ରାଜଧାନୀ ଭୁବନେଶ୍ୱରରେ ବଢୁଛି କରୋନା ସଂକ୍ରମଣ । ବିଏମସି କମିଶନର କହିଲେ, ଜ୍ୱର ହେଉଥିଲେ ବି ଲୋକେ କରୁନାହାନ୍ତି କରୋନା ପରୀକ୍ଷା । ଆଗକୁ ସଚେତନ ନହେଲେ କଡା ପଦକ୍ଷେପ ନେବ ବିଏମସି ।

67

କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ବଢ଼ିବଢ଼ି ଚାଲିଛି । ଏପରି ସମୟରେ ବିଏମସି କମିଶନର କହିଛନ୍ତି ଯେ, ଲୋକେ ସଚେତନ ନହେଲେ କଡ଼ା ପଦକ୍ଷେପ ନେବାକୁ ପ୍ରଶାସନ ବାଧ୍ୟ ହେବ । ଲୋକଙ୍କ ଜ୍ୱର ହେଉଥିଲେ ବି ସେମାନେ ପରୀକ୍ଷା କରୁନାହାଁନ୍ତି । ଅନେକ ସ୍ଥାନରେ ଲୋକ କରୋନା ନିୟମକୁ ପାଳନ କରୁନାହାଁନ୍ତି । ଏଭଳି ସ୍ଥିତିରେ ସଂକ୍ରମିତ ଅଂଚଳରେ ସିଲିଂ ଓ କନଟେନମେଣ୍ଟ ଜୋନ କରିବା ପାଇଁ ଉଦ୍ୟମ ଆରମ୍ଭ କରି ଦେଇଛୁ ବୋଲି ବିଏମସି କମିଶନର ପ୍ରେମଚନ୍ଦ ଚୌଧୁରୀ କହିଛନ୍ତି ।

ଅନ୍ୟପଟେ ଭୁବନେଶ୍ୱର-କଟକରେ ଉପୁଜିଲାଣି ଗୋଷ୍ଠୀ ସଂକ୍ରମଣ ସ୍ଥିତି । ଗତ ୨୪ ଘଂଟାରେ ରାଜ୍ୟରେ ୮ ହଜାର ଉପରେ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ଦୈନିକ ସଂକ୍ରମଣ ୧୮୪୦ ରହିଛି । କଟକରେ ବି ଆକ୍ରାନ୍ତ ସଂଖ୍ୟା ୪୯୬ ରହିଛି । ଏପରି ସ୍ଥିତିରେ ଟୁଇନ୍ ସିଟିରେ ଗୋଷ୍ଠୀ ସଂକ୍ରମଣ ସ୍ଥିତି ଉପୁଜିଥାଇପାରେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି ରାଜ୍ୟର ସବୁଠାରୁ ବଡ ଓ ଜନଗହଳିପୂର୍ଣ୍ଣ ସହର ହେଉଛି କଟକ ଓ ଭୁବନେଶ୍ୱର । ଏଠାରେ ଅଧିକ ପ୍ରବାସୀ ରହିଛନ୍ତି । ତେଣୁ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଜଣେ ବ୍ୟକ୍ତି ଏକାଧିକ ଲୋକଙ୍କୁ ସଂକ୍ରମିତ କରିପାରେ ବୋଲି ସେ ଆଶଙ୍କା କରିଛନ୍ତି ।