ଆଜି ଗୋସାଗରେଶ୍ୱର ଛକରୁ ପୁଣି ଆରମ୍ଭ ହେବ ରଥ ଟଣା : ଅପରାହ୍ନ ୩ଟାରୁ ଗଡ଼ିବ ମହାପ୍ରଭୁ ଲିଙ୍ଗରାଜଙ୍କ ରଥ

କାଲି ନୀତିରେ ବିଳମ୍ବ ଯୋଗୁୁଁ ହୋଇପାରିନଥିଲା ରାମେଶ୍ୱର ଓ ଲିଙ୍ଗରାଜ ମହାପ୍ରଭୁଙ୍କ ଭେଟଘାଟ

142

କନକ ବ୍ୟୁରୋ : ପୂର୍ବରୁ ହୋଇଥିବା ସବୁ ପ୍ରସ୍ତୁତି ଠିକଣା ସମୟରେ ଓଲଟପାଲଟ ହୋଇଗଲା । ସାଢ଼େ ୩ଟାରେ ରଥ ଟଣା ହେବକୁ ଥିଲା କିନ୍ତୁ ଘଂଟାଳ ବିଳମ୍ବରେ ଅର୍ଥାତ ସାଢ଼େ ୪ଟାରେ ରଥ ଗଡ଼ିଲା । ଏହି ୧ ଘଂଟା ବିଳମ୍ବ ପାଇଁ ରୁକୁଣା ରଥ ରାମେଶ୍ୱର ମନ୍ଦିରରେ ଲାଗି ପାରିଲାନି । ଅଧା ବାଟରେ ଗୋସାଗରେଶ୍ୱର ଛକରେ ଅଟକି ଯାଇଥିଲା ରଥ । ଆଜି ଅପରାହ୍ନ ୩ଟାରେ ପୁଣି ରଥ ଟଣା ହେବ ଓ ସଂଧ୍ୟା ସୁଦ୍ଧା ରାମେଶ୍ୱର ଓ ଲିଙ୍ଗରାଜ ମହାପ୍ରଭୁଙ୍କ ଭେଟଘାଟ ହେବ । । ଚଳିତ ବର୍ଷ କରୋନା ସଂକ୍ରମଣ ଯୋଗୁଁ ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହେଉଛି ।

ଗତକାଲି କୋଭିଡ଼୍‌ କଟକଣାରେ ରଥ ଗଡ଼ିଥିଲା। ରଥ ଦାଣ୍ଡକୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ବାରଣ କରାଯାଇଥିଲା। ଧାର୍ଯ୍ୟ ନୀତିନିର୍ଘଣ୍ଟ ଅନୁସାରେ ଆଜି ଭୋର୍ ୫ଟାରେ ମଙ୍ଗଳ ଆଳତି ହେବାର ଥିଲା। କିନ୍ତୁ ଭୋର୍ ୫ଟା ୫୦ମିନିଟ୍‌ରେ ମନ୍ଦିର ପ୍ରଶାସନ ମନ୍ଦିର ଚାବି ଆଣି ଦେଇଥିଲେ। ଫଳରେ ଆରମ୍ଭରୁ ହିଁ ନୀତି ବିଭ୍ରାଟ ବା ବିଳମ୍ବ ହେଲା। ଭୋର୍ ୫ଟାରେ ହେବାକୁ ଥିବା ମଙ୍ଗଳ ଆଳତି ସକାଳ ୬ଟା ୨୦ ମିନିଟ୍‌‌ରେ ହେଲା। ପରେ ରୋଷ ହୋମ ଓ ପାକ କାର୍ଯ୍ୟ, ଛାମୁ ପରିଷ୍କାର, ମହାସ୍ନାନ, ବେଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଧୂପ, ବଲ୍ଲଭ, ଭୋଗ ମଣ୍ଡପ କରାଗଲା।

ପରେ ପରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ମହାସ୍ନାନ, ବେଶ କରାଯାଇ ଯାତ୍ରା ପୂଜା କରାଯାଇଥିଲା। ଅପରାହ୍ଣ ସାଢ଼େ ୨ଟାରେ ଶ୍ରୀଜୀଉଙ୍କ ପହଣ୍ଡି କରାଯିବା ପରେ ରଥ ଚତୁଃପାର୍ଶ୍ୱ ପରିକ୍ରମା କରି ମହାପ୍ରଭୁ ରଥାରୂଢ ହୋଇଥିଲେ। ରଥ ଉପରେ ମହାପ୍ରଭୁଙ୍କୁ ପରିକ୍ରମା କରାଯିବା ପରେ ସେବାୟତମାନେ ଶ୍ରୀଜିଉଙ୍କୁ ରଥ ସିହାଂସନରେ ବସାଇଥିଲେ। ଏହା ପରେ ଛେରାପହଁରା କରାଯିବା ସହ ପୂଜାପଣ୍ଡା ସେବାୟତଙ୍କ ଦ୍ୱାରା ବିଧି ପୂଜା କରାଯାଇଥିଲା। ଚାରି ଦ୍ୱାର ପୂଜା ପରେ ରଥରେ ଚାରି ଘୋଡ଼ା ବନ୍ଧା ଯାଇଥିଲେ। ପରେ ଚାରମାଳ ଖୋଲା ଯାଇ ରଥ ଉପରେ ସକାଳ ଆଳତି କରାଯାଇଥିଲା। ଅପରାହ୍ଣ ସାଢ଼େ ୪ଟାରେ କାଳିସି ରଥ ସମ୍ଭାଳିଥିଲେ ଓ ରଥ ଟଣା ଆରମ୍ଭ ହୋଇଥିଲା। ନିୟମାନୁସାରେ ସୂର୍ଯ୍ୟାସ୍ତ ପରେ ଅନ୍ଧାର ହେଲେ ରଥ ଗଡ଼ିବା ବିଧି ନଥିବାରୁ ସନ୍ଧ୍ୟା ୬ଟା ୩୦ରେ ରଥଟଣା ବନ୍ଦ କରାଯାଇଥିଲା।