ଦେଶର ଶ୍ରେଷ୍ଠ ପାଣିପାଗ କେନ୍ଦ୍ର ଭାବେ ପୁରସ୍କୃତ ହେଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ଷା, ବାତ୍ୟାର ସଠିକ ସୂଚନା ଦେଉଥିବାରୁ ମିଳିଲା ସମ୍ମାନ

729

କନକ ବ୍ୟୁରୋ: ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରକୁ ମିଳିଲା ସମ୍ମାନ । ଦେଶର ଶ୍ରେଷ୍ଠ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭାବେ ପୁରସ୍କୃତ ହେଲା ଭୁବନେଶ୍ୱର ପାଣିପାଗ କେନ୍ଦ୍ର । ପାଣିପାଗର ସଠିକ ଆକଳନ ସହ ବାତ୍ୟା, ବର୍ଷା ଓ ଖରାର ସଠିକ ସୂଚନା ଆଗୁଆ ଦେଉଥିବାରୁ ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ପୁରସ୍କାର ମିଳିଲା ।

ତେବେ ଓଡିଶାର ପାଣିପାଗ ସହ ବିଭିନ୍ନ ସମୟରେ ଓଡିଶା ଉପରକୁ ମାଡି ଆସୁଥିବା ବାତ୍ୟାର ଆଗୁଆ ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ମହାବାତ୍ୟା ପରେ ଓଡିଶା ଉପରେ ପ୍ରଭାବ ପକାଇଥିବା ଅନେକ ବାତ୍ୟାର ଗତିବିଧି ଉପରେ ଆଗୁଆ ଆକଳନ କରି ଓଡିଶାବାସୀଙ୍କ ସହ ରାଜ୍ୟ ସରକାରଙ୍କୁ ସତର୍କ କରାଇଛି ପାଣିପାଗ କେନ୍ଦ୍ର । ହୁଡୁହୁଡୁ, ଫାଇଲିନ, ଫନି ଓ ବୁଲୁବୁଲ ଭଳି ବାତ୍ୟାର ଆଗୁଆ ଅନୁମାନ କରି ଏହା ରାଜ୍ୟ ଉପରେ କେତେ ପ୍ରଭାବ ପକାଇବ ? କେଉଁ ଦିଗ ଦେଇ ଗତି କରିବ ? ଆଉ ଓଡିଶାର କେଉଁ କେଉଁ ଅଞ୍ଚଳ ପ୍ରଭାବିତ ହେବ? ଏ ସମସ୍ତ ଦିଗ ଉପରେ ସଠିକ ଆକଳନ କରି ସତର୍କ କରାଇଛି ପାଣିପାଗ କେନ୍ଦ୍ର ।

ଖାଲି ବନ୍ୟା, ବାତ୍ୟା ନୁହେଁ ଖରା ଦିନରେ ତାପମାତ୍ରା ଓ ଶୀତ ଦିନେ କୁହୁଡିର ପରିମାଣ ଆଦିକୁ ସଠିକ ଅନ୍ଦାଜ ଲଗାଇ ଲୋକଙ୍କୁ ସଚେତନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଉ ଏଥିପାଇଁ ପାଣିପାଗ କେନ୍ଦ୍ରକୁ ମିଳିଛି ସମ୍ମାନ । ତେବେ ଭାରତୀୟ ପାଣିପାଗ କେନ୍ଦ୍ରର ୧୪୫ତମ ପ୍ରତିଷ୍ଠା ଦିବସରେ ଏହି ପୁରସ୍କାର ଗ୍ରହଣ କରିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ମୁଖ୍ୟ ଏଚ.ଆର ବିଶ୍ୱାସ ।