କନକ ବ୍ୟୁରୋ: ବିଧାନସଭା ଅଧିବେଶନ ଚାଲିଛି । ଏପେଟେ ବିଧାନସଭାକୁ ଲାଗିଥିବା ଲୋୟର ପିଏମଜି କମ୍ପୁଛି । ଆଜି ଲଗାତାର ଦ୍ୱିତୀୟ ଦିନ ପାଇଁ ଲୋୟର ପିଏମଜିରେ ଆନ୍ଦୋଳନ ଓ ଧାରଣା ଜାରି ରଖିଛନ୍ତି ବିଭିନ୍ନ ସଙ୍ଗଠନ । ଆଶାକର୍ମୀଙ୍କ ଆନ୍ଦୋଳନ ଜାରି ରହିଥିବାବେଳେ ପେସା ଆଇନ ଲାଗୁ ଦାବିରେ ଆଦିବାସୀମାନେ ଭିନ୍ନ ଢଙ୍ଗରେ ପାରମ୍ପରିକ ବାଦ୍ୟର ତାଳେ ତାଳେ ନାଚି ପ୍ରତିବାଦ ଜଣାଇଛନ୍ତି ।

Advertisment

ଭୁବନେଶ୍ୱର ଲୋୟର ପିଏମଜିରେ ଚାଲିଛି ବିଭିନ୍ନ ସଙ୍ଗଠନର ଧାରଣା । ଆଉ ଦାବି ପୂରଣ ପାଇଁ ମଙ୍ଗଳବାର ଆଦିବାସୀମାନେ ନିଆରା ପ୍ରତିବାଦ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ପାରମ୍ପରିକ ଆଦିବାସୀ ବାଦ୍ୟର ତାଳେ ତାଳେ ନାଚିଛନ୍ତି ଆଦିବାସୀ । ସାଧାରଣ ନିର୍ବାଚନ ପୂର୍ବରୁ ପଂଚାୟତ ପ୍ରୋଭିଜନ୍ସ (ଅନୁସୂଚିତ କ୍ଷେତ୍ର) ଆକ୍ଟ, ପେସା ଲାଗୁ କରିବା ଦାବିରେ ଲୋୟର ପିଏମଜିରେ ବିଶାଳ ଗଣଧାରଣା ଓ ଶୋଭାଯାତ୍ରା କରାଯାଇଛି । ଆନ୍ଦୋଳନକାରୀଙ୍କ ଅଭିଯୋଗ ହେଲା ସରକାର ପେସା ଆଇନ ଲାଗୁ ନକରି ଆଦିବାସୀଙ୍କୁ ପ୍ରତାରଣା କରୁଛନ୍ତି
ଏବେ ଆସନ୍ତୁ ଜାଣିବା ପେସା ଆଇନ କଣ?

- ପ୍ରାକୃତିକ ସମ୍ପଦ ସମ୍ପର୍କରେ ନିଷ୍ପତ୍ତି ନେବା ପାଇଁ ଆଦିବାସୀଙ୍କୁ ସ୍ୱତନ୍ତ୍ର କ୍ଷମତା
-ଗ୍ରାମସଭା ଜରିଆରେ ଏ ନେଇ ନିଷ୍ପତ୍ତି ନିଆଯାଇପାରିବ

ବର୍ତମାନ ସୁଦ୍ଧା ୧୦ଟି ରାଜ୍ୟରେ ପେସା ଆଇନ ଲାଗୁ ହୋଇସାରିଛି । କିନ୍ତୁ ଓଡିଶାରେ ଲାଗୁ ହୋଇନାହିଁ । ଆଉ ଏଥିପାଇଁ ଦୀର୍ଘଦିନ ହେଲା ଦାବି କରୁଛନ୍ତି ଆଦିବାସୀ ।

ଲାଗାତାର ଦ୍ୱିତୀୟ ଦିନ ପାଇଁ ରାଜଧାନୀର ରାସ୍ତାରାସ୍ତାରେ ଆଶାକର୍ମୀଙ୍କ ଆନ୍ଦୋଳନ ଜାରି ରହିଛି । ୨୦ ଦଫା ଦାବିରେ ଆଶାକର୍ମୀ ଆନ୍ଦୋଳନ ଜାରି ରଖିଛନ୍ତି । ବିଧାନସଭା ଅଧିବେଶନ ଚାଲିଥିବାରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସି ମେଳିକରିଛନ୍ତି ଆଶାକର୍ମୀ । ଦରମା, ପେନସନ, ଅବସରକାଳୀନ ଓ ମୃତ୍ୟୁକାଳୀନ ସହାୟତା ଦାବିରେ ଆନ୍ଦୋଳନ ଚାଲିଛି । ସରକାର ଦାବି ପୂରଣ ନ କଲେ ଭବିଷ୍ୟତରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ଆଶାକର୍ମୀ ।

ବିଭିନ୍ନ ସଙ୍ଗଠନର ପ୍ରତିବାଦ ଓ ଆନ୍ଦୋଳନ ଯୋଗୁଁ ସକାଳ ୧୦ଟା ହେଲେ ଭୁବନେଶ୍ୱରର ପିଏମଜି ରାସ୍ତା ଏକପ୍ରକାର ଜାମ ହୋଇଯାଉଛି । ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ପୁଲିସ ବି ନାକେଦମ ହେଉଛି ।