ଭୁବନେଶ୍ୱରକୁ ଫେରିଲା କରୋନା । ଚିହ୍ନଟ ହେଲେ ୯ ପଜିଟିଭ୍ । ସେପଟେ କଠୋର ହେଲା ପ୍ରଶାସନ, ଶ୍ରୀବିହାରରେ ଆପାର୍ଟମେଣ୍ଟ ସିଲ୍ ।

2,358

କନକ ବ୍ୟୁରୋ : ଭୁବନେଶ୍ୱରକୁ ଫେରିଲା କରୋନା । ଚିହ୍ନଟ ହେଲେ ୯ ପଜିଟିଭ୍ । ଭୁବନେଶ୍ୱରରୁ ପୁଣି ୯ କରୋନା ଆକ୍ରାନ୍ତ ଚିହ୍ନଟ । ଏମାନଙ୍କ ମଧ୍ୟରୁ ଜଣେ କ୍ୱାରେଣ୍ଟିନରେ ଥିବା ଜଣାପଡିଛି । ଅନ୍ୟ ୮ ଜଣ ସ୍ଥାନୀୟ ଅଂଚଳର । ଅନ୍ୟପଟେ ପୁଣିଥରେ ବସ୍ତିକୁ ବ୍ୟାପିଲା କରୋନା ।

• ଶିରିପୁର ସ୍ଥିତ ଲକ୍ଷ୍ମୀ ବଜାର ବସ୍ତିରୁ ୪ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
• ଆରବିଆଇ ଅଫିସ ନିକଟରେ ଥିବା ଜଣେ ସିକ୍ୟୁରିଟ ଗାର୍ଡଙ୍କୁ କରୋନା ହୋଇଥିବା ଜଣାପଡିଛି ।
• ଘରୋଇ ହସ୍ପିଟାଲ ସହ ଲିଙ୍କରେ ଥିବା ୩ ଆକ୍ରାନ୍ତଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି । ଏୟାରପୋର୍ଟ କଲୋନୀରେ ଦିଲ୍ଲୀରୁ ଫେରିଥିବା ଜଣେ ଆକ୍ର୍ରାନ୍ତ ଚିହ୍ନଟ ହୋଇଛନ୍ତି ।

କଠୋର ହେଲା ପ୍ରଶାସନ । ଶ୍ରୀବିହାରରେ ଆପାର୍ଟମେଂଟ ସିଲ୍ । ରାଜଧାନୀରେ କରୋନାର ସଂକ୍ରମଣକୁ ରୋକିବା ପାଇଁ କଠୋର ହୋଇଛି ପ୍ରଶାସନ । ଶ୍ରୀବିହାର ସ୍ଥିତ ଏକ ନିର୍ମାଣଧୀନ ଆପାର୍ଟମେଂଟରେ କୌଣସି ସଂକ୍ରମିତ ଚିହ୍ନଟ ହୋଇନଥିଲେ ମଧ୍ୟ ଆପାର୍ଟମେଂଟକୁ ସିଲ୍ କରିଦିଆଯାଇଛି । ସୂଚନା ଅନୁସାରେ, ପ୍ରଶାସନର ଅଜାଣତରେ ପଶ୍ଚିମବଙ୍ଗ ମୁର୍ଶିଦାବାଦରୁ କିଛି ଶ୍ରମିକ ଆସି ଏଠାରେ ରହି କାମ କରୁଥିଲେ । ଆଖପାଖ ଅଂଚଳରେ ବୁଲାବୁଲି କରୁଥିଲେ । ଓଡିଶାକୁ ପଶ୍ଚିମବଙ୍ଗରୁ ସଂକ୍ରମଣ ବ୍ୟାପୁଥିବାରୁ ପ୍ରଶାସନ ଏହି ପଦକ୍ଷେପ ନେଇଛି । ଆପାର୍ଟମେଂଟରେ ରହୁଥିବା ଶ୍ରମିକମାନଙ୍କୁ ୧୪ ଦିନ କ୍ୱାରେଣ୍ଟିନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସଟଡାଉନ୍ ଆଉ ଲକଡାଉନର କଟକଣା ଭିତରେ ପୁଣି କରୋନା ପଜିଟିଭ ଚିହ୍ନଟ ହେବା ରାଜଧାନୀବାସୀଙ୍କ ଚିନ୍ତା ବଢାଇଦେଇଛି । ଭୁବନେଶ୍ୱରରେ ଏଯାଏଁ ମୋଟ ୨୮୩ଟି ସଂକ୍ରମଣ ମାମଲା ଆସିଥିବା ବେଳେ ୧୩୧ଟି ସକ୍ରିୟ ମାମଲା ରହିଛି । ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪୮ଜଣ ସୁସ୍ଥ ହୋଇଛନ୍ତି ।