ହଳଲଙ୍ଗଳ ଧରି ଶିକ୍ଷକ ଆଶାୟୀଙ୍କ ଆନ୍ଦୋଳନ । ଗ୍ରହଶାନ୍ତି ପୂଜା କଲେ ହାଇସ୍କୁଲ ଶିକ୍ଷକ, ବିଜୁଳି ଦରବୃଦ୍ଧି ପ୍ରତିବାଦରେ ବିଧାନସଭା ଘେରିଲା ବିଜେପି ।

180

କନକ ବ୍ୟୁରୋ : ବିଧାନସଭା ଚାଲିଛି ଆଉ ଗାନ୍ଧି ମାର୍ଗରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପ୍ରତିବାଦ ହେଉଛି । ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଦେଇଥିବା ପ୍ରତିକ୍ରିୟାକୁ ବିରୋଧ କରି ହାତରେ ହଳ ଲଙ୍ଗଳ ଧରି ବିରୋଧ ପ୍ରଦର୍ଶନ କରିଥିଲେ କନିଷ୍ଠ ଶିକ୍ଷକ ଆଶାୟୀ ସଂଘ । ଅଭିଯୋଗ ଅନୁସାରେ, ମନ୍ତ୍ରୀ କୁଆଡେ କହିଥିଲେ, ଯଦି ଚାକିରି ନମିଳୁଛି, ଚାଷ କରି ପରିବାର ପୋଷ । ଏହା ପ୍ରତିବାଦରେ ସରକାର ଜମି ଯୋଗାଇ ଦିଅନ୍ତୁ ବୋଲି ଦାବି ଧରି ରାସ୍ତାକୁ ଆସିଥିଲେ ସଂଘ ସଦସ୍ୟ । ସେପଟେ ବିଜୁଳି ଦର ବୃଦ୍ଧି ପ୍ରତିବାଦରେ ଏବଂ ଅନୁଦାନରୁ ବଞ୍ଚିତ ଶିକ୍ଷକ ସଂଘ ମଧ୍ୟ ଗାନ୍ଧି ମାର୍ଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ରାଜ୍ୟବାସୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସରକାରଙ୍କ ଉପରେ ଚାପ ପକାଇବାକୁ ପ୍ରତିବାଦର ପ୍ରମୁଖ ପେଣ୍ଠ ପାଲଟିଛି ଭୁବନେଶ୍ୱର ଲୋୟର ପିଏମଜି । ବିଧାନସଭାର ମୌସୁମୀ ଅଧିବେଶନ ଚାଲିଥିବାରୁ ସରକାର ବିରୋଧୀ ସ୍ୱରକୁ ଜୋରଦାର କରିଛି ରାଜ୍ୟ ବିଜେପି । ଆଜି ବିଦ୍ୟୁତ ଦର ବୃଦ୍ଧିକୁ ପ୍ରସଙ୍ଗ କରି ମାଷ୍ଟରକ୍ୟାଣ୍ଟିନ ଛକରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଭୁବନେଶ୍ୱର ଜିଲ୍ଲା ବିଜେପିର ଶତାଧିକ କର୍ମୀ ବିଧାନସଭା ଆଗରେ ପ୍ରତିବାଦ କରିଛନ୍ତି । ସେହିପରି ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବିକୁ ଦୋହରାଇଛି ଦଳ । ତେବେ ବ୍ୟାରିକେଡ ଭାଙ୍ଗିବାକୁ ଉଦ୍ୟମ କରିବାବେଳେ ଉଠାଇ ନେଇଛି ପୋଲିସ ।

ହାତରେ ହଳ ଲଙ୍ଗଳ ଧରି ପ୍ରତିବାଦକୁ ଓହ୍ଲାଇଛନ୍ତି କନିଷ୍ଠ ଶିକ୍ଷକ ଆଶାୟୀ ସଂଘର ସଦସ୍ୟ । ନିଯୁକ୍ତି ଦାବିରେ ୨୦ ଦିନ ହେଲା ଲୋୟର ପିଏମଜିରେ ଧରଣା ଦେବା ପରେ ଏଭଳି ଅଭିନବ ଉପାୟରେ ଆନ୍ଦୋଳନ କରିଛନ୍ତି । କାରଣ କନିଷ୍ଠ ଶିକ୍ଷକ ପଦବୀ ସୃଷ୍ଟି ନେଇ ଗଣଶିକ୍ଷା ମନ୍ତ୍ରୀଙ୍କୁ ଭେଟିବା ପରେ ମିଳିଥିଲା ଅଜବ ଉତ୍ତର । ଚାକିରି ନମିଳିଲେ ଚାଷବାସ କରନ୍ତୁ ବୋଲି ଅତି ଖାମଖିଆଲି ଢଙ୍ଗରେ କହିଥିଲେ ମନ୍ତ୍ରୀ ସମୀର ଦାସ । ତେଣୁ ହଳ ଲଙ୍ଗଳ ଧରି ପ୍ରତିବାଦକୁ ଓହ୍ଲାଇବା ସହ ଚାଷବାସ ପାଇଁ ମନ୍ତ୍ରୀ କ୍ଷେତ ଯୋଗାଇଦେବାକୁ ଦାବି କରିଛନ୍ତି ଏହି ଚାକିରୀ ଆଶାୟୀମାନେ ।

ବିଧାନସଭା ଚାଲୁଥିବାରୁ ପ୍ରତିବାଦର ପ୍ରମୁଖ ପେଣ୍ଠ ପାଲଟିଥିବା ଭୁବନେଶ୍ୱର ଲୋୟର ପିଏମଜିରେ ବି ଦେଖିବାକୁ ମିଳିଛି ପୂଜାପାଠ ଓ ହୋମଯଜ୍ଞ । ଶନିଦଶା କଟିବା ସହ ସରକାରଙ୍କ ଶୁଭଦୃଷ୍ଟି ପଡିବା ଆଶାରେ ଏଭଳି ଗ୍ରହଶାନ୍ତି ପୂଜା କରିଛନ୍ତି ୧୭୭ ହାଇସ୍କୁଲ ଶିକ୍ଷକ, ଶିକ୍ଷୟିତ୍ରୀ । ସରକାରୀ ଅନୁଦାନରୁ ବଞ୍ଚିତ ଏହି ଶିକ୍ଷକ ସଂଘ ସପ୍ତାହେ ହେଲା ବିଧାନସଭା ସମ୍ମୁଖରେ ଧାରଣା ଦେଇଥିଲେ ମଧ୍ୟ ସରକାରଙ୍କ ଦୃଷ୍ଟି ପଡୁନଥିବା ଅଭିଯୋଗ ହୋଇଛି ।

ବିଧାନସଭା ସହିତ ଆରମ୍ଭ ହୋଇଯାଏ ପ୍ରତିବାଦର ରୁତୁ । ଚଳଚଞ୍ଚଳ ହୋଇପଡେ ଭୁବନେଶ୍ୱର ଲୋୟର ପିଏମଜି ଅଞ୍ଚଳ । ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ ବିରୋଧୀ ରାଜନୈତିକ ଦଳ ସମେତ ଅନ୍ୟାନ୍ୟ ସଂଗଠନ ମଧ୍ୟ ସକ୍ରିୟ ହୋଇପଡିଛନ୍ତି ।