ୍ଟ କରିଛନ୍ତି ଭିଜଲାନ୍ସ ଅଧିକାରୀ ।

ଉଦୟନାଥ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ମାନିଯାଇଛନ୍ତି । କହିଛନ୍ତି, ସେ କାହାଠାରୁ ଜୋରଜବରଦସ୍ତି ଟଙ୍କା ନିଅନ୍ତି ନାହିଁ । ଯିଏ ଯାହା ଖୁସିରେ ଦେଲା ସେ ରଖିଦିଅନ୍ତି । ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଉଦୟନାଥଙ୍କ ଭୁବନେଶ୍ୱର ସ୍ଥିତ ସୁନ୍ଦରପଦା ଘର,କେନ୍ଦ୍ରାପଡା ରାଜନଗର ସ୍ଥିତ ଘର ଏବଂ ସରକାରୀ କାର୍ଯ୍ୟାଳୟରେ ବଡିଭୋରରୁ ଏକକାଳୀନ ରେଡ କରି ତଦନ୍ତ ଜାରି ରଖିଛି ଭିଜଲାନ୍ସ ।