ଭୁବନେଶ୍ୱର ରେଳ ଷ୍ଟେସନର ହେବ ନବକଳେବର । ଷ୍ଟେସନରେ ଯାତ୍ରୀଙ୍କୁ ମିଳିବ ବିମାନବନ୍ଦରର ଅନୁଭୂତି ।

1,271

କନକ ବ୍ୟୁରୋ : ଭୁବନେଶ୍ୱର ରେଳ ଷ୍ଟେସନର ହେବ ନବକଳେବର । ଷ୍ଟେସନରେ ଯାତ୍ରୀଙ୍କୁ ମିଳିବ ବିମାନବନ୍ଦରର ଅନୁଭୂତି । ନବବଧୂ ଭାବେ ସଜେଇ ହେବ ଭୁବନେଶ୍ୱର ରେଳ ଷ୍ଟେସନ । ଏପରିକି ଷ୍ଟେସନକୁ ପୂରା ବିଶ୍ୱସ୍ତରୀୟ ଲୁକ୍ ଦିଆଯିବ । ଯାହାକୁ ଦେଖିଲେ ଚାଲିଯିବା ଲୋକ ମଧ୍ୟ ଘଡିଏ ଚାହିଁ ରହିବ ।

ନୂଆ ଲୁକରେ ନଜର ଆସିବ ଭୁବନେଶ୍ୱର ରେଳ ଷ୍ଟେସନ । ଆଉ ପ୍ଲାର୍ଟଫମରେ ଦେଖିବାକୁ ମିଳିବନି ଭଙ୍ଗା ଦଦରା ଟ୍ୟାପ୍ କି ଗରମରେ ହନ୍ତସନ୍ତ ହେବେନି ଯାତ୍ରୀ । ଷ୍ଟେସନରେ ଯାତ୍ରୀ ପାଇପାରିବେ ବିମାନବନ୍ଦରର ଅନୁଭୂତି । ସୁଉଚ୍ଚ ଅଟ୍ଟାଳିକା ସାଙ୍ଗକୁ ରଙ୍ଗବେରଙ୍ଗର ଆଲୁଅରେ ଝଲସି ଉଠିବ ରେଳଷ୍ଟେସନ । ପ୍ଲାଟଫର୍ମ ଭିତରେ ଅତ୍ୟାଧୁନିକ ସୁବିଧା ସାଙ୍ଗକୁ ରହିବ ବଡ ଲନ୍ । ଯେଉଁଠି ଯାତ୍ରୀ ମାନେ ବସି ଆରାମ କରିପାରିବେ ।

ଆଉ ଏଭଳି ରେଳ ଷ୍ଟେସନ ନିର୍ମାଣ ପାଇଁ ରାଜ୍ୟ ସରକାର ଓ ରେଲୱେ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଭୁବନେଶ୍ୱର ରେଲୱେ ଷ୍ଟେସନର ଉନ୍ନତିକରଣ ପାଇଁ ରେଲୱେ ୭୦ କୋଟି ଓ ରାଜ୍ୟ ସରକାର ୬୦ କୋଟି ଟଙ୍କା ଖର୍ଚ୍ଚ କରିବେ । ଉନ୍ନତିକରଣ ପରେ ରେଳଷ୍ଟେସନ କିଭଳି ଦେଖାଯିବ ତାହାର କିଛି ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଯାହାର ଫଟୋ ଦେଖିଲେ ଆପଣ ମଧ୍ୟ ଆବାକାବା ହୋଇଯିବେ । ପାନ ଗୁଟଖା ଛେପରେ ରଙ୍ଗୀନ ହୋଇଥିବା ଭୁବନେଶ୍ୱର ରେଳ ଷ୍ଟେସନ ଯେ କେବେ ଏମିତି ଦିଶିବ ତାହା କେବେ କଳ୍ପନା କରିନଥିବେ ।