କନକ ବ୍ୟୁରୋ : କମିଶନରେଟ ପୋଲିସର ଦୂରବସ୍ଥା । ଅନ୍ଧାର ରାତିରେ ସାଇରନ ଦେଇ ଗଲା ବେଳେ ହଠାତ ବନ୍ଦ ହୋଇଗଲା ଗାଡିର ଇଞ୍ଜିନ । ଡ୍ରାଇଭର ଅନେକ ଚେଷ୍ଟା କରି ବିଫଳ ହେବା ପରେ ବାଧ୍ୟ ହୋଇ ଗାଡିରେ ଥିବା ପୋଲିସ କର୍ମଚାରୀ ପଛରୁ ଠେଲିଠେଲି ଗାଡିକୁ ନେଉଛନ୍ତି । ଗତ ସଂଧ୍ୟାରେ ସାଇରନ ଦେଇ ଗଲାବେଳେ ଜୟଦେବ ବିହାର ଛକରେ ରାସ୍ତା ଉପରେ ଦେଖିବାକୁ ମିଳିଛି ଏମିତି ଏକ ବିଚିତ୍ର ଦୃଶ୍ୟ । ସ୍ଥିତି ଏମିତି ଥିଲା ଯେ ଗାଡି ଭିତରେ ବସିଥିବା ପୋଲିସ ବାବୁମାନେ ଏକାଠି ହୋଇବି ଗାଡିକୁ ଠେଲିପାରି ନଥିଲେ ।

Advertisment

ତେଣୁ ବାଧ୍ୟ ହୋଇ ସାଧାରଣ ଲୋକଙ୍କ ସହଯୋଗ ଲୋଡିଥିଲେ ପୋଲିସ ବାବୁ । ରାସ୍ତା ଉପରେ ସାଧାରଣ ଲୋକଙ୍କ ଗାଡି ଖରାପ ହୋଇ ଟ୍ରାଫିକ ଜାମ ହେଲେ ପୋଲିସ ନାଲି ଆଖି ଦେଖାଏ । ଆଉ ଏବେ ବିଚରା ପୋଲିସ ନାଚାର । ରାସ୍ତାରେ ଗାଡି ଖରାପ ହେବାକୁ ନେଇ ଆମେ ସମାଲୋଚନା କରୁନୁ । କିନ୍ତୁ ପ୍ରଶ୍ନ ଆସୁଛି, ଯଦି ଏ ଗାଡିରେ ପୋଲିସ କୌଣସି ଚୋର ବା ଅପରାଧୀର ପିଛା କରୁଥାନ୍ତା ? ଏ ଗାଡିରେ ପୋଲିସ କୌଣସି ଭିଆଇପିଙ୍କୁ ଏସକର୍ଟ କରି ନଉଥାନ୍ତା ? ଉଇ କେୟାର, ଉଇ ଡେୟାର ସ୍ଲୋଗାନ ଦେଉଥିବା କମିଶନରେଟ ପୋଲିସକୁ କେବଳ ଏତିକି ପରାମର୍ଶ ନିଜ ଯନ୍ତ୍ରପାତି ଓ ଗାଡି ମୋଟରର ଟିକେ ନିୟମିତ ଯାଞ୍ଚ କରନ୍ତୁ ।