କନକ ବ୍ୟୁରୋ : ପ୍ରଥମେ ଶ୍ରୀମନ୍ଦିରରୁ ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହାର , ପରେ ଶ୍ରୀମନ୍ଦିରର ବିକାଶ ମୂଳକ କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି ଭୁବନେଶ୍ୱର ସାଂସଦ  । ଏହି ଦୁଇଟି ଘଟଣାରେ ଅପରାଜିତାଙ୍କ ଆଭିମୁଖ୍ୟ ଏବେ ବିଜେପି ପାଇଁ ଅଡୁଆ ସୃଷ୍ଟି କରିଛି । ପ୍ରଥମେ ବାଇ-ଲ ଉଚ୍ଛେଦକୁ ଆଇନର ପାଠ ପଢାଇଥିବା ଅପରାଜିତା ଶନିବାର ଶ୍ରୀମନ୍ଦିର ବିକାଶମୂଳକ କାର୍ଯ୍ୟକୁ ପରୋକ୍ଷରେ ବେଆଇନ ବୋଲି ରାଜ୍ୟବାସୀଙ୍କ ଆଗରେ ଚିତ୍ରଣ କରିବାକୁ ପଛାଇ ନାହାନ୍ତି । ଆଉ ଏସବୁ ଭିତରେ ଆଜି ପୁଣିଥରେ ଏକାମ୍ର କ୍ଷେତ୍ର ବୁଲିବା ସହ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଅପରାଜିତା । ବିକାଶମୂଳକ କାର୍ଯ୍ୟ ନାଁରେ ନିଷିଦ୍ଧାଞ୍ଚଳରେ ନିୟମ ଭଙ୍ଗ କରି ପୁରାତନ କୀର୍ତ୍ତିରାଜି ଗୁଡିକର କ୍ଷତି କରାଯାଉଛି ଯାହା ଅତ୍ୟନ୍ତ ପୀଡାଦାୟକ ବୋଲି କହିଛନ୍ତି ଅପରାଜିତା । 

Advertisment

ଗୋଟିଏ ପଟେ ଅପରାଜିତା ଲଗାତାର ଏହି ସବୁ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଥିବା ବେଳେ ଅନ୍ୟପଟେ ରାଜ୍ୟ ବିଜେପି କିନ୍ତୁ ଶ୍ରୀମନ୍ଦିର ପରିକ୍ରମା ଯୋଜନାକୁ  ସ୍ୱାଗତ କରିଛି । ଏହାଛଡା ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଦରମାରୁ ଲକ୍ଷେ ଟଙ୍କା ଦେଇ ଶ୍ରୀମନ୍ଦିର ବିକାଶମୂଳକ କାର୍ଯ୍ୟରେ ସହଯୋଗର ହାତ ମଧ୍ୟ ବଢାଇଛନ୍ତି । ଏପରିକି ଶ୍ରୀମନ୍ଦିରର ବିକାଶମୂଳକ କାର୍ଯ୍ୟରେ କେନ୍ଦ୍ର ସରକାର ଅଧିକ ସହଯୋଗ କରିବେ ବୋଲି ଧର୍ମେନ୍ଦ୍ର ପ୍ରତିଶ୍ରୁତି ଦେଇଛନ୍ତି । ସେଭଳି ସ୍ଥଳେ ଶ୍ରୀମନ୍ଦିର ବିକାଶମୂଳକ କାର୍ଯ୍ୟ ଉପରେ ଅସନ୍ତୋଷ ପ୍ରକାଶ କରି କଣ ସଂକେତ ଦେବାକୁ ଚାହୁଁଛନ୍ତି ଅପରାଜିତା? ଏଭଳି କରି ମୋଦି ସରକାରଙ୍କ ସହଯୋଗ ଉପରେ ପ୍ରଶ୍ନ ଉଠାଉନାହାନ୍ତି କି ଅପରାଜିତା? 

ତେବେ ପାର୍ଟି ଲାଇନରୁ ବାହାରେ ରହି ନିଜସ୍ୱ ମତ ଦେବା ଅପରାଜିତାଙ୍କ ପାଇଁ କିଛି ନୂଆ କଥା ନୁହେଁ । ଖାସକରି ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହାର କରିବାକୁ ଯେତେବେଳେ ଉଭୟ ବିଜେପି ଓ ବିଜେଡିର ସାଂସଦ ମାନେ ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଥିଲେ ସେତେବେଳେ ଦିଲ୍ଲୀରେ ଥାଇ ସୁଦ୍ଧା ଏ ପ୍ରସଙ୍ଗରେ ଥରୁଟିଏ ମଧ୍ୟ ମୁହଁ ଖୋଲିନଥିଲେ ଅପରାଜିତା । ଏପରିକି କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବା ପୂର୍ବରୁ ଅପରାଜିତାଙ୍କୁ ଡକାଯାଇଥିଲେ ମଧ୍ୟ ସେ ଆସିନଥିଲେ ବୋଲି ଅଭିଯୋଗ ଆଣିଥିଲେ ବିଜେଡି ସାଂସଦ ଅନୁଭବ ମହାନ୍ତି । କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବା ପରେ ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହୃତ ହୋଇଥିଲା । ଏନେଇ ବିଜେପିର ନେତୃବୃନ୍ଦ କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । କିନ୍ତୁ ବାଇ-ଲ ପ୍ରତ୍ୟାହୃତ ହେବା ପରେ ଅପରାଜିତାଙ୍କ ଭିନ୍ନ ଆଭିମୁଖ୍ୟ ଦେଖିବାକୁ ମିଳିଥିଲା । ବାଇ-ଲକୁ ନେଇ ଆଇନର ପାଠ ପଢାଇଥିଲେ ଅପରାଜିତା । ଆଉ ଗତ ଶନିବାର ଶ୍ରୀମନ୍ଦିର ବିକାଶମୂଳକ କାର୍ଯ୍ୟକୁ ଯେତେବେଳେ ରାଜ୍ୟ ବିଜେପି ପସନ୍ଦ କରିଛି ସେତେବେଳେ ଅପରାଜିତା ଏହି ବିକାଶମୂଳକ କାର୍ଯ୍ୟକୁ ବେଆଇନର ଟ୍ୟାଗ୍ ଦେବାକୁ ପଛାଇନାହାନ୍ତି । କିନ୍ତୁ ଏଠି ପ୍ରଶ୍ନ ଉଠୁଛି ଦଳର ମତ ସହିତ ଅପରାଜିତାଙ୍କ ମତ ମିଶୁନି କାହିଁକି? ଦଳ ସହ କାହିଁକି ସ୍ୱର ମିଳାଇ ପାରୁନାହାନ୍ତି ଅପରାଜିତା? ନା ଦଳୀୟ ସଙ୍ଗଠନ ଛାଡି ନିଜସ୍ୱ ସଙ୍ଗଠନ ଭଳି ଦଳ ବାହାରେ ମତ ରଖିବାକୁ ଅଧିକ ପସନ୍ଦ କରୁଛନ୍ତି ଅପରାଜିତା?

ଏଭଳି ପ୍ରଶ୍ନ ଏଥିପାଇଁ ଉଠୁଛି, କାରଣ ଭୁବନେଶ୍ୱରରୁ ସାଂସଦ ଭାବେ ନିର୍ବାଚିତ ହେବା ପରେ ଦଳୀୟ ସଙ୍ଗଠନକୁ ସୁଦୃଢ କରିବା ପରିବର୍ତ୍ତେ ନିଜସ୍ୱ ସଙ୍ଗଠନ ଉପରେ ଅପରାଜିତା ଗୁରୁତ୍ୱ ଦେଉଥିବା ନେଇ ଅନେକବାର ଦଳୀୟ ମହଲରେ ଚର୍ଚ୍ଚା ହୋଇଛି । ଦଳୀୟ ନେତାଙ୍କୁ ଅଣଦେଖା କରାଯାଉଥିବା ନେଇ ଅପରାଜିତାଙ୍କ ନାଁରେ ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି । ବିଜେପିରେ ଅପରାଜିତାଙ୍କ ଏଭଳି ଆଭିମୁଖ୍ୟକୁ ନେଇ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଛି । ଆଉ ଏଭଳି ସ୍ଥଳେ ଦଳୀୟ ମତକୁ ଚ୍ୟାଲେଞ୍ଜ କଲା ଭଳି ବୟାନ ରଖୁଛନ୍ତି ଭୁବନେଶ୍ୱର ସାଂସଦ ।