ପିସିିସି ସଭାପତିଙ୍କ ଉପସ୍ଥିତିରେ କଂଗ୍ରେସ ଭବନରେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ : ଜଗତସିଂହପୁରରୁ ଆସିଥିବା ୨ ଗୋଷ୍ଠୀ ମୁହାଁମୁହିଁ

ଓବିସି ସେଲର ଅଧ୍ୟକ୍ଷଙ୍କ ବିରୋଧରେ ତାତିଲେ ଆଉ ଏକ ଗୋଷ୍ଠୀ; ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ପାଇଁ କହିଲେ ନିରଂଜନ ପଟ୍ଟନାୟକ

177

କନକ ବ୍ୟୁରୋ : ପୁଣି ବାହାରିଛି କଂଗ୍ରେସର ପୁରୁଣା ରୋଗ । ଆଜି କଂଗ୍ରେସ ଭବନରେ ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । କଂଗ୍ରେସ ଭବନରେ ଆଜି ଦିନ ୧୧ଟାବେଳେ ଓବିସି ସେଲର ବୈଠକ ବସିବାର ଥିଲା । ଓବିସି ସେଲ ଅଧ୍ୟକ୍ଷ ବିଷ୍ଣୁ ବାରିକ ଏହି ବୈଠକ ଡାକିଥିଲେ । ଏଥିରେ ଦଳର ବରିଷ୍ଠ ନେତା ଯୋଗଦେବାର ଥିଲା । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଅନ୍ୟାନ୍ୟ ନେତା ଉପସ୍ଥିତ ଥିଲେ । ତେବେ ବୈଠକକୁ ନେଇ ଜଗତସିଂହପୁରର ଆସିଥିବା କଂଗ୍ରେସ ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ ।

ଗୋଟିଏ ଗୋଷ୍ଠୀ ଅଭିଯୋଗ କରିଥିଲେ, ନିର୍ବାଚନ ସମୟରେ ବିଷ୍ଣୁ ବାରିକ ବିଜେଡି ପାଇଁ ପୂର୍ବରୁ କାମ କରିଥିଲେ । ତେଣୁ ସେ କିଭଳି ବୈଠକ ଡାକପାରିବେ । ଗୋଟିଏ ଗୋଷ୍ଠୀ ବିଷ୍ଣୁ ବାରିକକୁ ଏକ କୋଠରୀ ଭିତରେ ଗୋଟିଏ ଗୋଷ୍ଠୀ ପୁରାଇ ବାହାରୁ କବାଟ ଦେଇଦେଇଥିଲେ । ଭଙ୍ଗାରୁଜା ମଧ୍ୟ ହୋଇଥିଲା । ଦୁଇଗୋଷ୍ଠୀ ମଧ୍ୟରେ ମାରପିଟ ଓ ଗୋଇଠା ମରାମରି ବି ହୋଇଥିଲା । ବିଷ୍ଣୁ ବାରିକଙ୍କ ସମର୍ଥକ ଓ ତାଙ୍କ ବିରୋଧୀ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ ।

ସୁର ରାଉତରାୟ ବୁଝାସୁଝା କରିଥିଲେ ବି କିଛି ଫଳ ମିଳିନଥିଲା । କଂଗ୍ରେସ ଭବନ ଭିତରେ ଠେଲାପେଲା ହୋଇଥିଲା । ଗୋଟିଏ ଗୋଷ୍ଠୀ ଦଳର ପୋଷ୍ଟର ମଧ୍ୟ ଚିରିଥିଲେ । ପରେ ପିସିସି ସଭାପତି ଉଭୟ ଗୋଷ୍ଠୀଙ୍କୁ ଡାକି ବୈଠକ କରିଛନ୍ତି । ଘଟଣାର ତଦନ୍ତ ପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପିସିସି ସଭାପତି ।