କନକ ବ୍ୟୁରୋ: କିଛି ସମୟ ଧରି ଅଚଳ ହୋଇପଡ଼ିଲା ରାଜଧାନୀର ରାଜରାସ୍ତା । ବାଣୀବାହାରରୁ ରାଜମହଲ ଛକ ପର୍ଯ୍ୟନ୍ତ ନାହିଁ ନଥିବା ଭିଡ଼ । ଅଟକି ରହିଥିଲା ଗାଡ଼ି-ମଟର । ହଂସପାଳଠାରୁ ଆରମ୍ଭ ହୋଇ ଯାଇଥିଲା ଟ୍ରାଫିକ୍ ଜାମ । ଯାତ୍ରୀଙ୍କୁ ଧରି ମୋ ବସଗୁଡିକ ଲମ୍ବା ଲାଇନ କରି ଘଂଟା ଘଂଟା ଛିଡ଼ା ହୋଇଥିଲା । ପୂରା ରାସ୍ତାକୁ କବଜାକୁ ନେଇ ଯାଇଥିଲେ ରାଜ୍ୟର ହଜାର ହଜାର ଡ୍ରାଇଭର । ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲା ଓଡ଼ିଶା ଡ୍ରାଇଭର ମହାସଂଘ । ଲାଗୁଥିଲା, ଯେପରି ପୁଲିସ ପାଖରେ ଏ ନେଇ କିଛି ଖବର ନଥିଲା, ଏବଂ ସେଥିପାଇଁ ପ୍ରସ୍ତୁତ ବି ନଥିଲା । ଆଉ ହଠାତ୍ ହଜାର ହଜାର ଡ୍ରାଇଭର ରାଜଧାନୀକୁ ଜାମ୍ କରି ଦେଇଥିଲେ ।
ଓଡ଼ିଶା ଡ୍ରାଇଭର ମହାସଂଘର ଦାବି ହେଉଛି
କୋଭିଡ ଯୋଦ୍ଧାର ସମ୍ମାନ ଦିଆଯିବା ସହ ଭତ୍ତା ଦିଆଯାଉ
ଡ୍ରାଇଭରଙ୍କ ଲାଇସେନ୍ସ ୨୫ ବର୍ଷରେ ରଦ୍ଦ ହେବା ନିୟମକୁ ବଦଳାଯାଉ
ଡ୍ରାଇଭରଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେଉ
ଦୁର୍ଘଟଣାରେ ମୃତ୍ୟୁ ହେଲେ ଡ୍ରାଇଭରଙ୍କ ପରିବାରକୁ ୨୦ ଲକ୍ଷ
ଆହତଙ୍କୁ ୧୦ ଲକ୍ଷ ଟଙ୍କାର ବୀମା ବ୍ୟବସ୍ଥା କରାଯାଉ
ପିଲାମାନଙ୍କୁ ଉଚ୍ଚଶିକ୍ଷା ପାଇଁ ବ୍ୟବସ୍ଥା
୫୫ ବର୍ଷରେ ପେନସନ ଦେବାକୁ ଦାବି
କିଛି ଦିନ ତଳେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବିରେ ବିଜେପି ମହିଳା ମୋର୍ଚ୍ଚା କରିଥିଲା ରାଲି । ଆଉ ଆଜି ହେଉଛି ଡ୍ରାଇଭର ମହାସଂଘର ଆନ୍ଦୋଳନ । ଖାକି ପୋଷାକ ପିନ୍ଧି, ହାତରେ ଠେଙ୍ଗା ଧରି ପଦଯାତ୍ରା କରୁଛନ୍ତି ଶହ ଶହ ଡ୍ରାଇଭର । ବିଜେପି ମହିଳା ମୋର୍ଚ୍ଚାର ରାଲିକୁ ଆଗକୁ ନବଢ଼ିବା ପାଇଁ ରାଜଧାନୀରେ ପୁଲିସ ଛାଉଣୀ ଦେଖିବାକୁ ମିଳିଥିଲା ।
ପ୍ରତି ଛକରେ ବ୍ୟାରିକେଡ୍ । କଡ଼ା କଡ଼ି ହେଉଥିଲା ଯାଂଚ । ହେଲେ ଡ୍ରାଇଭରଙ୍କ ପଦଯାତ୍ରାରେ ରାଜ୍ୟର ୩୦ ଜିଲ୍ଲାର ଡ୍ରାଇଭର ସାମିଲ ହୋଇଥିଲେ । ୯ଦିନର ଯାତ୍ରା ପରେ ଭୁବନେଶ୍ୱରରେ ପହଁଚିଥିଲେ ଆନ୍ଦୋଳନକାରୀ । ଏହା ସ୍ୱତ୍ୱେ କିଛି ବି ପୂର୍ବ ପ୍ରସ୍ତୁତି ନଥିଲା କମିସନରେଟ୍ ପୁଲିସର । ଏହା ସମସ୍ତଙ୍କୁ ଯେତିକି ଆଶ୍ଚର୍ଯ୍ୟ କରିଥିଲା, ମନରେ ସେତିକି ପ୍ରଶ୍ନ ମଧ୍ୟ ସୃଷ୍ଟି କରିଥିଲା ।