୧୯ତମ ଓଭରରେ ଲାଗିଛି କି ଶନି ଦଶା? କାହିଁକି ବାରମ୍ବାର ଭରସା ଭାଙ୍ଗୁଛନ୍ତି ଭୁବନେଶ୍ୱର କୁମାର ?

139

କନକ ବ୍ୟୁରୋ: ଟିମ ଇଣ୍ଡିଆକୁ ହେଇଛି କଣ? ଲଗାତାର ପରାଜୟ ଟିମ ଇଣ୍ଡିଆର ପିଛା ଛାଡୁନି । ଏସିଆ କପରେ ବିଫଳତା ପରେ ଏବେ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ରେ ପରାଜିତ ହୋଇଛି ଭାରତ । ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୨୦୮ ରନର ବିଶାଳ ସ୍କୋର କରି ବି ପରାସ୍ତ ହେଇଛି । ତେବେ ଭାରତ ପରାଜୟର ମୁଖ୍ୟ କାରଣ ହେଉଛି ୧୯ ତମ ଓଭର । ଭୁବନେଶ୍ୱର କୁମାରଙ୍କ ଏହି ୧୯ ତମ ଓଭର ମହଙ୍ଗା ସାବ୍ୟସ୍ତ ହେବା ଫଳରେ ଭାରତ ପରାଜୟ ସମ୍ମୁଖୀନ ହୋଇଥିଲା ।

କେବଳ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ନୁହେଁ ଆପଣ ଯଦି ଗତ ୪ଟି ଟି-୨୦ ମ୍ୟାଚ ଦେଖିବେ ତେବେ ଭାରତ ୩ଟି ମ୍ୟାଚ କେବଳ ୧୯ତମ ଓଭର ପାଇଁ ହିଁ ହାରିଛି । ଭୁବନେଶ୍ୱର କୁମାରଙ୍କ ଉପରେ ଦଳ ଭରସା କରି କରି ବାରମ୍ବାର ବିଫଳ ହୋଇଛି । ଏସିଆକପରେ ପାକିସ୍ତାନ ବିପକ୍ଷ ସୁପର ୪ ମ୍ୟାଚରେ ଭୁବନେଶ୍ୱର କୁମାର ୧୯ ତମ ଓଭର ପକାଇଥିଲେ ଆଉ ୧୯ ରନ ଦେଇଥିଲେ । ଶେଷ ଓଭରରେ ଅର୍ଶଦୀପ ସିଂ ଭଲ ବୋଲିଂ କରିଥିଲେ ବି ଭାରତ ପରାଜୟର ଶିକାର ହୋଇଥିଲା ।

ସେହିପରି ତାପର ମ୍ୟାଚ ଶ୍ରୀଲଙ୍କା ବିପକ୍ଷରେ ବି ୧୯ତମ ଓଭର କାଳ ସାଜିଥିଲା । ଏହି ଓଭରରେ ଭୁବନେଶ୍ୱର କୁମାର ୧୯ତମ ଓଭର ପକାଇ ୧୪ ରନ ଦେଇଥିଲେ । ଫଳରେ ଭାରତ ପରାଜିତ ହୋଇଥିଲା । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ବି ଭାରତର ସମାନ ସ୍ଥିତି ଦେଖା ଦେଇଥିଲା । ଭୁବନେଶ୍ୱର କୁମାର ୧୭ତମ ଓଭରରେ ୧୫ ଓ ୧୯ତମ ଓଭରରେ ୧୬ ରନ ଦେଇଥଲେ । ଆଉ ଏଥିରେ ବି ଭାରତ ପରାଜିତ ହୋଇଥିଲା ।

ଏଭଳି ୧୯ତମ ଓଭର ପାଇଁ ବାରମ୍ବାର ବାରମ୍ବାର ପରାଜୟ ଟିମ ଇଣ୍ଡିଆ ଉପରେ ପ୍ରଶ୍ନବାଚୀ ଛିଡା କରିଛି । କାହିଁକି ଭୁବନେଶ୍ୱର କୁମାରଙ୍କୁ ୧୯ତମ ଓଭର ଦିଆଯାଉଛି? କଣ ଟିମ ଇଣ୍ଡିଆ ପାଖରେ ୧୯ତମ ଓଭର ପାଇଁ କୌଣସି ବିକଳ୍ପ ନାହିଁ? ଏସିଆକପ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଭୁବନେଶ୍ୱର ଭଲ ପ୍ରଦର୍ଶନ କରିଥିଲେ । ଏହି ମ୍ୟାଚରେ ସେ ୫ଟି ୱିକେଟ ନେଇଥିଲେ । କାରଣ ଆରମ୍ଭରୁ ହିଁ ସେ ତାଙ୍କ ଓଭର ଶେଷ କରିଦେଇଥିଲେ । ଆଉ ପୁରୁଣା ବଲରେ ସେ କୌଣସି ଓଭର ପକାଇନଥିଲେ ।

ଏଥିରୁ କିଛି ମାତ୍ରାରେ ସ୍ପଷ୍ଟ ହେଉଛି ଯେ ଭୁବନେଶ୍ୱର କୁମାର ପୁରୁଣା ବଲରେ ବୋଲିଂ କରି ମହଙ୍ଗା ସାବ୍ୟସ୍ତ ହେଉଛନ୍ତି । ହେଲେ ତାଙ୍କୁ ବାରମ୍ବାର ସେହି ୧୯ତମ ଓଭର ଦେଇ ସମାନ ଭୁଲ କରି ଚାଲିଛି ଟିମ ।

ଆଇସିସି ରାଙ୍କିଙ୍ଗରେ ଟିମ ଇଣ୍ଡିଆ ଏକ ନମ୍ବର ରହିଛି । ତଥାପି ନିଜ ଦୁର୍ବଳ ବୋଲିଂ ବିଭାଗକୁ ନେଇ ଏବେ ଚିନ୍ତାରେ ଭାରତ । ଯଦି ବୋଲିଂରେ ଏଭଳି ଭୁଲରେ ସୁଧାର ନଆସେ ତେବେ ଟିମ ଇଣ୍ଡିଆ ପାଇଁ ଟି-୨୦ ବିଶ୍ୱକପ ଜିତିବା ସ୍ୱପ୍ନ ହୋଇଯିବ ।