ଭୁବନେଶ୍ୱର ମର୍ଡରର ଆସିଲା ଚାଞ୍ଚଲ୍ୟକର ତଥ୍ୟ: ହତ୍ୟା ଅଭିଯୁକ୍ତ ୨ ନାବାଳକଙ୍କ ବାପା ହେଉଛନ୍ତି ପେଶାଦାର ଅପରାଧୀ; ହତ୍ୟା ଘଟଣାରେ ପୁରୀ ଜେଲରେ କାଟୁଛନ୍ତି ବନ୍ଦୀ ଜୀବନ

2,399

କନକ ବ୍ୟୁରୋ: ଭୁବନେଶ୍ୱରରେ ମାକୁ ୨ ନାବାଳକ ହତ୍ୟା କରଥିବା ଘଟଣାର ନୂଆ ତଥ୍ୟ ସାମ୍ନାକୁ ଆସିଛି । ବିଶେଷ ସୁତ୍ରରୁ ମିଳିଥିବା ଖବର ଅନୁସାରେ, ହତ୍ୟାକାଣ୍ଡ ଘଟାଇଥିବା ଦୁଇ ପୁଅର ବାପା ନିହାର ପ୍ରଧାନ ଜଣେ ପେଶାଦାର ହତ୍ୟାକାରୀ । ମେ ୧୩ ୨୦୧୧ରେ ସେ ଅମିତ ପ୍ରଧାନଙ୍କୁ ଗୁଳିକରି ହତ୍ୟା କରିଥିଲେ । ବ୍ରହ୍ମଗିରି ଅଂଚଳରେ ନିହାର ନିଜର ସହଯୋଗୀଙ୍କ ସହ ଏହି ହତ୍ୟା କରିଥିଲା । ପରେ ମାନ୍ୟବର କୋର୍ଟ ମାମଲାର ବିଚାର କରି ସମସ୍ତଙ୍କୁ ଆଜୀବନ କାରାଦଣ୍ଡ ଦେଇଥିଲେ । ଏହି ହତ୍ୟାକାଣ୍ଡରେ ନିହାର ପୁରୀ ସର୍କଲ ଜେଲରେ ବନ୍ଦୀ ଜୀବନ କାଟୁଛନ୍ତି । ପୂର୍ବରୁ ମୃତ ମହିଳାଙ୍କ ସ୍ୱାମୀ ରାଉରକେଲାରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ ବୋଲି କୁହାଯାଇଥିଲା ।

ବୁଧବାର ଗତକାଲି ଭୁବନେଶ୍ୱର ଏୟାରଫିଲ୍ଡ ଥାନା ପ୍ରଧାନସାହିସ୍ଥିତ ଏକ ଆପାର୍ଟମେଂଟରେ ନିଶାସକ୍ତ ମାକୁ ଦୁଇ ନାବାଳକ ପୁଅ ହତ୍ୟା କରିଥିଲେ । ଏହାପରେ ସେମାନେ ଫେରାର ହେବାକୁ ଉଦ୍ୟମ କରିଥିଲେ । ହତ୍ୟାକାଣ୍ଡ ପରେ ଘରୁ ବାହାରକୁ ଯାଇ ପଡୋଶୀ ଆଲମଙ୍କୁ ଫୋନ କରି କହିଥିଲେ ଯେ, କେହି ତାଙ୍କ ମାକୁ ଆକ୍ରମଣ କରିଛି । ମା ଗୁରୁତର ହୋଇ ଘରେ ପଡିଛି । ପୁଣି ଅନ୍ୟ ଏକ ନମ୍ବରରରୁ ପଡୋଶୀଙ୍କ ପାଖକୁ କେହି ଫୋନ କରି ସମାନ କଥା କହିଥିଲେ । ଆଲମ ଘର ଭିତରକୁ ଯାଇ ଅବାକ ହୋଇଯାଇଥିଲେ । ଚଟାଣରେ ମହିଳାଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥା ପଡିରହିଥିଲା ।

ଏ ନେଇ ଏୟାରଫିଲ୍ଡ ଥାନାକୁ ଖବର ଦିଆଯାଇଥିଲା । ପରେ ଦୁଇ ନାବାଳକଙ୍କୁ ଭୁବନେଶ୍ୱର ରେଳବାଇ ଷ୍ଟେସନ ନିକଟରୁ ଠାବ କରାଯାଇଥିଲା । ପଚରାଉଚରା ପରେ ସେମାନେ ହତ୍ୟା କରିଥିବା ସ୍ୱୀକାର କରିଥିଲେ । ଘଟଣା ପରେ ଦୁଇ ପୁଅକୁ ଅଟକ ରଖି ପୁଲିସ ପଚରାଉଚରା କରୁଛି । ଏହି ତଥ୍ୟ ପରେ ଘଟଣାପଛରେ ନିଶା ନା ଅନ୍ୟ କିଛି କାରଣ ସେ ନେଇ ବି ସନ୍ଦେହ ସୃଷ୍ଟି ହୋଇଛି ।