କରୋନାର ଦ୍ରୁତ ସଂକ୍ରମଣ ଭିତରେ ସ୍କୁଲ ପିଲାଙ୍କ ଜୀବନ ସହ ସାଂଘାତିକ ଖେଳ : ସରକାରଙ୍କ କଟକଣା ସତ୍ତ୍ବେ ଭୁବନେଶ୍ୱର ବଡଗଡ ଗୁରୁକୁଳ ସ୍କୁଲରେ ଚାଲିଛି ପାଠପଢା

ପଚାରିବାରୁ ଶିକ୍ଷକଙ୍କ ସଫେଇ, କେବଳ ସଂପର୍କୀୟ ପିଲାଙ୍କୁ ହେଉଛି ଶିକ୍ଷାଦାନ

212

କନକ ବ୍ୟୁରୋ : ସ୍କୁଲରେ ଚାଲିଛି ପାଠପଢା । ଆପଣ କହିବେ କେଉଁଠି ? ସରକାର ତ ସ୍କୁଲ, କଲେଜ ସବୁ ବନ୍ଦ ରଖିବାକୁ କହିଛନ୍ତି । ଛାତ୍ରଛାତ୍ରୀଙ୍କୁ କେବଳ ଅନଲାଇନରେ ପାଠ ପଢାଯାଉଛି । ତାହାହେଲେ ସ୍କୁଲ କେଉଁଠି ଖୋଲିଲା ଓ ଶ୍ରେଣୀଗୃହରେ କେମିତି ପାଠପଢା ହେଲା ?

ରାଜଧାନୀ ଭୁବନେଶ୍ୱର ବଡଗଡ ଅଂଚଳରେ ଥିବା ଗୁରୁକୁଳ ଶିକ୍ଷାନୁଷ୍ଠାନରେ ଶ୍ରେଣୀଗୃହରେ ଚାଲିଥିଲା ପାଠପଢା । କରୋନାର ଦ୍ରୁତ ସଂକ୍ରମଣ ଭିତରେ ସରକାର ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖି କେବଳ ଅନଲାଇନ ପାଠପଢା ପାଇଁ ଅନୁମତି ଦେଇ ଥିବାବେଳେ କିଭଳି ପିଲାଙ୍କ ଜୀବନ ସହ ଖେଳ ଚାଲିଛି ତାହା ଆମ ନଜରକୁ ଆସିଛି । ସଂକ୍ରମଣ ରୋକିବାକୁ ସରକାର ହଷ୍ଟେଲ ମଧ୍ୟ ଖାଲି କରାଇଛନ୍ତି ।

ତଥାପି ସରକାରଙ୍କ ସମସ୍ତ କଟକଣାକୁ ଫୁ କରି ଦେଇଛନ୍ତି ଏହି ନିର୍ଦ୍ଦିଷ୍ଟ ସ୍କୁଲର କର୍ତୃପକ୍ଷ । ସରକାରଙ୍କ ନିର୍ଦ୍ଦେଶକୁ ଅବମାନନା କରୁଥିବା ସ୍କୁଲ ଓ କୋଚିଂ ସେଂଟର ବିରୋଧରେ ପ୍ରଶାସନ ଶକ୍ତ ପଦକ୍ଷେପ ନେଉଥିବା ବେଳେ ଏଠାରେ କିଭଳି ଚାଲିଛି ପାଠପଢା, ତାହା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ସ୍କୁଲ କର୍ତୃପକ୍ଷଙ୍କୁ ପଚାରିବାରୁ ସେମାନେ କହିଥିଲେ ଯେ, କେବଳ ସଂପର୍କୀୟ ପିଲାଙ୍କ ପାଠପଢା ହେଉଛି ।

ବଡକଥା ହେଉଛି, ରାଜ୍ୟରେ କ୍ରମାଗତ ସଂକ୍ରମଣ ବଢିଚାଲିଛି । ଏହାକୁ ନିୟନ୍ତ୍ରଣ କରିବା ପାଇଁ ସରକାର କାଲିଠାରୁ ୧୪ ଦିନିଆ ଲକଡାଉନ ଘୋଷଣା କରିଛନ୍ତି । ଖୋର୍ଦ୍ଧା ଜିଲ୍ଲା ଏପରିକି ରାଜଧାନୀ ଭୁବନେଶ୍ୱରରେ ସଂକ୍ରମଣର ହାର ଅଧିକ ରହୁଛି, ଏସବୁ ଜାଣିସୁଦ୍ଧା ସ୍କୁଲ କର୍ତୃପକ୍ଷ କିଭଳି ଛୋଟଛୋଟ ପିଲାଙ୍କ ଜୀବନକୁ ବିପଦକୁ ଠେଲି ଦେଉଛନ୍ତି ।