ଭୁବନେଶ୍ୱର ଆରଟିଓ-୧ର ନୂଆ ବିଲଡିଂ ଓ ସ୍ମାର୍ଟ କ୍ୟୁ ମ୍ୟାନେଜମେଣ୍ଟ ବ୍ୟବସ୍ଥା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଜାଣନ୍ତୁ, ସାଧାରଣ ଲୋକଙ୍କୁ କଣ କଣ ମିଳିବ ସୁବିଧା…

94

କନକ ବ୍ୟୁରୋ: ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର (ଆରଟିଓ-୧)ର ନୂତନ ଭବନ ଓ ସ୍ମାର୍ଟ କ୍ୟୁ ମ୍ୟାନେଜମେଣ୍ଟ ବ୍ୟବସ୍ଥା ଉଦଘାଟିତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଜି ଏହି ବ୍ୟବସ୍ଥା ବ୍ୟବସ୍ଥା ଉଦଘାଟିତ ହୋଇଛି । ତେବେ ୩.୯୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି ବିଲଡିଂରେ ତିନୋଟି ମହଲା ରହିଥିବାବେଳେ ଏହାର ପ୍ରତ୍ୟେକ ମହଲା୫ ହଜାର ବର୍ଗଫୁଟ ବିଶିଷ୍ଟ ରହିଛି ।

୫ଟି ଅନୁକରଣରେ ନାଗରିକ ସେବାକୁ ଆହୁରି ସମୃଦ୍ଧ କରିବା ପାଇଁ ଓଡିଶା ସରକାର ଚେଷ୍ଟିତ । ପୂର୍ବରୁ ମଧ୍ୟ ବହୁ ସଂଖ୍ୟାରେ ଜନସାଧାରଣ ଆରଟିଓ କାର୍ଯ୍ୟାଳୟକୁ ଆସୁଥିଲେ । ବିଭିନ୍ନ ସେବା ପାଇଁ କିନ୍ତୁ ଲୋକଙ୍କୁ ଧାଡିରେ ଠିଆ ହୋଇ ସମୟ ନଷ୍ଟ କରିବାକୁ ପଡୁଥିଲା । ଉଭୟ ଜନସାଧାରଣ ଓ କର୍ମଚାରୀମାନେ ଏଥପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ତେଣୁ ସ୍ମାର୍ଟ କ୍ୟୁ ମ୍ୟାନେଜମେଣ୍ଟ ଓ ଏକକ ୱିଣ୍ଡୋ ସିଷ୍ଟମ ଏହାର ଏକ ସମାଧାନ ହେବାକୁ ଯାଉଛି ।

ଏହାସହ ଉଭୟ ଅନଲାଇନ୍ ଓ ୱାକ୍ ଇନ୍ ଆବେଦନକାରୀଙ୍କୁ ଏହି ସେବା ଯୋଗାଇଥାଏ । ଟୋକନ ନେବା ପରେ ଲୋକମାନେ ଏବେ ଆରାମରେ ଶୀତତାପ ନିୟନ୍ତ୍ରିତ ରୁମରେ ବସିପାରିବେ । ଟୋକନ ନମ୍ବର ଘୋଷଣା ପରେ ଯେକୌଣସି ୱିଣ୍ଡୋକୁ ଯାଇ ସେବା ପାଇପାରେବ । ଏହାଦ୍ୱାରା ଜନସାଧାରଣଙ୍କୁ ଆଉ ପୂର୍ବଭଳି ଅପେକ୍ଷା କରିବାକୁ ପଡିବନି । ଖାଲି ସେତିକି ନୁହେଁ, ଏହି ସୁବିଧା ଖୁବଶୀଘ୍ର ଅନୁଗୁଳ, ବାଲେଶ୍ୱର, ଭଦ୍ରକ, କଟକ, ଗଞ୍ଜାମ ଓ ପୁରୀରେ ଆରମ୍ଭ ହେବ ବୋଲି ସୂଚନା ରହିଛି ।