ରାଜ୍ୟର ୨୧ଟି ଜିଲ୍ଲାରେ ହେବ ପ୍ରବଳରୁ ଅତି ପ୍ରବଳ ଖରା : ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଲେ ସ୍ୱତନ୍ତ୍ର ରିଲିଫ କମିଶନର ; ପ୍ରତିଦିନ ରେକର୍ଡ ଭାଙ୍ଗୁଛି ତାତି

190

କନକ ବ୍ୟୁରୋ : ଉପକୂଳ ଓଡିଶାରୁ ପଶ୍ଚିମ ଓଡିଶା । ବାଦ୍ ପଡିନି ଉତର ଓଡିଶା । ସବୁଠି ଏବେ ଖରା ପ୍ରକୋପ ବଢି ବଢି ଚାଲିଛି । ସକାଳ ହେଉ ହେଉ ତାତି ଏମିତି ବଢିଯାଉଛି ଯେ ଦିନ ୧୦ଟା ବେଳେ ଅନେକ ସ୍ଥାନରେ ବାଟଘାଟ ଖାଁ ଖାଁ ହୋଇ ପଡୁଛି । ରାଜ୍ୟର ୨୧ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ଖରା ହେବ । ଏ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।

ବିଶେଷ କରି ସୁନ୍ଦରଗଡ, ସମ୍ବଲପୁର, ଝାରୁସୁଗୁଡା, କେନ୍ଦୁଝର, ମୟୁରଭଞ୍ଜ, ଦେଓଗଡ, ବରଗଡ, ଅନୁଗୁଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, କନ୍ଧମାଳ, ନୂଆପଡା, ବଲାଙ୍ଗିର, କଳାହାଣ୍ଡି, ନୟାଗଡ, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ପାଇଁ ଏହି ସତର୍କ ସୂଚନା ଦିଆଯାଇଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ସହ ମୁକାବିଲା ପାଇଁ ଆନୁସଙ୍ଗିକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।

ଭାରତୀୟ ପାଣିପାଗ କେନ୍ଦ୍ରର ରେକର୍ଡ ଅନୁଯାୟୀ ୧୯୪୮ ମସିହାରେ ଏହି କେନ୍ଦ୍ର ପ୍ରତିଷ୍ଠା ହେବା ଦିନଠାରୁ ଭୁବନେଶ୍ବରରେ ପାରଦ ମାର୍ଚ୍ଚ ମାସରେ ସବୁଠୁ ଅଧିକ ରହିଛି । ଏହା ପୂର୍ବରୁ ୨୧ ମାର୍ଚ୍ଚ ୨୦୧୬ରେ ଭୁବନେଶ୍ବରରେ ୪୨.୨ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଥିଲା । ଖାଲି ଭୁବନେଶ୍ବର ନୁହେଁ, ଏବେ ପ୍ରବଳ ଖରାରେ ସାରା ଓଡ଼ିଶା ଜଳୁଛି । ଅସହ୍ୟ ତାତି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଲାଣି। କେଉଁଦିନ ଉତ୍ତର ଓଡ଼ିଶାରେ ତାତି ରେକର୍ଡ ଭାଙ୍ଗୁଛି ତ କେଉଁଦିନ ଆଭ୍ୟନ୍ତରୀଣ ଓଡ଼ିଶାରେ ।