କନକ ବ୍ୟୁରୋ : ତତେ ମାରିଦେବି, ମୁଁ ମରିଯିବି। ଏହା କୌଣସି ନାଟକର ସଂଳାପ ନୁହେଁ। ଜଣେ ହତ୍ୟା ଅଭିଯୁକ୍ତର ଚାଞ୍ଚଲ୍ୟକର ସ୍ବୀକାରୋକ୍ତି। ପୂରା ଘଟଣା କୌଣସି କ୍ରାଇମ୍ ଥ୍ରିଲର ଚଳଚ୍ଚିତ୍ରର କାହାଣୀ ଓ ଦୃଶ୍ୟଠୁ ବି ଭୟଙ୍କର। ସୋମବାର ମଧ୍ୟାହ୍ନରେ ଜଣେ ଯୁବକ ଜଣେ ବିବାହିତା ମହିଳାଙ୍କ ଘରେ ପଶି ତାଙ୍କୁ ହତ୍ୟା କରିବା ପରେ ନିଜେ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ରାଜଧାନୀବାସୀଙ୍କୁ ସ୍ତବ୍ଧ କରିଦେଇଛି। ସୌଭାଗ୍ୟବଶତଃ ରକ୍ତମୁଖା ଯୁବକ କବଳରୁ ଅଳ୍ପକେ ବର୍ତ୍ତି ଯାଇଛି ମହିଳାଙ୍କ ୩ ବର୍ଷର କୁନିପୁଅ। ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି ଏୟାରଫିଲ୍ଡ ଥାନା ଭୀମଟାଙ୍ଗି ହାଉସିଂ ବୋର୍ଡ କଲୋନିରେ।
ତେବେ, ମହିଳାଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯିବା କାରଣ ଏବେ ବି ଅସ୍ପଷ୍ଟ ହୋଇ ରହିଛି । ମହିଳାଙ୍କ ସ୍ୱାମୀଙ୍କ ଅନୁପସ୍ଥିତିରେ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ କଣ ପାଇଁ ହତ୍ୟାକଲା ଓ ପରେ ଭିଡିଓ କଲ ସେ ତାହା ଏବେ ବି ରହସ୍ୟ ଘେରରେ ରହିଛି । ଏହା ପଛରେ କଣ ରହିଛି ଗୁମର ସେ ନେଇ ପୁଲିସ ଛାନଭିନ କରୁଛି । ଗତକାଲି ଦିନରେ ଜଗନ୍ନାଥ ପ୍ରଧାନ ପ୍ରିୟଦର୍ଶିନୀଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିଲା । ତେବେ ଜଗନ୍ନାଥ କାହିଁକି ଏତେ ବଡ କାଣ୍ଡ ଘଟାଇଲା ତାହା ସ୍ପଷ୍ଟ ହୋଇନାହିଁ ।
ହତ୍ୟାକାରୀ ବାବଦରେ ସୂଚନା ମିଳିଛି । ଜଗନ୍ନାଥ ପ୍ରଧାନଙ୍କ ବାପା ବୃତିରେ ଜଣେ ବସ ଡ୍ରାଇଭର ଥିଲେ । ପରେ ଭଡାଘର ବାରଣ୍ଡାରେ ୨ରୁ ୩ ମାସ ହେବ ସେ ଜଳଖିଆ ଦୋକାନ ଖୋଲିଥିଲେ । ଗତକାଲି ଦିନ ୯ଟା ଯାଏଁ ସେ ବଡମଙ୍ଗଲପୁର ଗାଁରେ ନିଜ ଭଡାଘରେ ଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ୧୦ଟାବେଳକୁ ଧର୍ମଶାଳା ବଜାରକୁ ଯାଇଥିଲେ ଜଗନ୍ନାଥ । ଏହାପରେ ସେ ଆଉ ଘରକୁ ଫେରିନଥିଲେ । ଏହି ପୁରା ହତ୍ୟାକାଣ୍ଡର ଖୁଲାସା ହୋଇଥିଲା ଯେତେବେଳେ ଏକ ଅଜଣା ନମ୍ବରରୁ ପ୍ରିୟଦର୍ଶୀନୀଙ୍କ ସ୍ୱାମୀ ରାକେଶ ସାହୁଙ୍କ ନିକଟକୁ ଆସିଥିଲା ହ୍ୱାଟସଆପ୍ ଭିଡିଓ କଲ୍, ଯେଉଁଥିରେ ରକ୍ତଜୁଡୁବୁଡୁ ନିଜ ସ୍ତ୍ରୀର ମୃତଦେହ ଦେଖି ବ୍ୟତିବ୍ୟସ୍ତ ହୋଇ ଉଠିଥିଲେ ରାକେଶ, ଆଉ ତୁରନ୍ତ ଘର ମାଲିକ ଓ ପୁଲିସକୁ ଫୋନ କରି ଅବଗତ କରାଇଥିଲେ ।
ଘଟଣାସ୍ଥଳର ସାମଗ୍ରିକ ଚିତ୍ର ଓ ମିଳିଥିବା ନୋଟ କହୁଥିଲା କିଭଳି ଏକ ବୀଭତ୍ସ ହତ୍ୟକାଣ୍ଡର ସ୍କ୍ରିପଟ ଧରି ଅଭିଯୁକ୍ତ ଜଗନ୍ନାଥ ଆସିଥିଲା ଭୁବନେଶ୍ୱରର ଭୀମଠାଙ୍ଗୀ । ଉଭୟ ମାଆ ଓ ପୁଅକୁ ହତ୍ୟା କରି ଆତ୍ମହତ୍ୟା କରିବାର ମସୁଧା କରିଥିଲା, ହେଲେ ସଂଯୋଗବଶତଃ ପୁଅଟି ବର୍ତ୍ତି ଯାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/29-1.jpg)