ଅପରାଧ ପ୍ରବଣ ହେଉଛି କି ରାଜଧାନୀ !! କଥା କଥାକେ ଫୁଟୁଛି ଗୁଳି, ସହର ମଧ୍ୟରେ ଆତଙ୍କ ରଚାଉଛନ୍ତି ଦୁର୍ବୃତ୍ତ, ଅଧରାତିରେ ପେଟ୍ରୋଲ ପମ୍ପରେ ବନ୍ଧୁକ ଦେଖାଇଲେ କଲେ ଆତଙ୍କରାଜ

ଅପରାଧ ପ୍ରବଣ ହେଉଛି କି ରାଜଧାନୀ !! କଥା କଥାକେ ଫୁଟୁଛି ଗୁଳି, ସହର ମଧ୍ୟରେ ଆତଙ୍କ ରଚାଉଛନ୍ତି ଦୁର୍ବୃତ୍ତ, ଅଧରାତିରେ ପେଟ୍ରୋଲ ପମ୍ପରେ ବନ୍ଧୁକ ଦେଖାଇଲେ କଲେ ଆତଙ୍କରାଜ

କନକ ବ୍ୟୁରୋ : କଥା କଥାକେ ବାହାରୁଛି ବନ୍ଧୁକ। ଫୁଟୁଛି ଗୁଳି। ନା ସଙ୍ଗିନ ଦଫାର ଭୟ ଅଛି ନା ଗିରଫ ହେବାର ଡର। ରାଜଧାନୀ ଉପକଣ୍ଠ ହୋଟେଲ ଜଙ୍ଗଲ ଭିଉ’ ଗୁଳିକାଣ୍ଡରେ ଅଦ୍ୟାବଧି ଅଭିଯୁକ୍ତକୁ ପୁଲିସ ଖୋଜୁଥିବା ବେଳେ ରାଜଧାନୀ ଉପକଣ୍ଠରେ ବନ୍ଧୁକ ଦେଖାଇ ପୁଣି ଆତଙ୍କ ସୃଷ୍ଟି କରିଛନ୍ତି ଦୁର୍ବୃତ୍ତ। ପେଟ୍ରୋଲ ପକାଇ ଟଙ୍କା ନ ଦେବା ପାଇଁ ଦୁର୍ବୃତ୍ତ କୁହା ଛକରେ ଥିବା ପେଟ୍ରୋଲ ପମ୍ପରେ ବନ୍ଧୁକ ଦେଖାଇ କର୍ମଚାରୀ ଓ ଗ୍ରାହକଙ୍କୁ ଆତଙ୍କିତ କରିଛନ୍ତି। ଗୁଳି ଫୁଟାଇବାକୁ ଉଦ୍ୟମ କଲା ବେଳେ ଯିଏ ଯୁଆଡ଼େ ପାରିଛି ଦଉଡ଼ି ଜୀବନ ବଞ୍ଚାଇଛି। ପ୍ରାୟ ୧୩ ମିନିଟ୍‌ ଧରି ସେମାନେ ସେଠାରେ ଦାଦାଗିରି ଦେଖାଇଛନ୍ତି। ଦୁର୍ବୃତ୍ତ ଫେରିଯିବାର ଅଧ ଘଣ୍ଟାଏ ପରେ ମଧ୍ୟ ଦୁଇ ଜଣ ଗ୍ରାହକ ଭୟରେ ଲୁଚିଥିବା ଜାଗାରୁ ବାହାରି ନ ଥିଲେ।

ଖବର ପାଇଥିଲେ ମଧ୍ୟ ଏୟାରଫିଲ୍ଡ ଥାନା ପୁଲିସ ବିଳମ୍ବରେ ପହଞ୍ଚିଥିବା ଗ୍ରାହକ କହିଛନ୍ତି। ହୋଲି ରାତି ପ୍ରାୟ ସାଢ଼େ ୧୧ଟା ବେଳେ ଏହି ଅଘଟଣ ଘଟିଛି। ଖୋଲାଖୋଲି ଭାବରେ ଦୁର୍ବୃତ୍ତ ବନ୍ଧୁକ ଧରି ବୁଲୁଥିଲେ ମଧ୍ୟ ପୁଲିସ ଟେର୍‌ ପାଉନାହିଁ। ଏଣେ ହୋଲି ଦିନ ପୁଲିସ ପାଟ୍ରୋଲିଂ କଡ଼ାକଡ଼ି କରିବା ସହ ଚେକିଂ ଜୋରଦାର କରିବ ବୋଲି ପୁଲିସ ଘୋଷଣା କରିଥିଲେ ମଧ୍ୟ ଏହି ଘଟଣାରୁ ତାହା ହାସ୍ୟାସ୍ପଦ ହୋଇଛି। ଅନ୍ୟପଟେ ଏହି ସମସ୍ତ ଘଟଣା ସିସିଟିଭି କ୍ୟାମେରାରେ କଏଦ୍‌ ହେବା ସହ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଭଳି ଦୃଶ୍ୟ ଦେଖି ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଛି।

