ଭୟଙ୍କର ବିସ୍ଫୋରଣରେ ଥରି ଉଠିଲା ରାଜଧାନୀ: ରାଜଭବନ ନିକଟରେ ଥିବା ପେଟ୍ରୋଲ ପମ୍ପରେ ବଡ ଧରଣର ଅଗ୍ନିକାଣ୍ଡ; ଦୁର୍ଘଟଣା ସମୟରେ ଟାଙ୍କିରେ ୫୦ରୁ ଅଧିକ ଲୋକ ରହିଥିବା ସୂଚନା, ୨ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି

287

କନକ ବ୍ୟୁରୋ: ଭୟଙ୍କର ବିସ୍ଫୋରଣରେ ଥରିଲା ରାଜଧାନୀ । ଭୁନେଶ୍ୱରରେ ଏକ ପେଟ୍ରୋଲ ପମ୍ପରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଜଳିପୋଡି ପାଉଁଶ ହୋଇଯାଇଛି ସଂପୂର୍ଣ୍ଣ ତେଲ ଟାଙ୍କି ।  ତେବେ ରାଜଭବନ ନିକଟ ଇଣ୍ଡିଆନ୍ ଅଏଲ ପେଟ୍ରୋଲ ଟାଙ୍କିରେ ନିଆଁ ଲାଗିବା ପରେ ଜୋରଦାର ବିସ୍ଫୋରଣ ହୋଇଛି । ବିସ୍ଫୋରଣ ଏତେ ବଡ ଥିଲା କି ନିଆଁ ଲାଗିବା ପରେ ପ୍ରଚଣ୍ଡ ଶବ୍ଦ କରି ଆକାଶକୁ ଉଡିଯାଇଥିଲା ଟାଙ୍କି । ଏଥିରେ ତେଲ ଟାଙ୍କି ତଥା ଏହାର ଆଖପାଖ ଅଂଚଳ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି ।

ଏପଟେ ଘଟଣା ସ୍ଥଳରେ ନିଆଁ ଲିଭାଇବାକୁ ଅଗ୍ନିଶମ ବିଭାଗର ୪ରୁ ଅଧିକ ଟିମ୍ ପହଂଚି ନିଆଁକୁ ଆୟତ କରିବାକୁ ଉଦ୍ୟମ ଜାରି ରଖିଥିବା ନେଇ ପ୍ରାଥମିକ ସୂଚନାରୁ ଜଣାପଡିଛି । ତେବେ ନିଆଁ ଲାଗିବାରୁ କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଥିବା ବେଳେ କେତେଜଣ ମୃତାହତ ହୋଇଛନ୍ତି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ସେପଟେ ନିଆଁ ଏତେ ଭୟଙ୍କର ରହିଥିଲା ଯେ ପ୍ରାୟ ୫ କିଲୋମିଟର ଦୂରରୁ ଆକାଶକୁ ନିଆଁ ଉଠୁଥିବାର ଦେଖିବାକୁ ମିଳିଥିଲା ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ନିଆଁ କେମିତି ଲାଗିଲା ଜଣାପଡିନାହିଁ । କିନ୍ତୁ ହଠାତ୍ ଜୋରଜାର ବିସ୍ଫୋରଣରେ ଥରି ଉଠିଥିଲା ସାରା ଅଂଚଳ । ପ୍ରାୟ ୩ କିଲୋମିଟର ଦୂରତା  ଯାଏଁ ଏହି ବିସ୍ଫୋରଣର ଝଟକା ଅନୁଭବ ହୋଇଥିବା କୁହାଯାଉଛି । ଭୟଙ୍କର ବିସ୍ଫୋରଣ ପରେ ପରେ ପେଟ୍ରୋଲ ପମ୍ପ ଅଂଚଳରେ ନିଆଁ ଜଳି ଉଠିଥିଲା । ସୂଚନା ପାଇ ପୋଲିସ ଓ ଦମକଳ ବାହିନୀ ପହଁଚି ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରୁଛନ୍ତି । ରାଜଭବନ ନିକଟ ଇଣ୍ଡିଆନ୍ ଅଏଲ ପେଟ୍ରୋଲ ପମ୍ପକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ୍ କରିଛି କମିଶନରେଟ୍ ପୋଲିସ । ପେଟ୍ରୋଲ ପମ୍ପ ଅଂଚଳକୁ ସିଲ୍ କରି ନିଆଁ ଲିଭାଇବା ଉଦ୍ୟମ ଚାଲିଛି ।

ଅନ୍ୟପଟେ,  ଭୁନେଶ୍ୱରର େ ଯଉଁ ଅଂଚଲରେ ଏହି ଅଗ୍ନିକାଣ୍ଡ ଘଟିଛି । ସେଠାରେ ମୋଟ୍ ୩ଟି ଟାଙ୍କି ରହିଛି ତେବେ ଯେଉଁ ଟାଙ୍କିରେ ଏହି ବିସ୍ଫୋରଣ ହୋଇ ତାହା ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଭୁବନେଶ୍ୱର ଡିସିପି ସୁଧାଂଶୁ ଷଡଙ୍ଗୀ ସୁଚନା ଦେଇଛନ୍ତି । ଦୁର୍ଘଟଣା ଘଟିବା ସମୟରେ ଟାଙ୍କିରେ ପ୍ରାୟ ୫୦ରୁ ଅଧିକ ଲୋକ ରହିଥିବା ବେଳେ ବିସ୍ଫୋରଣରେ ୨ ଜଣ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି । ତେବେ ଦୁର୍ଘଟଣାକୁ ଏଡେଇବା ପାଇଁ ସଂପୂର୍ଣ୍ଣ ରାସ୍ତାକୁ ସିଲ୍ କରାଯିବା ସହ ଲୋକଙ୍କୁ ଯିବାକୁ ବାରଣ କରାଯାଇଛି ।