ରାଜଧାନୀରେ ୩୦ ଲକ୍ଷ ଟଙ୍କାର ରହସ୍ୟ : ଟଙ୍କା ନେଇ ଯାଉଥିବା ଯୁବକ ଅଟକ; ଟଙ୍କାର ଛାନଭିନ ପାଇଁ ଆୟକର ଓ ସେଲଟାକ୍ସ ବିଭାଗକୁ ଜଣାଇଲା ଖଣ୍ଡଗିରି ପୋଲିସ

1,091

କନକ ବ୍ୟୁରୋ : ରାଜଧାନୀରେ ଆଜି ସକାଳୁ ରହସ୍ୟ ସୃଷ୍ଟି କରିଛି ୩୦ ଲକ୍ଷ ଟଙ୍କା । ଭୁବନେଶ୍ୱରରେ ନଗଦ ୩୦ ଲକ୍ଷ ଟଙ୍କା ସହ ଜଣେ ଯୁବକଙ୍କୁ ଅଟକ ରଖିଛି ପୋଲିସ । ଖଣ୍ଡଗିରି ଥାନାରେ ଅଟକ ରଖି ତାଙ୍କୁ ପଚରାଉଚରା କରାଯାଉଛି ।

ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ ପାରଳାଖେମୁଣ୍ଡିରୁ ଆସିଥିବା ଏକ ବସରୁ ଓହ୍ଲାଇଥିଲେ ଜଣେ ଯୁବକ । ତପୋବନ ପେଟ୍ରୋଲ ପମ୍ପ ନିକଟରେ ଯୁବକ ପିସିଆର ଭ୍ୟାନକୁ ଦେଖି ଅଚାନକ ଦୌଡ଼ିବା ଆରମ୍ଭ କରିଥିଲେ । ତେଣୁ ପୋଲିସର ସନ୍ଦେହ ହେବାରୁ କାବୁ କରିବା ପରେ ତାଙ୍କ ବ୍ୟାଗରେ ୩୦ ଲକ୍ଷ ଟଙ୍କା ଥିବା ଜଣାପଡ଼ିଥିଲା । ଏତେ ପରିମାଣର ଟଙ୍କା କେଉଁଠୁ ଆସିଲା ସେନେଇ ପୋଲିସ ତାଙ୍କୁ ପଚରାଉଚରା କରୁଛି ।

ତେବେ ପାନ ମସଲା କମ୍ପାନୀର ଏହି ଟଙ୍କା ବୋଲି ଦାବି କରିଛନ୍ତିି ତାଙ୍କ ସହଯୋଗୀ ତଥା ପାନ ମସଲା ମାଲିକ । ଲକ୍ ସଟ ଡ଼ାଉନ ବେଳେ ବାକି ପଡ଼ିଥିବା ଟଙ୍କା ଆଦାୟ ହୋଇପାରିନଥିଲା । ଛୋଟ ଛୋଟ ବ୍ୟବସାୟୀଙ୍କ ଠାରୁ ଆଦାୟ ହୋଇଥିବା ଏହା ବାକି ଟଙ୍କା ବୋଲି ସେ ଦାବି କରିଛନ୍ତି । ପୁଲିସକୁ ଏନେଇ ସମସ୍ତ ପ୍ରମାଣ ଦେବେ ବୋଲି କହିଛନ୍ତି । ସେପଟେ ଟଙ୍କାର ଛାନଭିନ ପାଇଁ ଆୟକର ଓ ସେଲଟାକ୍ସ ବିଭାଗକୁ ଜଣାଇଛନ୍ତି ଖଣ୍ଡଗିରି ପୋଲିସ ।