ଭୁବନେଶ୍ୱର ରହସ୍ୟମୟ ଛୁରାମାଡ ଘଟଣା : ଗିରଫ ହେଲେ ରୂପେଶ ପଣ୍ଡା

ଲୁଟ ଉଦ୍ୟମ ପାଇଁ ୩୯୩ ଓ ହତ୍ୟା ଉଦ୍ୟମ ପାଇଁ ଲାଗିଲା ୩୦୭ ଦଫା; ଲୁଟ ପାଇଁ ରୂପେଶ ଯୁବତୀ ବେଶରେ ଆସିଥିବା ଧୀରେ ଧୀରେ ହେଉଛି ସ୍ପଷ୍ଟ

166

କନକ ବ୍ୟୁରୋ : ଭୁବନେଶ୍ୱରରେ ଯୁବତୀ ବେଶରେ ଘରେ ପଶି ମାଆ, ଝିଅଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଅଭିଯୁକ୍ତ ଗିରଫ । ଅଭିଯୁକ୍ତ ପଡୋଶୀ ରୁପେଶ ପଣ୍ଡାକୁ ଗିରଫ କଲା ପୋଲିସ । ଲୁଟ୍ ପାଇଁ ଯୁବତୀ ବେଶରେ ଯାଇ ଏଭଳି କାଣ୍ଡ ଘଟାଇଥିବା ସ୍ପଷ୍ଟ ହେଉଛି । ରୂପେଶ ବିରୋଧୀରେ ସଂଗୀନ ଦଫା ଲାଗିଛି । ୩୦୭ ହତ୍ୟା ଉଦ୍ୟମ, ୩୯୩ ଲୁଟ୍ ଉଦ୍ୟମ ପରି ଦଫା ଲାଗିଛି । ଗତକାଲି ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଚନ୍ଦ୍ରଶେଖରପୁର ଥାନାରେ ରୁପେଶ ପଣ୍ଡାକୁ ଅଟକ ରଖିଥିଲା ପୋଲିସ । ସୋମବାର ଦିନ ପ୍ରାୟ ୧୨ଟା ବେଳେ ରାଜଧାନୀର ଶୈଳଶ୍ରୀବିହାର ଅଂଚଳରେ ଯୁବତୀ ବେଶରେ ପଡୋଶୀଙ୍କ ଘରେ ପଶି ରୂପେଶ ପଣ୍ଡା ଉନ୍ମତକାଣ୍ଡ ଘଟାଇଥିଲେ ।

ସୂଚନାଯୋଗ୍ୟ, ଶୈଳଶ୍ରୀବିହାର ଭିଆଇଏମ୍‌ କଲୋନିରେ ରହୁଥିବା ଅବସରପ୍ରାପ୍ତ ପ୍ରଫେସର ସୁରେଶ ମିଶ୍ରା ଘରେ ନଥିବା ବେଳେ ହଠାତ୍ ରୂପେଶ ମ୍ୟାକ୍ସି ପିନ୍ଧି ତାଙ୍କ ଘରେ ପଶିଥିଲା । ମୁଣ୍ଡରେ ହେଲ୍‌ମେଟ୍‌ ଥିବାରୁ ପ୍ରଫେସର ମିଶ୍ରାଙ୍କ ସ୍ତ୍ରୀ ଓ ଝିଅ ରୂପେଶକୁ ଚିହ୍ନି ପାରିନଥିଲେ । ସେମାନେ କବାଟ ଖୋଲିବା ମାତ୍ରେ ରୂପେଶ ଏକ ଖେଳଣା ବନ୍ଧୁକ ଓ ଛୁରି ଦେଖାଇ ମା’ ଝିଅଙ୍କୁ ରଶିରେ ବାନ୍ଧିବାକୁ ଉଦ୍ୟମ କରିଥିଲା । ମାତ୍ର ସାହସ ଜୁଟାଇ ମା’, ଝିଅ ରୂପେଶକୁ ପାଲଟା ଆକ୍ରମଣ କରିଥିଲେ। ଧସ୍ତା‌ଧସ୍ତିରେ ଉଭୟ ପକ୍ଷ ଆହତ ହୋଇଥିଲେ । ପାଟି ଶୁଣି ସ୍ଥାନୀୟ ଲୋକେ ସେଠାରେ ପହଞ୍ଚିଯିବା ପରେ ମ୍ୟାକ୍ସି ପିନ୍ଧା ଲୋକଟି ରୂପେଶ ବୋଲି ଜଣା ପଡ଼ିଥିଲା ।