କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ବର, କଟକ ଓ ଭଦ୍ରକ ସହରରେ ରାତି ୮ଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ୪୮ଘଣ୍ଟିଆ ସଟଡାଉନ୍ ବା କର୍ଫ୍ୟୁ ପରି କଟକଣା ଜାରି ହୋଇଛି। ଏହାକୁ ନେଇ ରାଜଧାନୀରେ ଆଲୋଡ଼ନ ସୃଷ୍ଟି ହୋଇଥିବାବେଳେ ରାସ୍ତାଘାଟ ଓ ବଜାରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା । ଛାନିଆରେ ଜିନିଷପତ୍ର କିଣିବା ଲାଗି ଲକ୍ଡାଉନକୁ ବେଖାତିର କରି ବହୁ ସଂଖ୍ୟାରେ ଲୋକ ଘରୁ ବାହାରି ଆସିବାରୁ ଭିଡ଼ ନିୟନ୍ତ୍ରଣ କରିବାକୁ ପୁଲିସକୁ ନାକେଦମ୍ ହେବାକୁ ପଡିଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
ମଧ୍ୟାହ୍ନରେ ରାଜ୍ୟ ସରକାରଙ୍କ ପକ୍ଷରୁ ସଟ୍ଡାଉନ୍ ଘୋଷଣା କରାଯିବା ପରେ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ବଜାରରେ ଅସମ୍ଭାଳ ଭିଡ଼ ସୃଷ୍ଟି ହୋଇଥିଲା। ରାଜଧାନୀ ସମେତ ଉପକଣ୍ଠ ଅଞ୍ଚଳରେ ଲୋକଙ୍କ ସୁଅ ଛୁଟିଥିଲା ବଜାରକୁ। ରସୁଲଗଡ଼, ବାଣୀବିହାର, ନୟାପଲ୍ଲୀ, ଖଣ୍ଡଗିରି, ୟୁନିଟ୍-୧, କଳ୍ପନା ଛକ ସମେତ ବିଭିନ୍ନ ହାଟରେ ପନିପରିବା, ସଉଦା, ମେଡିସିନ୍ ଭଳି ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଗହଳି ଲାଗିଥିଲା। ଗୋଟିଏ ଗୋଟିଏ ସ୍ଥାନରେ ଶତାଧିକ ଲୋକ ରୁଣ୍ଡ ହୋଇଥିବାରୁ ପୁଲିସ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଘଉଡ଼ାଇଥିଲା। ତେବେ ରାଜଧାନୀ ଉପକଣ୍ଠ ବାରଙ୍ଗରେ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଥିଲା। ଅଧିକାଂଶ ଦୋକାନରେ ଅସମ୍ଭାଳ ଭିଡ଼ ହୋଇଥିଲା। ତେଣୁ ବାଧ୍ୟ ହୋଇ ପୁଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା।
ଆନନ୍ଦବଜାର, ଷ୍ଟେସନ୍ ବଜାର ଓ ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ ଥିବା ଦୋକାନ ବଜାର ଉପରେ ଚଢ଼ଉ କରି ପୁଲିସ ସେଗୁଡ଼ିକୁ ବନ୍ଦ କରାଇଥିଲା। ଏପରିକି ଗିରଫ କରିବାକୁ ଚେତାବନୀ ମଧ୍ୟ ଦେଇଥିଲା। ପୁଲିସ୍ ଲାଠିଚାର୍ଜରୁ ବାଦ୍ ପଡ଼ି ନଥିଲେ ଔଷଧ ଦୋକାନୀ। ଆନନ୍ଦ ବଜାରସ୍ଥିତ ଏକ ଔଷଧ ଦୋକାନର ବିକ୍ରେତାଙ୍କୁ ମଧ୍ୟ ପିଟିଥିବା ଅଭିଯୋଗ ହୋଇଛି। ପୁଲିସ ଭୟରେ ସମସ୍ତ ଦୋକାନ ବଜାର ବନ୍ଦ ହୋଇଯାଇଥିଲା। କିନ୍ତୁ ରାତି ୮ଟା ପର୍ଯ୍ୟନ୍ତ ଅଧିକାଂଶ ଜାଗାରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିଥିବା ଦେଖିବାକୁ ମିଳିଥିଲା। ଭିଡ଼ ବି ଜମିଥିଲା। ପୁଲିସ ବିଭିନ୍ନ ଜାଗାରେ ଅଧିକ ବାରିକେଡ୍ ଲଗାଇଥିଲା।
ରାତି ୮ଟାରେ ସଟ୍ଡାଉଉନ୍ ଆରମ୍ଭ ହେବା ପରେ ରାଜଧାନୀ ସାରା ପୁଲିସ ପକ୍ଷରୁ ଜୋରଦାର ଯାଞ୍ଚ ଆରମ୍ଭ ହୋଇଛି। ହସ୍ପିଟାଲ, କେତେକ ନିର୍ଦ୍ଦିଷ୍ଟ ମେଡିସିନ୍ ଷ୍ଟୋର, ପାଥୋଲାବ୍ ଓ ସ୍ବତନ୍ତ୍ର ପାସ୍ ପାଇଥିବା ଗଣମାଧ୍ୟମ କର୍ମଚାରୀଙ୍କୁ ଛାଡ଼ିଦେଲେ ଆଉ କାହାକୁ ଯିବା ଆସିବା କରିବା ପାଇଁ ଅନୁମତି ନାହିଁ। ଏହାବାଦ୍ ଯେଉଁମାନେ ପଦାକୁ ବାହାରିବେ, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିସନରେଟ୍ ପୁଲିସ୍ ପକ୍ଷରୁ ଚେତାଇ ଦିଆଯାଇଛି।