କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ରାଜଧର୍ମ ପାଳନ କରନ୍ତୁ । ଆକ୍ରମଣ ସମୟର ଫଟୋ ଜାରି କରି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଏହା କହିଛନ୍ତି । ଗତକାଲି ସାଂସଦ ନିଜ ନିର୍ବାଚନମଣ୍ଡଳୀର ବାଲିପାଟଣା ଗସ୍ତ କରିଥିଲେ । ଏହି ସମୟରେ ଅପରାଜିତା ବିରୋଧର ସାମ୍ନା କରିଥିଲେ । ଏହି ଆକ୍ରମଣରୁ ପ୍ରାୟୋଜିତ ବିରୋଧ ବୋଲି ଅପରାଜିତା କହିଛନ୍ତି । ମହିଳା ସଶକ୍ତିକରଣ ନାଁରେ ମିଶନଶକ୍ତି ମହିଳାଙ୍କୁ ଆକ୍ରମଣ ପାଇଁ ବ୍ୟବହାର କରାଯାଉଛି ବୋଲି ଅପରାଜିତା କହିଛନ୍ତି ।

Advertisment

ଅପରାଜିତା ଷଡ଼ଙ୍ଗୀ ଯେଉଁ ଫଟୋ ଜାରି କରିଛନ୍ତି, ସେଥିରେ ମହିଳା ମାନେ ଟେକା ପଥର, ଅଣ୍ଡା ଓ କଳାପତାକା ଧରିଥିବା ଦେଖିବାକୁ ମିଳିଛି । ଗତକାଲି ସାଂସଦ ଷଡଙ୍ଗୀଙ୍କୁ ବାଲିପାଟଣାରେ ବିରୋଧ କରି ଦୁଇ ଗୋଷ୍ଠୀ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଛି । ବାଲିପାଟଣା ଅଠାନ୍ତର ରାସ୍ତାରେ ଅପରାଜିତାଙ୍କ ସମର୍ଥକ ଓ ଅନ୍ୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଅଠାନ୍ତରର ଗିରିଙ୍ଗେଶ୍ୱରୀ ପୀଠରେ ବିଜେପିର ବୁଥ ସଶକ୍ତୀକରଣ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଯାଉଥିଲେ ବିଜେପି ସାଂସଦ । ଅଠାନ୍ତର ରାସ୍ତାରେ ସ୍ଥାନୀୟ ଅଂଚଳର କିଛି ଲୋକ ସାଂସଦଙ୍କୁ ବିରୋଧ କରି ରାସ୍ତା ଉପରକୁ ଆସିଯାଇଥିଲେ । ସାଂସଦଙ୍କ ସମର୍ଥକ ଏହାକୁ ପ୍ରତିବାଦ କରିବାରୁ ଦୁଇ ଗୋଷ୍ଠୀ ମଧ୍ୟରେ କଥାକଟାକଟି ହୋଇଥିଲା । ଏହାପରେ ଉତେଜନା ବଢି ମାରପିଟ ଯାଏଁ କଥା ଯାଇଥିଲା । ଆଉ ରାସ୍ତାରେ ଅଟକି ରହିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ।

ସାଂଘାତିକ କଥା ହେଉଛି, ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ ପୋଲିସ ଉପସ୍ଥିତିରେ ହୋଇଥିଲେ ପୋଲିସ ଏହି ଗଣ୍ଡଗୋଳକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି । ଏହାକୁ ନେଇ ସାଂସଦଙ୍କ ସମର୍ଥକଙ୍କ ମଧ୍ୟରେ ତୀବ୍ର ଉତେଜନା ପ୍ରକାଶ ପାଇଛି । ଭୁବନେଶ୍ୱର ସାଂସଦ ତାଙ୍କ କାର୍ଯ୍ୟକ୍ରମରେ ଆଗକୁ ବିଶୃଙ୍ଖଳା ହେଲେ ରାଜ୍ୟ ସରକାର ଦାୟୀ ରହିବେ ବୋଲି କହିଛନ୍ତି ।