କନକ ବ୍ୟୁରୋ: କଲୋନୀ ଛାଡିଲା କାମୁଡା କୁକୁର । ଭୁବନେଶ୍ୱରର ଇନଫୋସିଟି ଅଞ୍ଚଳରେ କୁନି ପିଲା ଅର୍ଜୁନଙ୍କୁ କାମୁଡ଼ି ଆହତ କରିଥିବା କୁକୁରକୁ ଆଜି କଲୋନୀ ବାହାରକୁ ନିଆଯାଇଛି । କୁକୁରକୁ ରଖିଥିବା ଶ୍ରାବଣୀ ପଟ୍ଟନାୟକଙ୍କ ସମ୍ପର୍କୀୟ ଆସି, କୁକୁରକୁ ଅନ୍ୟତ୍ର ନେଇ ଯାଇଛନ୍ତି । କୁକୁରକୁ କଲୋନୀ ବାହାରକୁ ନେଇ ଯିବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରୁଥିଲେ । ତେବେ ଆଜି କୁକୁରକୁ ସ୍ଥାନାନ୍ତର କରିବା ପୂର୍ବରୁ ତପସ୍ୱିନୀ କଲୋନୀରେ ପହଂଚିଥିଲେ ପୁଲିସଓ ବିଏମସି ଟିମ । କୁକୁରକୁ କଲୋନୀରେ ନ ରଖିବା ପାଇଁ ପୂର୍ବରୁ ନୋଟିସ୍ କରିଥିଲା ପୁଲିସ ।
ଭୁବନେଶ୍ୱର ଇନଫୋସିଟି ଅଂଚଳର ତପସ୍ୱିନୀ କଲୋନୀ ଛାଡ଼ିଛି କୁକୁର । କୁନି ପିଲା ଅର୍ଜୁନଙ୍କୁ କାମୁଡ଼ି ଆହତ କରିଥିବା କୁକୁରକୁ କଲୋନୀ ବାହାରକୁ ନିଆଯାଇଛି । କୁକୁରକୁ ରଖିଥିବା ଶ୍ରାବଣୀ ପଟ୍ଟନାୟକଙ୍କ ସମ୍ପର୍କୀୟ ଆସି, କୁକୁରକୁ ଅନ୍ୟତ୍ର ନେଇ ଯାଇଛନ୍ତି । କୁକୁରକୁ କଲୋନୀ ବାହାରକୁ ନେଇ ଯିବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରୁଥିଲେ । ତେଣୁ ଲୋକଙ୍କ ଭାବାବେଗ ଓ ମାନବିୟ ଅଧାରକୁ ଦୃଷ୍ଟିରେ ରଖି ଅନ୍ୟ ସ୍ଥାନକୁ ନେଇ ଯାଇଛନ୍ତି ବୋଲି କହିଛନ୍ତି ବଦ୍ରି ପଟ୍ଟନାୟକ ।
ତେବେ ଏହି କୁକୁରକୁ ସ୍ଥାନାନ୍ତର କରିବା ପୂର୍ବରୁ ତପସ୍ୱିନୀ କଲୋନୀରେ ପହଂଚିଥିଲେ ଇନଫୋସିଟି ଥାନାର ଅଧିକାରୀ ଏବଂ ବିଏମସିର ଏନଫୋର୍ସମେଣ୍ଟ୍ କ୍ୱାର୍ଡର ଟିମ୍ । କୁକୁରକୁ କଲୋନୀରେ ନ ରଖିବା ପାଇଁ ପୂର୍ବରୁ ନୋଟିସ୍ କରିଥିବା ପୁଲିସ, ଟିମ୍ ନେଇ କୁକୁର ସ୍ଥାନାନ୍ତର ପାଇଁ କଲୋନୀରେ ପହଞ୍ଚିଥିଲା ।
ଏସବୁ ଭିତରେ କଲୋନୀରେ କିଛି ଆନିମଲ୍ ଆକ୍ଟିଭିଷ୍ଟ ତଥା ପଶୁ ପ୍ରେମୀଙ୍କ ଉପସ୍ଥିତିକୁ ନେଇ କଲୋନୀରେ ସାମାନ୍ୟ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ସ୍ଥାନୀୟ କଲୋନୀବାସୀଙ୍କ ସହ ଯୁକ୍ତିତର୍କ ମଧ୍ୟ ଦେଖିବାକୁ ମିଳିଥିଲା । ଏତେ ସବୁ ବିବାଦ ଭିତରେ କୁକୁରଟି କଲୋନୀ ଛାଡ଼ି ଚାଲିଯାଇଥିବାରୁ କଲୋନୀବାସୀଙ୍କ ମଧ୍ୟରେ ଆଶ୍ୱସ୍ତୀ ଦେଖିବାକୁ ମିଳିଛି । ବିଶେଷ କରି କୁକୁର କାମୁଡ଼ିଥିବା ଅର୍ଜୁନଙ୍କ ମା’ ଖୁସି ଜାହିର କରିଛନ୍ତି । ଏବେ ଆମେ ନିଜକୁ ସୁରକ୍ଷିତ ଅନୁଭବ କରୁଛୁ ବୋଲି କହିଛନ୍ତି ଅର୍ଜୁନଙ୍କ ମା’ ।
ଗତ ସପ୍ତାହରେ କଲୋନୀ ଭିତରେ ଖେଳୁଥିଲେ ୮ବର୍ଷର ଅର୍ଜ୍ଜୁନ । ହଠାତ୍ ଅର୍ଜ୍ଜୁନ ଚିକ୍ରାର କରିଥିଲା । ଦେଖିଲା ବେଳକୁ ରକ୍ତରେ ଜୁଡୁବୁଡୁ ହୋଇସାରିଥିଲେ ସେହି କୁନି ପିଲାଟି । ପୋଷା କୁକୁର କାମୁଡାରେ ଲହୁଲୁହାଣ ହୋଇଥିଲା । ପିଲାଟିକୁ ଅତି ଗୁରୁତ୍ୱର ଅବସ୍ଥାରେ ହସ୍ପିଟାଲକୁ ନିଆଯାଇଥିଲା । କୁକୁରଟି କଲୋନୀ ଛାଡ଼ି ଯାଇଥିଲେ ମଧ୍ୟ ଏବେ ବି ମାମଲା କୋର୍ଟରେ ବିଚାରଧୀନ ରହିଛି । କୁକୁର ପୁଣି କଲୋନୀକୁ ଫେରିବ ନା’ ନାହିଁ, ତାହା କୋର୍ଟଙ୍କ ଚୁଡାନ୍ତ ରାୟ ଉପରେ ନିର୍ଭର କରୁଛି ।