ରାହା ଖୋଜୁଛି ବିଜୁଳି, ବିକ୍ରି ହେଉଛି ବିଞ୍ଚଣା । ଏସିରେ ଶୋଉଥିବା ଭୁବନେଶ୍ୱରିଆ ବଡବାବୁ ମାନେ ଏବେ ବିଞ୍ଚଣାକୁ କରିଛନ୍ତି ଭରସା ।

484

କନକ ବ୍ୟୁରୋ : ବାତ୍ୟା ‘ଫୋନି’ ପାଇଁ ଏବେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରାଜଧାନୀବାସୀ । ଭୟଙ୍କର ସାମୁଦ୍ରିକ ଝଡ ‘ଫୋନି’ ଚାଲିଯାଇଛି ସତ, ହେଲେ ଦେଇଯାଇଛି ଅନେକ ଦୁଃଖ । ଉଜୁଡିଯାଇଛି ସବୁଜିମା, ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି ଭୁବନେଶ୍ୱର । ନା ପିଇବାକୁ ଠିକସେ ପାଣି ମିଳୁଛି ନା ଖାଇବାକୁ ଭସରେ ମୁଠାଏ ଦାନା । ସରକାରୀ ସହାୟତା ଖାଇବା ପିଇବା ଯେକୌଣସି ଭାବେ ହେଇଯାଉଛି ସତ । କିନ୍ତୁ ବିଜୁଳି ଏବେ ସାଜିଛି ମୁଖ୍ୟ ସମସ୍ୟା ।

ଫୋନିର ତାଣ୍ଡବ ଯୋଗୁଁ, ମାଟିକାମୁଡି ପଡିଛି ହଜାର ହଜାର ଗଛ । ଯେଉଁଥିପାଇଁ ବିଦ୍ୟୁତ ଯୋଗାଣ ସ୍ୱାଭାବିକ ହୋଇପାରୁନାହିଁ । ବିଶେଷ କରି ଏସିରେ ରହୁଥିବା ଭୁବନେଶ୍ୱରିଆ ବଡ ବାବୁମାନେ ଏଥିପାଇଁ ଅନେକ କଷ୍ଟ ପାଉଛନ୍ତି । ଆଉ ରାଜଧାନୀରେ ରାଜରାସ୍ତା କଡରେ ବିକ୍ରି ହେଉଥିବା ବିଞ୍ଚଣା ଦୋକାନ ଆଗରେ ସେମାନଙ୍କର ଭିଡ ଜମୁଥିବା ଦେଖିବାକୁ ମିଳୁଛି । ଯେଉଁମାନେ ଆଗରୁ ବିଞ୍ଚଣାର ଚିତ୍ର ମଧ୍ୟ ଦେଖିନଥିଲେ, ସେମାନେ ଆଜି ବିଞ୍ଚଣା କିଣିବା ପାଇଁ ଲାଇନ୍ ଲଗାଉଛନ୍ତି । କହିବାକୁ ଗଲେ, ଏବେ ବିଞ୍ଚଣା ହିଁ ସାଜିଛି ଏକମାତ୍ରା ଭରସା । ଏଭଳି ପରିସ୍ଥିତିରେ ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ, କେବେ ଆସିବ ବିଜୁଳି ?