କନକ ବ୍ୟୁରୋ: ନୟାପଲ୍ଲୀ ଥାନା ଅଧୀନ ଆଇଆର୍ସି ଭିଲେଜରେ ଘଟିଥିବା ଚର୍ଚିତ ଉଷାଶ୍ରୀ ହତ୍ୟାକାଣ୍ଡ ଘଟଣା । ଅଭିଯୁକ୍ତ କର୍ଣ୍ଣେଲ ସୋମନାଥ ପରିଡ଼ାଙ୍କୁ ଆଜୀବନ କାରାବାସ । ତେବେ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଲେ ଖୋର୍ଦ୍ଧା ଜିଲ୍ଲା ଜଜ୍ । ପତ୍ନୀଙ୍କୁ ହତ୍ୟା ପରେ ମୃତଦେହର ୩୦୦ ଖଣ୍ଡ କରିଥିଲା ଅଭିଯୁକ୍ତ । ସମସ୍ତ ସାକ୍ଷ ପ୍ରମାଣକୁ ଭିତ୍ତି କରି ସୋମନାଥ ପରିଡ଼ାଙ୍କୁ ଆଜୀବନ କାରାବସା ଶୁଣାଇଛନ୍ତି ଜିଲ୍ଳା ଜଜ୍ ।
୨୦୧୩ ଜୁନ୍ ୨୧ ତାରିଖ ମଧ୍ୟ ରାତିରେ ଘଟିଥିବାର ସାତ ବର୍ଷ ପରେ ସ୍ତ୍ରୀହନ୍ତାକୁ ସଜା ମିଳିଲା । ସୋମନାଥ ପରିଡ଼ା ନାମକ ଜଣେ ଅବସରପ୍ରାପ୍ତ ସେନା ଡାକ୍ତର(କର୍ଣ୍ଣେଲ) ପତ୍ନୀ ଉଷାଶ୍ରୀ ପରିଡ଼ାଙ୍କୁ ୩ଶହ ଖଣ୍ଡ କରି ହତ୍ୟା କରିଥିଲେ । ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ପ୍ରଥମେ ପ୍ରଥମେ ସୋମନାଥ ପୁଲିସକୁ ଭୁଆଁ ବୁଲାଇବାକୁ ଯାଇ କହିଥିଲେ ପତ୍ନୀ ଉଷାଶ୍ରୀ ଆତ୍ମହତ୍ୟା କରିଛନ୍ତି । ସେ କେବଳ ତାଙ୍କ ମୃତଦେହକୁ ଶିରିଡ଼ିଠାରେ ସତ୍କାର କରିବାକୁ ଖଣ୍ଡଖଣ୍ଡ କରିଥିଲେ । ଶେଷରେ ପୁଲିସ ସୋମନାଥଙ୍କୁ ହତ୍ୟା ଓ ପ୍ରମାଣ ନଷ୍ଟ କରିବା ଅଭିଯୋଗ ଗିରଫ କରି କୋର୍ଟ ଚାଲାଣ କରିଥିଲା ।
ନଜର ପକାନ୍ତୁ ଘଟଣାର ପ୍ରଚ୍ଛଦପଟ୍ଟ
ଘଟଣାର ଦୁଇ ଦିନ ପୂର୍ବରୁ ଦୁବାଇରେ ରହୁଥିବା କର୍ଣ୍ଣେଲଙ୍କ ଝିଅ ଲେଖା ପରିଡ଼ା ବାପାଙ୍କ ସହିତ କଥା ହୋଇଥିଲେ। କିନ୍ତୁ ଲେଖା ମା’ ଉଷାଶ୍ରୀଙ୍କ ସହିତ କଥା ହେବାକୁ ଚାହିଁବାରୁ କର୍ଣ୍ଣେଲ ଉତ୍କ୍ଷିପ୍ତ ହୋଇ ପଡ଼ିଥିଲେ। କହିଥିଲେ ମା’ ଦେହ ଭଲ ନାହିଁ ସେ ଶୋଇଛି। ଏଭଳି ଉତ୍ତର ବାରମ୍ବାର ଶୁଣିବା ପରେ ଲେଖାଙ୍କ ମନରେ ସନ୍ଦେହ ହୋଇଥିଲା। ସେ ୨୧ ଜୁନ୍ ସନ୍ଧ୍ୟା ପ୍ରାୟ ୭ଟାବେଳେ ଖାରବେଳନଗର ଅଞ୍ଚଳରେ ରହୁଥିବା ମାମୁଁ ରଂଜନ ଲେଙ୍କା କହିଥିଲେ ଆଇଆର୍ସି ଘରକୁ ଯାଇ ମା’ ସ୍ୱାସ୍ଥ୍ୟାବସ୍ଥା ବୁଝିବା ଲାଗି। ରଂଜନ ତାଙ୍କ ପୁତୁରାଙ୍କ ସହିତ ରାତି ପ୍ରାୟ ସାଢ଼େ ୧୦ଟାବେଳେ ଆଇଆର୍ସି ଘରେ ପହଞ୍ଚିଥିଲେ। ଦୀର୍ଘ ସମୟ ପର୍ୟ୍ୟନ୍ତ କଲିଂବେଲ୍ ବଜାଇଥିଲେ ମଧ୍ୟ କର୍ଣ୍ଣେଲ ଏହାର କୌଣସି ଉତ୍ତର ଦେଇଥିଲେ। କିଛି ସମୟପରେ କବାଟ ଖୋଲିବା ପରେ ଘର ଭିତରୁ ପ୍ରବଳ ଦୁର୍ଗନ୍ଧ ବାହାରୁଥିଲା। ଭଉଣୀ ଉଷାଶ୍ରୀ କାହିଁ ବୋଲି ରଂଜନ ପଚାରିବାରୁ କର୍ଣ୍ଣେଲ କବାଟ ବନ୍ଦ କରି ଦେଇଥିଲେ। ରଂଜନ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିବା ପରେ ପୁଲିସର ଏକ ଟିମ୍ ଆଇଆର୍ସି ଭିଲେଜ ଘରକୁ ଯାଇ ଛାନ୍ଭିନ୍ କରିବା ପରେ ଜାଣିଥିଲେ ଉଷାଶ୍ରୀଙ୍କୁ ହତ୍ୟା କରାଯାଇଛି। ପୁଲିସ ସେହି ଘରୁ ୨୧ଟି ଷ୍ଟିଲ୍ ଡବା ଓ ଦୁଇଟି ବଡ଼ ବାକ୍ସ ଜବତ କରିଥିଲା ଯେଉଁଥିରେ ଉଷାଶ୍ରୀଙ୍କ ଶବକୁ କାଟି ଖଣ୍ଡଖଣ୍ଡ କରି ରଖାଯାଇଥିଲା। ସେହିପରି ଉଷାଶ୍ରୀଙ୍କ ମୁଣ୍ଡ ଭର୍ତି ଗୋଟିଏ ଟିଫିନ୍, ଆରି, କରତ, ୨୫ ବୋତଲ ଫିନାଇଲ୍, ଚଟାଣ ସଫେଇ ଏସିଡ୍ ଆଦି ମଧ୍ୟ ପୁଲିସ ଜବତ କରିଥିଲା। ସକାଳୁ ସକାଳୁ ଘଟଣା ପ୍ରଘଟ ହେବା ପରେ ସ୍ଥାନୀୟ ଲୋକଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀଙ୍କ ଭିଡ଼ ଜମି ଥିଲା। କିନ୍ତୁ କର୍ଣ୍ଣେଲ ବାରମ୍ବାର କହୁଥିଲେ ସେ ପତ୍ନୀ ଉଷାଶ୍ରୀଙ୍କୁ ହତ୍ୟା କରିନାହାନ୍ତି, ସେ ଆତ୍ମହତ୍ୟା କରିଛନ୍ତି। କମିସନରେଟ୍ ପୁଲିସ ପକ୍ଷରୁ ସୋମନାଥଙ୍କ ଲାଏ ଡିଟେକ୍ସନ୍ ଟେଷ୍ଟ ମଧ୍ୟ କରାଯାଇଥିଲା।
