ରାଜଧାନୀରେ ସାଂସଦ ଅପରାଜିତାଙ୍କ ନିଖୋଜ ପୋଷ୍ଟର । ପୋଷ୍ଟର ମାରିବା ଘଟଣାକୁ ନେଇ ଗୋଷ୍ଠୀସଂଘର୍ଷ । ବ୍ୟକ୍ତିଗତ ସହାୟକଙ୍କୁ ଗିରଫ କଲା ପୋଲିସ ।

168

କନକ ବ୍ୟୁରୋ: ରାଜ୍ୟ ରାଜନୀତିରେ ପୁଣି ଅପରାଜିତାଙ୍କୁ ନେଇ ବିବାଦ । ପ୍ରଥମ ଥର ପାଇଁ ସାଂସଦ ବନିଥିବା ଅପରାଜିତା କିନ୍ତୁ ଏଥର ମନ୍ଦିର ବିବାଦ ଭିତରେ ଛନ୍ଦି ହୋଇଯାଇଛନ୍ତି । ଏକାମ୍ରକ୍ଷେତ୍ର ଉପରେ ବାଇ-ଲ କଟକଣା ସତ୍ତେ୍ୱ କାହିଁକି ଅପରାଜିତା ଚୁପ ରହିଲେ, ତାକୁ ନେଇ ପ୍ରଶ୍ନ ଉଠିଛି । ରାଜଧାନୀରେ ଲାଗିଛି ସାଂସଦଙ୍କ ନିଖୋଜ ପୋଷ୍ଟର । କାନ୍ଥବାଡ, ଗଳିକନ୍ଦିରେ ଲାଗିଥିବା ଏହି ପୋଷ୍ଟରରେ ବଡ ବଡ ଅକ୍ଷରରେ ଲେଖାଯାଇଛି, ଭୁବନେଶ୍ୱର ସାଂସଦ ନିଖୋଜ? କେଉଁଠି ଲୁଚିଛନ୍ତି? ମୁହଁ ଖୋଲିବେ କେବେ?

ଏପଟେ ପୋଷ୍ଟରକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ ଏହି ଘଟଣାରେ ସାଂସଦଙ୍କ ବ୍ୟକ୍ତିଗତ ସହାୟକ ଧନେଶ୍ୱର ବାରିକଙ୍କୁ ଗିରଫ କରିଛି ପୁଲିସ । ତାଙ୍କ ସହ ସହଯୋଗୀ ଦିବ୍ୟଜ୍ୟୋତି ପଣ୍ଡାଙ୍କୁ ମଧ୍ୟ ଗିରଫ କରାଯାଇଛି । ରାଜଧାନୀରେ ପୋଷ୍ଟର ମାରିବା ଘଟଣାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ମିଳିଥିବା ସୂଚନା ଅନୁସାରେ ପୋଷ୍ଟର ମାରୁଥିବା ବେଳେ କିଛି ଯୁବକଙ୍କୁ ଦେଖିଥିଲେ ଅପରାଜିତାଙ୍କ ବ୍ୟକ୍ତିଗତ ସହାୟକ । ଏହାପରେ ଗଣ୍ଡଗୋଳ ଆରମ୍ଭ ହୋଇଯାଇଥିଲା । କୁହାଯାଉଛି, ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଜୋରଦାର ଆକ୍ରମଣ-ପ୍ରତି ଆକ୍ରମଣ ଚାଲିଲା । ଏହାପରେ ମାମଲା ଥାନାକୁ ଗଲା । ଅପରାଜିତାଙ୍କ ବ୍ୟକ୍ତିଗତ ସହାୟକ ଧନେଶ୍ୱର ବାରିକ ଓ ଦିବ୍ୟଜ୍ୟୋତି ସେମାନଙ୍କୁ ଆକ୍ରମଣ କରିଥିଲେ ବୋଲି ଥାନାରେ ଅଭିଯୋଗ ହୋଇଛି । ଏହି ଘଟଣା ପରେ ସେମାନଙ୍କୁ ଗିରଫ କରିଥିଲା ପୁଲିସ ।

ସେପଟେ ନିଖୋଜ ପୋଷ୍ଟରକୁ ନେଇ ଟୁଇଟ କରି ପ୍ରତିକ୍ରିୟା ଦେଇଛନ୍ତି ଅପରାଜିତା ଷଡଙ୍ଗୀ । ଟୁଇଟରେ ଲେଖିଛନ୍ତି ଭୁବନେଶ୍ୱରବାସୀ ତାଙ୍କୁ ଖୋଜୁଥିବା ଜାଣି ଖୁସି ହୋଇଛନ୍ତି । ଫେବୃଆରି ୧୫ ପରେ ଭୁବନେଶ୍ୱର ପହଂଚିି ଲୋକଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନେବେ । ଗତକାଲି ଅଶୋକ ପଣ୍ଡା ଟୁଇଟ କରି ବାଇ-ଲ ବିବାଦରେ ସାଂସଦ କାହିଁକି ଚୁପ ବୋଲି ପ୍ରଶ୍ନ କରିଥିଲେ । ଦିନକ ପରେ ରାଜଧାନୀରେ ସାଂସଦଙ୍କ ନିଖୋଜ ପୋଷ୍ଟର ଲାଗିବା ଘଟଣା ବିବାଦକୁ ଆହୁରି ବଢାଇ ଦେଇଛି । ଏକାମ୍ରକ୍ଷେତ୍ରର ବାଇ-ଲ’ ପ୍ରସ୍ତାବ ବିବାଦରେ ଆରମ୍ଭରୁ ଛନ୍ଦି ହୋଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଆଗକୁ ଅଧ୍ୟାଦେଶ ପ୍ରତ୍ୟାହାରରେ ସାଂସଦ ଅପରାଜିତାଙ୍କ ଭୂମିକା କଣ ରହୁଛି, ତା ଉପରେ ସମସ୍ତଙ୍କ ନଜର ରହିଛି ।