କନକ ବ୍ୟୁରୋ : ‘ଇଟ ରାଇଟ ଷ୍ଟେସନ' ମାନ୍ୟତା ପାଇଲା ଭୁବନେଶ୍ୱର ରେଳ ଷ୍ଟେସନ । ଭୁବନେଶ୍ୱର ଷ୍ଟେସନକୁ ଦେଶର ଷଷ୍ଠ ଇଟ ରାଇଟ ଷ୍ଟେସନ ଭାବେ ମାନ୍ୟତା ଦେଇଛି ଭାରତୀୟ ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ- FSSAI । ଭୁବନେଶ୍ୱର ଷ୍ଟେସନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ରାଜ୍ୟ ଖାଦ୍ୟ ନିରାପତ୍ତା କମିଶନର ଯାମିନୀ ଷଡ଼ଙ୍ଗୀଙ୍କ ଠାରୁ ଇଟ ରାଇଟ ଷ୍ଟେସନ ସାର୍ଟିଫିକେଟ ଗ୍ରହଣ କରିଛନ୍ତି ଖୋର୍ଦ୍ଧା ରୋଡ଼ ରେଲୱେ ଡିଆରଏମ୍ ରିଙ୍କେଶ ରାୟ ।
ଖାଦ୍ୟ ନିରାପତ୍ତା କ୍ଷେତ୍ରରେ ଷ୍ଟେସନକୁ ମିଳିଛି ୪ ଷ୍ଟାର ରେଟିଂ । ସ୍ୱଚ୍ଛତା, ନିରାପଦ ଖାଦ୍ୟ ଭଳି ମାନଦଣ୍ଡରେ ଉତ୍କୃଷ୍ଟ ପ୍ରଦର୍ଶନ ଲାଗି ଏହି ମାନ୍ୟତା ପାଇଛି ଭୁବନେଶ୍ୱର ଷ୍ଟେସନ । ରାଜ୍ୟ ସରକାର ଓ ଭାରତୀୟ ରେଳପଥର ମିଳିତ ପ୍ରୟାସରେ ଏହା ସମ୍ଭବ ହୋଇପାରିଛି ବୋଲି କହିଛନ୍ତି ଖାଦ୍ୟ ନିରାପତ୍ତା କମିଶନର । କିଛି ମାସ ମଧ୍ୟରେ ପୁରୀ ଷ୍ଟେସନକୁ ମଧ୍ୟ ଇଟ ରାଇଟ ଷ୍ଟେସନରେ ପରିଣତ କରିବାକୁ କାର୍ଯ୍ୟ କରାଯାଉଛି ବୋଲି କହିଛନ୍ତି ଖୋର୍ଦ୍ଧା ରୋଡ଼ ରେଲୱେ ଡିଆରଏମ୍ । ପରବର୍ତ୍ତୀ ସମୟରେ ରାଜ୍ୟର ଅନ୍ୟ ଷ୍ଟେସନକୁ ମଧ୍ୟ ଏହି ମାନ୍ୟତା ଦେବାକୁ ଉଦ୍ୟମ ଜାରି ରହିବ ବୋଲି କହିଛନ୍ତି ରିଙ୍କେଶ ରାୟ ।