କନକ ବ୍ୟୁରୋ : ଆଲୋକର ଏହି ପର୍ବରେ ଲୋକଙ୍କ ମୁହଁରେ ହସ ଫୁଟାଇବାକୁ ଆମେ ଆହ୍ୱନ ଦେଇଥିଲୁ । ଦୁର୍ଘଟଣାର ଶିକାର ହୋଇ ଦୁଇ ହାତ ହରାଇବା ପରେ ପରିବାର ଚଳାଇବା ପାଇଁ କିପରି ଜଣେ ଯୁବକଙ୍କ ସଂଘର୍ଷର କାହାଣୀ, ତାହା ଆମେ ଦେଖାଇଥିଲୁ । ଏ କାହାଣୀ ଦେଖିବା ପରେ ରେଡ ସ୍ୱସ୍ତିକ ସଂଗଠନ ସହାୟତାର ବଢ଼ାଇବାକୁ ଆଗେଇ ଆସିଛି । ପ୍ଲାଷ୍ଟିକର ସ୍ୱତନ୍ତ୍ର ହାତ ଲଗାଇବା ସହ ଆଗାମି ଦିନରେ ସେନ୍ସର ହାତ ଲଗାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ସ୍ଥାୟୀ ଦୋକାନ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ପୂର୍ବତନ କର୍ପୋରେଟର ।
ଏହି ଯୁବକ ଜଣକ ହେଉଛନ୍ତି ମଧୁ ମଣ୍ଡଳ । ଦିନକ ତଳେ ହାତରେ କିଛି ଧରିବା ଅସମ୍ଭବ ଥିଲା । ଆଜି ସେହି ହାତରେ ପାଣି ବୋତଲ ଧରି ନିଜେ ପିଉଛନ୍ତି । ହାତ ହରାଇବା ପରେ ପରିବାର ଚଳାଇବା ପାଇଁ କଟା ହାତରେ ସଂଘର୍ଷ କରୁଥିଲେ ଚିନ୍ତାମଣିଶ୍ୱରର ଏହି ଯୁବକ । ହେଲେ ତାଙ୍କର ଏହି ଯାତ୍ରା ଏତେ ସହଜ ନଥିଲା । ତଥାପି ଜୀବନ ଯୁଦ୍ଧରେ ହାରି ନଯାଇ ବଂଚିବା ପାଇଁ ସଂଘର୍ଷ ଜାରି ରଖିଥିଲେ । ଆଗକୁ ଦୀପାବଳି ଆସୁଥିଲେ ବି ତାଙ୍କ ପାଇଁ ସବୁଦିନ ସମାନ ବୋଲି ଅତି ଦୁଃଖରେ କହିଥିଲେ । ଏବେ କିନ୍ତୁ ସହାୟ୍ତା ପହଁଚିବା ପରେ ସେ ଭାବବିହ୍ୱଳ ହେବା ସହ ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି ।
ମଧୁଙ୍କ ଦୁଃଖର କାହାଣୀ ଜାଣିବା ପରେ ନିଜକୁ ଅଟକାଇ ପାରିନଥିଲେ ସାମାଜିକ ଅନୁଷ୍ଠାନ ରେଡ ସ୍ୱସ୍ତିକ ସଂଗଠନର ଓଡିଶା ମୁଖ୍ୟ ଦେବାଶିଷ୍ ପଟ୍ଟନାୟକ । ସାହାଯ୍ୟ କରିବା ପାଇଁ ଡାକ୍ତରୀ ଟିମ୍ ସହ ଯୋଗାଯୋଗ କରିଥିଲେ । ଆଉ ତାପରେ ମଧୁଙ୍କ ହସ୍ପିଟାଲକୁ ନେଇ ତାଙ୍କ କଟା ହାତରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ପ୍ଲାଷ୍ଟିକ ହାତ ଲଗାଇବାର ବ୍ୟବସ୍ଥା କରିଥିଲେ । ଏବେ ସେହି କୁତ୍ରିମ ହାତରେ ମଧୁ ପାଣି ବୋତଲ ଧରି ପିଇବା ସହ ଚା ମଧ୍ୟ ପିଉଛନ୍ତି । କେବଳ ଏତିକି ନୁହେଁ କୁନି ଝିଅ ମୁଣ୍ଡକୁ ହାତରେ ଆଉଁସି ଦେଇଛନ୍ତି । ସେହିପରି ସହାୟତାର ହାତ ବଢ଼ାଇବା ପାଇଁ ଆଗେଇ ଆସିଛନ୍ତି ବିଏମସିର ପୂର୍ବତନ କର୍ପୋରେଟର ଅମରେଶ ଜେନା । ବଡଗଡ ମାର୍କେଟରେ ମଧୁଙ୍କ ପାଇଁ ଏକ ସ୍ଥାୟୀ ଦୋକାନର ବ୍ୟବସ୍ଥା କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି ।