ରାଜଧାନୀ ଏଟିଏମ ଲୁଟର ପର୍ଦ୍ଦାଫାସ କଲା ପୋଲିସ୍ । ଲୁଟ ପଛରେ ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ 

145

କନକ ବ୍ୟୁରୋ : ଏଟିଏମ ତାଡି ଟଙ୍କା ଗାଏବ କରିଦେଲେ ଲୁଟେରା । ଯାହାକୁ ନେଇ ରାଜଧାନୀରେ ଖେଳିଗଲା ଚାଂଚଲ୍ୟ । କିଏ , କେମିତି ଓ କେଉଁ ଉପାୟରେ ଏଟିଏମକୁ କଳାକନା ବୁଲାଇଲା ତାର ସୁରାକ ବି ପାଇନଥିଲା ପୋଲିସ୍ । ଲୁଟେରାଙ୍କୁ ଧରିବା ପାଇଁ ଦାୟିତ୍ୱ ନେଲା ସ୍ପେଶାଲ ସ୍କାର୍ଡ । ଶୁକ୍ରବାର ଏଟିଏମ ଲୁଟର ପର୍ଦାଫାସ କରିଛି ପୋଲିସ୍ । ଲୁଟ ପଛରେ ଥିଲେ ଏହି ଦୁଇ ଅଭିଯୁକ୍ତ । ଯେଉଁମାନେ କି ଭାଇଜାଗ ପୋଲିସର କବଜାରେ ଅଛନ୍ତି । ପଞ୍ଜାବର ସମରଜିତ୍ ସିଂହ ଓ କେରଳରୁ ଜଫର ସଦ୍ଦିକ  । ଏମାନଙ୍କ ଲୁଟର  କାହାଣୀ ଶୁଣି ପୋଲିସ ବି ଚକିତ ହୋଇ ଯାଇଥିଲା ।

ଅପରେସନ ଥିଲା ଠିକ୍ ଏହି ପରି .. ଫ୍ଲାଇଟରେ ଆସୁଥିଲେ, ଲୁଟୁଥିଲେ, ଆଉ ଟଙ୍କା ଧରି ଅନ୍ୟ ରାଜ୍ୟକୁ ଫେରାର ହୋଇ ଯାଉଥିଲେ । ୪ ତାରିଖରେ ବାହାରି ୫ ତାରିଖ ଦିନ ଏହି ଦୁଇ ଲୁଟେରା କଲିକତାରୁ ଫ୍ଲାଇଟ୍ ଯୋଗେ ଭୁବନେଶ୍ୱରରେ ପହଁଚିଥିଲେ । ୫ତାରିଖରୁ ଏକ ହୋଟେଲରେ ରହି ପ୍ରସ୍ତୁତ କରିଥିଲେ ଲୁଟର ନକ୍ସା । ସ୍କୁଟିରେ ବୁଲି ବୁଲି ରେକି କରୁଥିଲେ ରାଜଧାନୀରେ ଥିବା ଏଟିଏମକୁ । ଗ୍ୟାସ କଟର ସାହାଯ୍ୟରେ ୧୦ ତାରିଖ ଓ ୧୧ ତାରିଖ ରାତିରେ ପିଏନବିର ଏଟିଏମରୁ ତାଡି ନେଇଥିଲେ ୨୭ ଲକ୍ଷ ୮୪ ହଜାର ଟଙ୍କା ।

ଲୁଟ କରିବା ପରେ ଭୁବନେଶ୍ୱରରୁ ଫ୍ଲାଇଟ୍ ଯୋଗେ ସକାଳ ୭ଟା ୪୦ ମିନିଟରେ ଦିଲ୍ଳୀ ବାହାରି ଯାଇଥିଲେ । ଦିଲ୍ଲୀରୁ ଟ୍ୟାକ୍ସି  ଯୋଗେ ଚଣ୍ଡିଗଡରେ ପହଁଚିଥିଲେ ଲୁଟେରା । ସେଠାରୁ ଫ୍ଲାଇଟ ଯୋଗେ ବେଙ୍ଗାଲୁର ଓ ତାପରେ ଭାଇଜାଗରେ ପହଁଚି ଯାଇଥିଲେ । ସେଠାରେ ପୁଣି ଏକ ଏଟିଏମ ତାଡି ୯ ଲକ୍ଷ ଟଙ୍କା ଲୁଟ ଘଟଣାରେ ଭାଇଜାଗ ପୋଲିସ ହାତରେ ଗିରଫ ହୋଇଥିଲେ । ସେତେବେଳେ କମିଶନରେଟ ପୋଲିସ ସ୍ପେଶାଲ ସ୍କାର୍ଡ ପହଁଚିଯାଇଥିଲା ଭାଇଜାଗରେ  । ଆଉ ଗୋଟି ଗୋଟି କରି ସତ ମାନି ଯାଇଥିଲା ଲୁଟେରା ।

୨୭ ଲକ୍ଷରୁ ଉର୍ଦ୍ଧ ଟଙ୍କା ଧାରିଲୁଟେରାମାନେ କେମିତି ଫ୍ଲାଇଟ୍ ଯାତ୍ରା କରିଥିଲେ ? ଭାଇଜାଗରୁ ଲୁଟ ହୋଇଥିବା ଟଙ୍କାର ସିଂହଭାଗ ସେମାନଙ୍କ ସମ୍ପର୍କୀୟଙ୍କ ଆକାଉଟରେ ଜମା କରିଦେଇଥିଲେ ଲୁଟେରା । ତେଣୁ ଭୁବନେଶ୍ୱରରୁ ଲୁଟ ହୋଇଥିବା ଟଙ୍କା କୌଣସି ସମ୍ପର୍କୀୟଙ୍କ ଆକାଉଂଟରେ ଜମା କରିଥିଲେ କି ଲୁଟେରା? ଏସବୁ ରହସ୍ୟ ଉପରୁ ପର୍ଦା ଉଠାଇବା ପାଇଁ ଲୁଟେରାଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ଆଣି ପଚରାଉଚରା କରିବ କମିଶନରେଟ୍ ପୋଲିସ ।