ରାଜ୍ୟରେ ବଡ଼ ଧରଣର ଜମି କେଳେଙ୍କାରୀର ଫିଟୁଛି ଗୁମର । ପାତ୍ରପଡ଼ା ଜମି ଜାଲିଆତିକୁ ନେଇ ଦୁଇ ଆଇପିଏସ ଅଧିକାରୀ ମୁହାଁମୁହିଁ

1,067

କନକ ବ୍ୟୁରୋ : ପୁଣି ଉଠିଲା ବହୁଚର୍ଚ୍ଚିତ ପାତ୍ରପଡ଼ା ସରକାରୀ ଜମି ହଡ଼ପ ମାମଲା । ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଏମ୍ ନାଗେଶ୍ୱର ରାଓଙ୍କ ଟ୍ୱିଟ୍ ପରେ ଫିଟିଛି ପାତ୍ରପଡ଼ା ଜମି କେଳେଙ୍କାରୀ ଗୁମର । କେମିତି ଜଣେ ଆଇପିଏସ ଅଧିକାରୀ ଜମି ଠକାମିର ଶିକାର ହେବା ପରେ ଇଓଡବ୍ଲ୍ୟୁର ଦ୍ୱାରସ୍ଥ ହୋଇଥିଲେ ଏବଂ ପରବର୍ତୀ ସମୟରେ ତାଙ୍କ ଅଭିଯୋଗକୁ କର୍ଣ୍ଣପାତ କରାଗଲା ନାହିଁ, ତା’ର ପର୍ଦ୍ଦାଫାସ କରିଛନ୍ତି ନାଗେଶ୍ୱର ରାଓ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମାମଲାରେ ପୂର୍ବତନ ଡିଜି ସଂଜୀବ ମାରିକଙ୍କ ନାଁ ସାମ୍ନାକୁ ଆସିଛି । ୨୦୧୧ରେ ପାତ୍ରପଡ଼ାରେ ଏକ ପ୍ଲଟ୍ କିଣିଥିଲେ ନାଗେଶ୍ୱର ରାଓ । କିନ୍ତୁ ୪ ବର୍ଷ ପରେ ଜାଲିଆତି ହୋଇଥିବା ସେ ଜାଣିବାକୁ ପାଇଥିଲେ । ଏନେଇ ୨୦୧୫ରେ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ । କିନ୍ତୁ ତକ୍ରାଳୀନ ଡିଜିପି ସଂଜୀବ ମାରିକଙ୍କ ଚାପରେ ଇଓଡବ୍ଲ୍ୟୁ ମାମଲା ରୁଜୁ କରିନଥିବା ଅଭିଯୋଗ କରିଛନ୍ତି ନାଗେଶ୍ୱର ରାଓ ।

ତେବେ ପରବର୍ତୀ ସମୟରେ ଜମି ହଡ଼ପର ମାଷ୍ଟର ମାଇଣ୍ଡ ନରସିଂହ ସୁନ୍ଦରାୟ, ନାଗେଶ୍ୱର ରାଓଙ୍କୁ ୯ଲକ୍ଷ ୫୦ ହଜାର ଟଙ୍କା ଫେରାଇ ଦେଇଥିଲେ । କିନ୍ତୁ ବଡ଼ କଥା ହେଉଛି ନାଗେଶ୍ୱର ରାଓ, ଯେଉଁ ଜମି କିଣିଥିଲେ ତାହା ସରକାରୀ ଜମି ବୋଲି ତହସିଲ ପକ୍ଷରୁ ଜାଣିବାକୁ ପାଇଥିଲେ । ଫଳରେ ୨୦୧୧ରୁ ୨୦୧୫ ପର୍ଯ୍ୟନ୍ତ ୪ ବର୍ଷ ଧରି ଜମିକୁ ମ୍ୟୁଟେସନ୍ କରାଇପାରିନଥିଲେ । ଯେଉଁଥିପାଇଁ ଶେଷରେ ସେ ୨୦୧୫ ମସିହା, ନଭେମ୍ବର ୫ ତାରିଖରେ ଇଓଡବ୍ଲ୍ୟୁର ଦ୍ୱାରସ୍ଥ ହୋଇଥିଲେ । ଏବେ ଓଡ଼ିଶା ସୂଚନା ଅଧିକାର ଅଭିଯାନ ମାମଲାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଭେଟି କ୍ରାଇମବ୍ରାଂଚ ତଦନ୍ତ କରାଇବାକୁ ଦାବି କରିଛନ୍ତି । ପାତ୍ରପଡ଼ାରେ ଥିବା ପାଖାପାଖି ସାଢ଼େ ୭ ଏକର ଜମିକୁ ନରସିଂହ ସୁନ୍ଦରାୟ ହଡ଼ପ କରିଥିବା ନେଇ ସମସ୍ତ ତଥ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଛି ।

ସେପଟେ ମାମଲା ସାମ୍ନାକୁ ଆସିବା ପରେ ପ୍ରତିକ୍ର୍ରିୟା ରଖିଛନ୍ତି ତକ୍ରାଳୀନ ପୁଲିସ ଡିଜି ସଂଜୀବ ମାରିକ । କହିଛନ୍ତି ଯେ ତାଙ୍କ ପୁଅ ସେଠାରେ ଜମି କିଣିଛନ୍ତି । ଜମି କିଣାକୁ ନେଇ କୌଣସି ଜାଲିଆତି ନାହିଁ । ଜଣେ ଆଇପିଏସ ଅଧିକାରୀ ଭାବେ ନାଗେଶ୍ୱର ରାଓ କିପରି ଠକାମିର ଶିକାର ହେଲେ, ଆଉ ଜାଣିପାରିଲେ ନାହିଁ, ସେ ନେଇ ପାଲଟା ପ୍ରଶ୍ନ କରିଛନ୍ତି ସଂଜୀବ ମାରିକ ।