ମୁଣ୍ଡ ଗଡେଇବା ପାଇଁ ନେଇଥିଲେ ୫୦ ହଜାର ଟଙ୍କା । ଭୁବନେଶ୍ୱର ମିଠା ଦୋକାନୀ ହତ୍ୟାକାଣ୍ଡରେ ୨ ସୁପାରି କିଲର, ଫୁଲବାଣୀ ତୁମୁଡିବନ୍ଧରୁ ଗିରଫ : ଏପର୍ଯ୍ୟନ୍ତ ୮ ଜଣଙ୍କୁ ଗିରଫ କରିଛି କମିସନରେଟ୍ ପୋଲିସ

905

କନକ ବ୍ୟୁରୋ : ଭୁବନେଶ୍ୱର ସାମନ୍ତରାପୁରର ଏହି ଛାତିଥରା ହତ୍ୟାକାଣ୍ଡ ପଛରେ ଥିଲା ସୁପାରିକିଲିଂ । ସିସିଟିଭିରର ଚିତ୍ରରେ ଗାଡି ପଛପଟେ ବସି ଖଣ୍ଡା ଧରି ଗୋଡାଉଥିବା ଏହି ବ୍ୟକ୍ତିଜଣଙ୍କ ହେଉଛନ୍ତି ସୁପାରିକିଲର ।  ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ଖଣ୍ଡା ଧରିଥିବା ସେହି ସୁପାରିକିଲର ଶ୍ରୀତିକ ବିଶ୍ୱାଳ । ଆଉ ଇଏ ହେଉଛି ସୁପାରିକିଲର ଆଶୁତୋଷ ମହାନ୍ତି ।

ଭୁବନେଶ୍ୱର ସାମନ୍ତରାପୁର ମିଠା ଦୋକାନୀଙ୍କୁ ହତ୍ୟା କରିବା ପାଇଁ ଏହି ୨ ସୁପାରି କିଲରଙ୍କ ସହିତ ୪୦ ହଜାରଟଙ୍କାରେ ଡିଲ ହୋଇଥିଲା । ପ୍ରଥମେ ୧୦ ହଜାର, କାମ ସରିବା ପରେ ବଳକା ୩୦ ହଜାର ଟଙ୍କା ଦେବା ପାଇଁ ହୋଇଥିଲା କଥାବାର୍ତା । ପୂର୍ବରୁ ଆତ୍ମସମର୍ପଣ କରିଥିବା ରାଜକୁମାର ବେହେରା ଦେଇଥିଲା ଏହି ସୁପାରି ।

କନ୍ଧମାଳର ଡୁମୁଡ଼ିବନ୍ଧରୁ ଏହି ୨ଜଣଙ୍କୁ ଗିରଫ କରାଯାଇଛି । ଏହା ସହ ମୁଖ୍ୟ ଅଭିଯୁକ୍ତଙ୍କୁ ତୁମୁଡ଼ିବନ୍ଧରେ ଆଶ୍ରୟ ଦେଇଥିବା ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରିଛି କମିଶନରେଟ ପୋଲିସର ସ୍ୱତନ୍ତ୍ର ଟିମ୍ । ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଖଣ୍ଡା ଓ ବାଇକ ମଧ୍ୟ ଜବତ କରାଯାଇଛି । ଗତ ସପ୍ତାହରେ ଭୁବନେଶ୍ୱର ସାମନ୍ତରାପୁର ଛକରେ ବିଚ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ମିଠା ଦୋକାନୀ ଜମ୍ମୁ ସାହୁଙ୍କୁ ହତ୍ୟା କରିଥିଲେ ଏହି ସୁପାରୀ କିଲର । ଏହି ହତ୍ୟାକାଣ୍ଡରେ ଏ ପର୍ଯ୍ୟନ୍ତ ଜଣେ ଆତ୍ମସମର୍ପଣ କରିଥିବା ବେଳେ ୮ ଜଣଙ୍କୁ ଗିରଫ କରାଯାଇଛି ।