ରାଜଧାନୀରେ ମହିଳାଙ୍କୁ ହତ୍ୟାକାଣ୍ଡ ଘଟଣା : ଆଗକୁ ଆସୁଛି ନୂଆ ନୂଆ ତଥ୍ୟ : ମାରିବା ପୂର୍ବରୁ ପ୍ରିୟଙ୍କାଙ୍କୁ ସିନ୍ଦୁର ପିନ୍ଧାଇବା ପାଇଁ ଚେଷ୍ଟା କରିଥିଲା ଜଗନ୍ନାଥ; ମୃତଦେହ ପାଖରେ ଖେଳେଇ ପଡ଼ିଛି ସିନ୍ଦୁର

2,814

କନକ ବ୍ୟୁରୋ : ଭୀମଟାଙ୍ଗି ପ୍ରିୟଙ୍କା ହତ୍ୟା ଘଟଣାର ଅନେକ ଦିଗକୁ ତଦନ୍ତ କରୁଛି ପୋଲିସ । ଏହା ଭିତରେ ଅଭିଯୁକ୍ତ ଜଗନ୍ନାଥ ହତ୍ୟା ପୂର୍ବରୁ ପ୍ରିୟଙ୍କାଙ୍କୁ ସିନ୍ଦୁର ପିନ୍ଧାଇବା ଚେଷ୍ଟା କରିବା ଘଟଣା ସାମନାକୁ ଆସିଛି । ମୃତଦେହ ନିକଟରେ ସିନ୍ଦୁର ଫରୁଆ ଖୋଲା ହୋଇ ପଡିଥିବା ଦେଖିବାକୁ ମିଳିବା ସହ ପ୍ରିୟଙ୍କାଙ୍କ ମଥାରେ ସିନ୍ଦୁର ବୋଳା ହୋଇଥିବା ନଜରକୁ ଆସିଛି ।

ଏପରି ଘଟଣା ଏହି ଲୋମହର୍ଷଣକାରୀ ହତ୍ୟା ଘଟଣାରେ ଅଭିଯୁକ୍ତର ଉଦ୍ଦେଶ୍ୟକୁ ସାମନାକୁ ଆଣିଛି । ଯାହା ଅନୁମାନ କରାଯାଉଛି ହତ୍ୟା ପୂର୍ବରୁ ପ୍ରିୟଙ୍କାଙ୍କୁ ଜବରଦସ୍ତି ସିନ୍ଦୁର ପିନ୍ଧାଇବାକୁ ଚେଷ୍ଟା କରିଥାଇ ପାରେ ଅଭିଯୁକ୍ତ । ପୂର୍ବରୁ ବିବାହିତା ପ୍ରିୟଙ୍କା ହୁଏତ ଏହାକୁ ବିରୋଧ କରିଥିବେ । ଯାହାକୁ ନେଇ ଉତ୍ୟକ୍ତ ଜଗନ୍ନାଥ ପ୍ରିୟଙ୍କାଙ୍କୁ ଆକ୍ରମଣ କରିଥାଇପାରେ । ତେବେ ପୋଷ୍ଟମଟମ ଓ ପୋଲିସ ତଦନ୍ତ ପରେ ପ୍ରକୃତ ସତ୍ୟ ସାମନାକୁ ଆସିବ ।

ମିଳିଥିବା ସୂଚନା ଅନୁସାରେ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନର ଘର ଯାଜପୁର ଧର୍ମଶାଳାରେ । ସେହିପରି ମୃତ ପ୍ରିୟଙ୍କା ପ୍ରିୟଦର୍ଶିନୀ ଓରଫ ରିଙ୍କିଙ୍କ ଘର ମଧ୍ୟ ଧର୍ମଶାଳା ବନ୍ଧଡିହ ଅଂଚଳରେ ବୋଲି ଜଣାପଡିଛି । ସେମାନଙ୍କ ଭିତରେ ପ୍ରାୟ ୧୦ବର୍ଷ ତଳୁ ଚିହ୍ନା ପରିଚୟ ଥିଲା । ଜଗନ୍ନାଥ ରିଙ୍କିଙ୍କୁ ବିବାହ କରିବାକୁ ଚାହୁଁଥିବାବେଳେ ୨୦୧୫ରେ ରାକେଶଙ୍କ ସହ ରିଙ୍କିଙ୍କ ବିବାହ ହୋଇଯାଇଥିଲା । ବିବାହ ପରେ ମଧ୍ୟ ଜଗନ୍ନାଥ ତାଙ୍କ ସହ ଯୋଗାଯୋଗ କରୁଥିଲା । ଏପିରିକି ସେ କେତେଥର ରିଙ୍କିଙ୍କ ଭୀମଟାଙ୍ଗୀ ସ୍ଥିତ ଘରକୁ ଆସିଥିବା ସୂଚନା ମିଳିଛି ।

ଘଟଣାସ୍ଥଳର ସାମଗ୍ରିକ ଚିତ୍ର ଓ ମିଳିଥିବା ନୋଟ କହୁଛି, କିଭଳି ଏକ ବୀଭତ୍ସ ହତ୍ୟକାଣ୍ଡର ସ୍କ୍ରିପଟ ଧରି ଅଭିଯୁକ୍ତ ଜଗନ୍ନାଥ ଆସିଥିଲା ଭୁବନେଶ୍ୱର ଭୀମଟାଙ୍ଗୀ । ଉଭୟ ମାଆ ଓ ପୁଅକୁ ହତ୍ୟା କରି ଆତ୍ମହତ୍ୟା କରିବାର ମସୁଧା କରିଥିଲା, ହେଲେ ସଂଯୋଗବଶତଃ ପୁଅଟି ବର୍ତ୍ତି ଯାଇଥିଲେ । ସେପଟେ ଅଭିଯୁକ୍ତ ଜଗନ୍ନାଥଙ୍କ ମାଆ କହିଛନ୍ତି ମୃତ ପ୍ରିୟଙ୍କାଙ୍କ ସହ ତାଙ୍କ ପୁଅର ପୂର୍ବରୁ ରହିଥିଲା ।