ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଘଟଣାରେ ଓଟିଭି ଏମଡିଙ୍କୁ ମହିଳା କମିଶନଙ୍କ ନୋଟିସ୍ । ବ୍ୟକ୍ତିଗତ ଭାବେ ହାଜର ନହେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ, ପୀଡ଼ିତା ଓ ଓଟିଭି ଏମଡିଙ୍କ କଥାବାର୍ତ୍ତାର ଅଡିଓ କ୍ଲିପ୍ ଆଧାରରେ ନୋଟିସ୍ ।

949

କନକ ବ୍ୟୁରୋ : ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଭିମୁଖ୍ୟ କଡା କରି ମହିଳା କମିଶନ ଅଧ୍ୟକ୍ଷା କହିଛନ୍ତି, ନିର୍ଦ୍ଦେଶ ମୁତାବକ ଯଦି ଓଟିଭି ଏମଡି ହାଜର ନହୁଅନ୍ତି ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କମିଶନଙ୍କ ନିକଟରେ ହାଜର ହେବାକୁ ନୋଟିସ ଜାରି କରିବା ପରେ ଆଜି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ଅଧ୍ୟକ୍ଷା ମିନତି ବେହେରା । ସେପଟେ ଭୁବନେଶ୍ୱର ଡିସିପି କହିଛନ୍ତି , ଘଟଣା ସହ ସମ୍ପୃକ୍ତ ଥିବା ସାକ୍ଷୀମାନଙ୍କୁ ପଚରା ଉଚରା କରାଯାଉଛି ।

ଓଟିଭି ଏମଡିଙ୍କୁ ମହିଳା କମିଶନଙ୍କ ନୋଟିସ୍ । ହାଜର ନହେଲେ ହୋଇପାରେ କାର୍ଯ୍ୟାନୁଷ୍ଠାନ । ନାବାଳିକା ଗଣଦୁଷ୍କର୍ମ ମାମଲାରେ ନୋଟିସ୍ । ପୀଡ଼ିତାଙ୍କ ମା’ ଏବଂ ଓଟିଭି ଏମଡିଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ଅଡିଓ କ୍ଲିପ୍ ଆଧାରରେ ହେବ ୧୩ ବର୍ଷିୟ ନାବାଳିକା ଗଣଦୁଷ୍କର୍ମ ଘଟଣାର ତଦନ୍ତ । ପୀଡ଼ିତାଙ୍କ ମା’ ଆଣିଥିବା ଅଭିଯୋଗକୁ ଆଧାର କରି ଓଟିଭି ଏମଡିଙ୍କୁ ନୋଟିସ୍ କରିଛନ୍ତି, ରାଜ୍ୟ ମହିଳା କମିଶନ ।

ଆସନ୍ତା ୨୧ ତାରିଖ ପୂର୍ବାହ୍ନ ୧୧ଟାରେ ଓଟିଭି ଏମଡିଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନୋଟିସ୍ ହୋଇଛି । ବଡ଼ କଥା ହେଉଛି ଯଦି ଓଟିଭି ଏମଡି ହାଜର ନହୁଅନ୍ତି ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନ ଅଧ୍ୟକ୍ଷା କହିଛନ୍ତି ।

ତେବେ ପ୍ରଶ୍ନ ଉଠୁଛି, ଅଡିଓ ଟେପରେ ରହିଛି କ’ଣ ? କାହିଁକି ଗୁରୁତ୍ୱ ଦେଉଛନ୍ତି ମହିଳା କମିଶନ ? ଏହି ଅଡିଓ କ୍ଲିପରେ ରହିଛି ଲକଡାଉନ୍ ଲଜ୍ଜ୍ୟା ଘଟଣାର ପୁରା କାହାଣୀ । ଗଣଦୁଷ୍କର୍ମ ଘଟଣାରେ କିଏ କିଏ ସଂପୃକ୍ତ ଥିଲେ? ଏହି ଜଘନ୍ୟକାଣ୍ଡରେ ଓଟିଭି କର୍ମଚାରୀଙ୍କ ଭୂମିକା କ’ଣ ? ଓଟିଭି ଏମଡିଙ୍କ ସହ କଥା ହେବା ବେଳେ ପୁରା ବଖାଣିଛନ୍ତି ପୀଡ଼ିତାଙ୍କ ମା’ ।

ଏପଟେ ଘଟଣାର ତଦନ୍ତ ନେଇ ସୂଚନା ଦେଇଛନ୍ତି ଡିପିସି । ସେ କହିଛନ୍ତି, ଏଫଆଇଆର୍ କପିରେ ନାଁ ନଥିବା ବ୍ୟକ୍ତିଙ୍କୁ ମଧ୍ୟ ପଚାରାଉଚୁରା କରାଯିବ । କାରଣ ସେମାନଙ୍କ ନିକଟରୁ ତଥ୍ୟ ମିଳିବାର ଆଶା ରହିଛି । ସେହିପରି ଘଟଣା ସହ ସଂପୃକ୍ତ ଥିବା ସାକ୍ଷୀମାନଙ୍କୁ ପଚରାଉଚୁରା କରାଯାଉଥିବା ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିପିସି ।

ଆଉ ଏସବୁ ଭିତରେ ପୁଲିସର ତଦନ୍ତର ଦିଗକୁ ନେଇ ବି ସନ୍ଦେହ ଉଠୁଛି । କାରଣ, ଏହି ଜଘନ୍ୟ କାଣ୍ଡରେ ଓଟିଭି ଭଳି ଏକ ପ୍ରତିଷ୍ଠିତ ଗଣମାଧ୍ୟମର କର୍ମଚାରୀ ସଂପୃକ୍ତ ଅଛନ୍ତି । ଏବଂ ଯେଉଁ ପୁଲିସ୍ ଘଟଣାର ତଦନ୍ତ କରୁଛି, ସେହି ପୁଲିସ୍ କର୍ମଚାରୀଙ୍କ ନାଁରେ ଅଭିଯୋଗ ରହିଛି । ଆଉ ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି ପଛଘୁଂଚା ଦେଉଛି କି ପୁଲିସ୍ ?