ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲା । ମହିଳା କମିଶନଙ୍କ ନିକଟରେ ହାଜର ହେଲେ ଓଟିଭି ଏମଡି : କହିଲେ, ଘଟଣାର ହେଉ ନିରପେକ୍ଷ ତଦନ୍ତ : ମହିଳା କମିଶନ କହିଲେ, କୋର୍ଟକୁ ଆସିଲେ କିନ୍ତୁ ଶୁଣାଣିରେ ରହିଲେ ନାହିଁ, ପୁଣି ହେବ ନୋଟିସ୍

103

କନକ ବ୍ୟୁରୋ : ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ମହିଳା କମିଶନଙ୍କ କୋଟ,ର୍ ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡାଙ୍କୁ ସମନ କରିବା ପରେ, ଆଜି ସମସ୍ତଙ୍କ ନଜର ଅଟକିଥିଲା, ଏହି ଘଟଣାରେ ସେ କଣ କହିବେ । ମହିଳା କମିଶନଙ୍କ ନିକଟରେ ହାଜର ହେଲେ ଜାଗି ପଣ୍ଡା ।

ତାଙ୍କ ବିରୋଧରେ ଦୁଷ୍କର୍ମ ପିଡିତା ଓ ତାଙ୍କ ମାଙ୍କ ଅଭିଯୋଗ ଥିଲା, ଘଟଣାକୁ ଚାପିଦେବା ପାଇଁ ଉଦ୍ୟମ କରାଯାଇଥିଲା ଏବଂ ଅଭିଯୁକ୍ତଙ୍କୁ ସୁରକ୍ଷା ପ୍ରଦାନ କରାଯାଇଥିଲା । ତେବେ ଓଟିଭି ଏବିଷୟରେ ପୂର୍ବରୁ କହିଆସୁଛି, ସୁପ୍ରିମକୋର୍ଟ ଗାଇଡଲାଇନ ଅନୁସାରେ ସେମାନେ ଆଭ୍ୟନ୍ତରୀଣ କମିଟି ବସାଇଥିଲେ । ଯେଉଁ କମିଟି, ନିଷ୍କର୍ଶରେ ପହଂଚିଥିଲା ଯେ ପିଡିତାଙ୍କ ମା ବ୍ଲାକମେଲ କରିବାକୁ ଏଭଳି ଅଭିଯୋଗ ଆଣିଛନ୍ତି ।

ମହିଳା କମିଶନ ଅଧ୍ୟକ୍ଷା କହିଛନ୍ତି, ଓଟିଭି ଏମଡି ହାଜର ହେଲେ, କିନ୍ତୁ ଶୁଣାଣି ବେଳେ ରହିଲେ ନାହିଁ । ତାଙ୍କର ଅନ୍ୟ କାମ ଅଛି ବୋଲି କହି ସେ ଚାଲିଯାଇଥିଲେ । ତେଣୁ କମିଶନ ଅଧ୍ୟକ୍ଷା କହିଛନ୍ତି, ପୁଣି ଥରେ ଡିସିପିଙ୍କ ଜରିଆରେ ତାଙ୍କୁ ନୋଟିସ କରାଯିବ ।  ନିଜ ପକ୍ଷ ରଖି ଜାଗି କହିଛନ୍ତି, ଘଟଣାର ସତ୍ୟାସତ୍ୟ ଯାଂଚ ପାଇଁ ମହିଳା କମିଶନଙ୍କ ଅଧିକାର ରହିଛି । ଘଟଣାର ନିରପେକ୍ଷ ତଦନ୍ତ କରାଯାଉ ଏବଂ ଅଭିଯୁକ୍ତ ଦୋଷୀ ପ୍ରମାଣିତ ହେଲେ ଉଚିତ ଦଣ୍ଡ ମିଳୁ ।

ଲିଖିତ ଯବାବରେ ସେ ଆହୁରି କହିଛନ୍ତି,କୌଣସି କ୍ଷମତାଶାଳୀ ଲୋକ ଏହି ଘଟଣାରେ ପ୍ରଭାବ ପକାଉଛନ୍ତି । ପିଡିତାଙ୍କ ମାଆ ଓ ତାଙ୍କ ସହ ହୋଇଥିବା କଥାବାର୍ତାର ଅଡିଓ କ୍ଲିପ କେମିତି ଲିକ ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଘଟଣାରେ ଅଭିଯୁକ୍ତ ଥିବା ୩ଜଣ ପୋଲିସ କର୍ମିଙ୍କ ବିରୋଧରେ କାହିଁକି ପଦକ୍ଷେପ ନିଆଯାଉନାହିଁ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ।

ପୁଣି ମହିଳା କମିଶନ ଅଧ୍ୟକ୍ଷା ଓଟିଭି ଏମଡିଙ୍କୁ ପୋଲିସ ଜରିଆରେ ସମନ କରିବେ ବୋଲି କହିଛନ୍ତି । ଏବଂ ତାଙ୍କ କୋର୍ଟରେ ଏହି ମାମଲାର ଶୁଣାଣି କରିବେ । ଯେଉଁଠାରେ ପିଡିତାଙ୍କ ମାଆ ମଧ୍ୟ ଉପସ୍ଥିତ ରହିବେ ।