ଅକ୍ଟୋବର ୨୪ରେ ଚାର୍ଜସିଟ୍ ଦାଖଲା କରିଥିଲା ପୁଲିସ
ଏଭଳି ଏକ ଚର୍ଚ୍ଚିତ ହତ୍ୟାକାଣ୍ଡର ତଦନ୍ତ ଦାୟିତ୍ୱ ନେଇଥିଲେ ଏସିପି ବିଷ୍ଣୁ ମିଶ୍ର ଓ ନୂଆପଲ୍ଲୀ ଥାନାର ପୂର୍ବତନ ଇନ୍ସପେକ୍ଟର ଅନୁପ କାନୁନ୍ଗୋ । ପୁଲିସ ତଦନ୍ତ କରି ୩ ମାସ ମଧ୍ୟରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲା । ୭୦ ପୃଷ୍ଠା ସମ୍ବଳିତ ଏହି ଚାର୍ଜସିଟ୍ରେ ଉଲ୍ଲେଖ କରାଯାଇଛି ଯେ ଏହା ଏକ କୋଲଡ୍ ବ୍ଲଡେଡ୍ ମର୍ଡର। ହତ୍ୟାରେ ଏକ ପିତ୍ତଳ ଟର୍ଚ ବ୍ୟବହାର କରାଯାଇଥିଲା। ଯେଉଁଥିରେ ସୋମନାଥ ତାଙ୍କ ପତ୍ନୀ ଉଷାଶ୍ରୀଙ୍କୁ ହତ୍ୟା କରିଥିଲେ।
ପ୍ରମାଣ ମଜଭୁତ ପାଇଁ ଡିଏନ୍ଏ ଟେଷ୍ଟ କରାଇଥିଲା ପୁଲିସ
ଅଭିଯୁକ୍ତ କର୍ଣ୍ଣେଲଙ୍କ ବିରୋଧରେ ପ୍ରମାଣ ମଜଭୁତ କରିବା ଲାଗି ମୃତ ଉଷାଶ୍ରୀଙ୍କ ଡିଏନ୍ଏ, ଭିସେରା, ଖପୁରି ପରୀକ୍ଷା କରାଇଥିଲା ପୁଲିସ। ଏଥିରୁ ପୁଲିସକୁ ମଧ୍ୟ ସ୍ପଷ୍ଟ ପ୍ରମାଣ ମିଳିଛି।
ଏସ୍ଆଇଙ୍କ ସାକ୍ଷ୍ୟ ଉପରେ ଶୁଣାଣି ହୋଇଥିବା ସୂଚନା
ସମୁଦାୟ ଏହି ମାମଲାରେ ପୁଲିସ ୨୯ ଜଣଙ୍କୁ ସାକ୍ଷ୍ୟ ଭାବେ ନେଇଥିଲା । ତଦନ୍ତକାରୀ ଅଫିସରଙ୍କଠାରୁ ଆରମ୍ଭ କରି ଅଭିଯୁକ୍ତ ସୋମନାଥଙ୍କ ପୁଅ ଲଳିତ ପରିଡ଼ା, ଝିଅ ଲେଖା ପରିଡ଼ା, ଶବବ୍ୟବଚ୍ଛେଦ କରାଇଥିବା ଡାକ୍ତର, ପୁଲିସ କନଷ୍ଟେବଲ ପ୍ରମୁଖ । ତେବେ ସମସ୍ତଙ୍କ ସାକ୍ଷ୍ୟ ଗ୍ରହଣ ସାରି କର୍ଣ୍ଣେଲଙ୍କୁ ଆଜୀବନ କାରାବାସ ରାୟ ଶୁଣାଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍ କୋର୍ଟ ।