ସୂଚନାନୁଯାୟୀ ସୁନ୍ଦରପଦା ଜଟଣି ରାସ୍ତା କୁହା ଛକ‌ରେ ଥିବା ପେଟ୍ରୋଲ ପମ୍ପରେ ରାତି‌ରେ ୩ଜଣ ଯୁବକ ଏକ ବାଇକ୍‌ରେ ପେଟ୍ରୋଲ ପକାଇବାକୁ ଆସିଥିଲେ। ଦୁଇ ଜଣ ତଳେ ଠିଆ ହୋଇଥିବା ବେଳେ ବାଇକ୍‌ ଚାଳକ ଗାଡ଼ିରେ ୧୦୫ଟଙ୍କାର ତେଲ ପକାଇଥିଲେ। କର୍ମଚାରୀ ତେଲ ପକାଇ ସାରିବା ପରେ ଟଙ୍କା ମାଗିଥିଲେ। ଯୁବକ ଜଣକ ନଗଦ ଟଙ୍କା ନଥିବା କହି ଟଙ୍କା ନେବା ପାଇଁ ଡେବିଟ୍‌ କାର୍ଡ ପ୍ରଦାନ କରିଥିଲେ। ହେଲେ ନେଟ୍‌ୱର୍କ କାମ କରୁନଥିବାରୁ କର୍ମଚାରୀ ନଗଦ ୧୦୫ ଟଙ୍କା ଦେବାକୁ କହିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଯୁକ୍ତିତର୍କ ବଢ଼ିବାରୁ ଅନ୍ୟ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଯୁବକ ଏକ ବନ୍ଧୁକ ବାହାର କରି କର୍ମଚାରୀଙ୍କୁ ଗୁଳି କରିଦେବେ ବୋଲି କହିଥିଲେ।

ବନ୍ଧୁକ ଦେଖି କର୍ମଚାରୀ ଦଉଡ଼ି ପଳାଇଥିବା ବେଳେ ପେଟ୍ରୋଲ ପକାଇବାକୁ ରହିଥିବା ଅନ୍ୟ ଦୁଇଜଣ ଗ୍ରାହକ ମଧ୍ୟ ଜୀବନ ବିକଳରେ ଦଉଡ଼ିଥିଲେ। ଟାଙ୍କି ଫାଙ୍କା ହୋଇଯିବା ଦେଖି ତିନିଜଣ ଯୁବକ ବାଇକ୍‌ରେ ବସି ଫେରାର ହୋଇ ଯାଇଥିଲେ। ଏନେଇ ପେଟ୍ରୋଲ ପମ୍ପ ମାଲିକଙ୍କ ସମ୍ପର୍କୀୟ ଭାଇ ସୁନୀଲ ପାଇକରାୟ ଏୟାର ଫିଲ୍ଡ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସିସିଟିଭି ଫୁଟେଜ୍‌ ସଂଗ୍ରହ କରିବା ସହ ଗାଡ଼ି ନମ୍ବର ଜରିଆରେ ଦୁର୍ବୃତ୍ତଙ୍କୁ ଠାବ କରାଯାଉଥିବା ଥାନା ଇନ୍ସପେକ୍ଟର ଜ୍ଞାନେନ୍ଦ୍ର ସାହୁ କହିଛନ୍ତି। ତେବେ ବନ୍ଧୁକ ଅସଲି କିମ୍ବା ନକଲି ଦୁର୍ବୃତ୍ତ ଗିରଫ ପରେ ଜଣାପଡ଼ିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe